Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୮ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆଜି ପ୍ରଥମେ “ଭକ୍ତି ସର୍ବସ୍ୱ” “ମତରେ ପାର୍ଥନା କରିବା । ଯଥା – “ଗୋବିନ୍ଦ -କେଶବ -ଜନାର୍ଦ୍ଦନ -ବାସୁଦେବ -ବିଶ୍ୱେଶ -ବିଷ୍ଣୁ -ମଧୁସୂଦନ -ବିଶ୍ଵରୂପ -ଶ୍ରୀପଦ୍ମନାଭ ପୁରୁଷୋତ୍ତମ -ପୁଷ୍କରାକ୍ଷ-ନାରାୟଣ ଅଚ୍ୟୁତ -ନୃସିଂହ ନମୋ ନମସ୍ତେ ।” ମହାବିଷ୍ଣୁଙ୍କର ସହସ୍ର ନାମ ମଧ୍ୟରୁ ଆମେ କିଛି ନାମ ଉଚ୍ଚାରଣ କରି ନମସ୍କାର କଲେ। ଏବେ ଆସନ୍ତୁ ନାରାୟଣ ନାମ ପରି ଆଉ ଏକ ପରମ ପlବନ ନାମ “କେଶବ “ବିଷୟରେ ଆଲୋଚନା କରିବା ।

ନାରାୟଣ ନାମ ପରି ଏହି କେଶବ ନାମ ମଧ୍ୟ ଏକ ପବିତ୍ର ମାସ ସହ ଜଡିତ। ତାହା ହେଉଛି “ମାର୍ଗଶିର ମାସ ” । ଏହି ମାର୍ଗଶିର ମାସଟି ଅତ୍ୟନ୍ତ ପଵିତ୍ର ମାସ ବୋଲି ଭଗବାନ ନିଜେ ଶ୍ରୀମଦ ଭଗବତ ଗୀତାରେ ଉଲ୍ଲେଖ କରିଛନ୍ତି। ଅନ୍ୟ ଏକ ଦୃଷ୍ଟିରେ ଜଗତଜନନୀ ମା ଲଷ୍ମୀଙ୍କର ଏହା ଆରାଧନାର ମାସ। ମହାଭାରତ ଯୁଗରେ ଏହି ମାର୍ଗଶିର ମାସକୁ ବର୍ଷର ପ୍ରଥମ ମାସ ହିସାବରେ ପରିଗଣିତ କରୁଥିଲେ। ଏବେ ଶ୍ରୀଜଗନ୍ନାଥଙ୍କୁ ଏହି ମାସରେ କେଶବ ରୂପେ ବିଶେଷ ଭାବରେ ଆରାଧନା କରାଯିବାର ପ୍ରଥା ପ୍ରଚଳିତ ଅଛି। “କେଶବ “ଏହି ନାମକୁ ଶବ୍ଦବ୍ୟୁତ୍ପତ୍ତି ଦୃଷ୍ଟିରୁ ବିଚାର କଲ “କେ +ଶେତେ +ଇତି “ଏହି ଭାବରେ କେଶବ ଶବ୍ଦର ଉତ୍ପତ୍ତି ଜଣାଯାଏ। ଏହାର ତାତ୍ୱିକ ଅର୍ଥ ମଧ୍ୟ ନାରାୟଣଙ୍କ ପରି ଯେ ଜଳରେ ଶୟନ କରିଥାନ୍ତି ସେ “କେଶବ “. ଅର୍ଥାତ କ୍ଷୀରସାଗର ଶାୟୀ ଶ୍ରୀବିଷ୍ଣୁ ହିଁ ସ୍ୱୟଂ କେଶବ ଏହା ପ୍ରମାଣିତ। ଏହି କ୍ଷୀର ସାଗରର ସ୍ଥିତି ବର୍ତମାନ ମଧ୍ୟ ରହସ୍ୟ ହୋଇ ରହିଛି। କେତେକ ସାଧକ ତଥା ଗବେଷକ କହନ୍ତି ମହାବିଷ୍ଣୁଙ୍କ ଅଙ୍ଗରୁ ଉତ୍ପନ ଜଳ ହିଁ କ୍ଷୀର ସାଗର ରୂପେ ପରିଗଣିତ। କେହି କହନ୍ତି ଏହା ପ୍ରଭୁଙ୍କର କରୁଣା ରୂପୀ ଜଳ। ତେଣୁକରି ଶ୍ରୀଜଗନ୍ନାଥଙ୍କୁ କରୁଣା ବାରିଧି ବୋଲି ବିବେଚନା କରାଯାଏ। ଭକ୍ତଟିଏ ଭଗବାନଙ୍କ ଭାବ ଜଳରେ ପ୍ଲାବିତ ହୋଇ କହେ ସେ ଭାବସାଗର “କ୍ଷୀର ସାଗରର ଏକ ସ୍ୱରୂପ। “.ଶ୍ରୀବିଷ୍ଣୁଙ୍କ ଶ୍ରୀଅଙ୍ଗରୁ ଜଳ ବାହାରି ସାଗର ହେବା କଥା ଜଗନ୍ନାଥ ଦାସଙ୍କ ଭାଗବତରେ ଏପରି ବର୍ଣ୍ଣନା ହୋଇଛି। ଯଥା”

