Latest Odisha News

BREAKING NEWS

ବୁଧବାର ୟୁପିଆଇରେ ପେମେଣ୍ଟ କରି ହଟହଟା ହେଲେ କି?

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ଭାରତରେ ଏକ ବଡ଼ ସମସ୍ୟା ଦେଖାଦେଇଛି । ଦେଶ ଜେତେବେଳେ ଡିଜିଟାଲ ପେମେଣ୍ଟ ବା ନଗଦବିହୀନ କାରବାର ଉପରେ ଗୁରୁତ୍ୱ ଦେଉଛି ଏହି ସମୟରେ ଇଉନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ସେବାରେ ବାଧା ସୃଷ୍ଟି ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ଅନେକ ଉପଭୋକ୍ତା ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗୁଗଲ୍ ପେ ସମେତ ଅନେକ ଜଣାଶୁଣା ଆପରେ ୟୁପିଆଇ ଜରିଆରେ ପେମେଣ୍ଟ ହେବାରେ ଅନେକ ସମସ୍ୟା ଦେଖାଦେଇଛି ।

ଡାଉନ୍‌ଡିଟେକ୍ଟର ରିପୋର୍ଟ ଅନୁସାରେ, ରାତି ୮:୧୦ ସୁଦ୍ଧା ୟୁପିଆଇ ସମ୍ବନ୍ଧୀୟ ସମସ୍ୟା ନେଇ ମୋଟ ୩,୧୦୦ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଏଥିରୁ ଗୁଗଲ୍ ପେ ବ୍ୟବହାରକାରୀଙ୍କ ତରଫରୁ ୩୦୦ଟି, ପେଟିଏମ୍ ଆପ୍ ପାଇଁ ୧୧୯ଟି ଏବଂ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ପ୍ଲାଟଫର୍ମରେ ୩୭୬ ଉପଭୋକ୍ତା ଅଭିଯୋଗ କରିଥିଲେ। ଏସ୍‌ବିଆଇ ଗ୍ରାହକମାନେ ମୁଖ୍ୟତଃ ଟଙ୍କା ଟ୍ରାନ୍ସଫର ଏବଂ ଅନଲାଇନ୍ ବ୍ୟାଙ୍କିଙ୍ଗ ସେବାରେ ଅସୁବିଧା ହେଉଥିବା କହିଛନ୍ତି।

ଜଣେ ଏକ୍ସ ଉପଭୋକ୍ତା ଲେଖିଛନ୍ତି ଯେ ଏତେ ଗୁରୁତର ସମସ୍ୟା ସେ ପ୍ରଥମ ଥର ପାଇଁ ଦେଖୁଛନ୍ତି। ସେ କହିଛନ୍ତି, “ବ୍ୟାଙ୍କ କିମ୍ବା ଗେଟୱେ ନୁହେଁ, ସାକ୍ଷାତ୍ @UPI_NPCI ନିଜେ ବିଭ୍ରାଟର ସମ୍ମୁଖୀନ ହୋଇଛି। ଫେବୃଆରୀରେ ଏହାର ଉପଲବ୍ଧତା ୧୦୦% ଥିଲା।” ଅନ୍ୟ ଜଣେ ଉପଭୋକ୍ତା ଅଭିଯୋଗ କରି ଲେଖିଛନ୍ତି, “ଏ କି ଅବ୍ୟବସ୍ଥା? ୟୁପିଆଇ କାମ କରୁନାହିଁ। ମୋ ଟଙ୍କା ଡେବିଟ୍ ହୋଇଗଲା କିନ୍ତୁ ମୋ ସାଙ୍ଗ ଆକାଉଣ୍ଟକୁ ଜମା ହେଲା ନାହିଁ।” ସେହିପରି ଆଉ ଜଣେ ଲେଖିଛନ୍ତି, “ୟୁପିଆଇରେ କିଛି ସମସ୍ୟା ଚାଲିଛି କି? ଗୁଗଲ୍ ପେ, ଫୋନ୍‌ପେ, ପେଟିଏମ୍‌ରେ ଚେଷ୍ଟା କଲି, କିନ୍ତୁ ପେମେଣ୍ଟ ଫେଲ୍ ହେଉଛି।”

ୟୁପିଆଇ ଭାରତରେ ଲକ୍ଷାଧିକ ଲୋକଙ୍କ ପାଇଁ ଆର୍ଥିକ କାରବାରର ପ୍ରିୟ ମାଧ୍ୟମ ହୋଇପଡ଼ିଛି, ଯାହା କେନ୍ଦ୍ର ସରକାରଙ୍କ ଡିଜିଟାଲ୍ ଇଣ୍ଡିଆ ଅଭିଯାନର ଏକ ଅଂଶ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଜାନୁଆରୀ ୨୦୨୫ରେ ୟୁପିଆଇ ମାଧ୍ୟମରେ ୧୬.୯୯ ବିଲିୟନ୍‌ରୁ ଅଧିକ କାରବାର ହୋଇଥିଲା । ଯାହାର ମୂଲ୍ୟ ୨୩.୪୮ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିଲା। ଏହା ଗୋଟିଏ ମାସରେ ସର୍ବାଧିକ ରେକର୍ଡ ଥିଲା।

ତେବେ କହିରଖୁଛୁ