“ଏତେ ବୋଲି ମନେ ମହା ତାପ କଲେ ହରି l
ତାପରୁ ତପତ ଜଳ ଶ୍ରୀଅଙ୍ଗୁ ବାହାରି
ଝାଳ ଉଛୁଳନ୍ତେ ଆଜ୍ଞା ଦେଲେ ଭାବଗ୍ରାହୀ,
ସପତ ବ୍ରହ୍ମlଣ୍ଡ ତୁ ପ୍ରଳୟ କର ଯାଇ,
ପ୍ରଭୁଙ୍କ ଆଜ୍ଞା ପ୍ରମାଣେ ଉଛୁଳିଲା ଜଳ,
କାରୁଣ୍ୟ ଜଳଧି ତାଙ୍କୁ ବୋଲି ପଣ୍ଡୁବାଳ ।”

ଏଠାରେ ପ୍ରଳୟ ଜଳର ବର୍ଣ୍ଣନା ରହିଲା। ସେହିପରି ଭାବ ଜଳ ମଧ୍ୟ ପ୍ରଭୁଙ୍କ ଶ୍ରୀଅଙ୍ଗ ସୃଷ୍ଟ । ତେବେ ଭାବବିନୋଦିଆ ଶ୍ରୀଜଗନ୍ନାଥଙ୍କ ଶ୍ରୀକୃଷ୍ଣ ସ୍ୱରୂପର ଅପୂର୍ବ ଶୋଭାକୁ ଚିନ୍ତା କଲେ, ପ୍ରଭୁଙ୍କର କେଶ ସଜ୍ଜା ମନକୁ ଆସେ। ବାଲ୍ୟକୃଷ୍ଣଙ୍କ କେଶ ବନ୍ଧନର ଶୋଭାକୁ ଲକ୍ଷ୍ୟ କଲେ ତାଙ୍କର “କେଶବ “ନାମର ତାତ୍ପର୍ଯ୍ୟ ଉପଲବ୍ଧ ହୁଏ। ସେଥିପାଇଁ ଗର୍ଗମୁନି ବର୍ଣ୍ଣନା କଲେ “ପାଦପିବନ୍ତ ମତି ଚଞ୍ଚଳମଭୂତlଙ୍ଗବକ୍ତେବ୍ରିନୀଳ ନବକୋମଳ କେଶବନ୍ଧେହିଃ “ସେହି ଅପୂର୍ବ ଶୋଭା ଯୁକ୍ତ କେଶବନ୍ଧନ କରି ବାଙ୍କଚୁଳରେ କେକୀପୁଛ ଧାରଣ କରିଥିବା ଭଗବାନ ଶ୍ରୀକୃଷ୍ଣ (କେଶବ )ଙ୍କୁ ପାର୍ଥନା ଜଣାଇବା ।

“ଜୟ ଜଗନ୍ନାଥ ହେ ଯଶୋଦାକୁମର
ଶ୍ରୀମତୀ ଚିତ୍ତଚାତକ ନୂତନ ଜଳଧର
ଶିରେ ଶିଖିପୁଛ ଚୁଡା, ଗୁଚ୍ଛ କିଆ ପତ୍ର ବେଢା,
ସତୀଙ୍କ ବରତଛଡା ମୁରଲୀ ନଟବର ।” (ଭକ୍ତ କବି ବନମାଳୀ )

ଜୟ ଜଗନ୍ନାଥ, (ଦ. ତ୍ରି. ଉବାଚ )

Leave A Reply

Your email address will not be published.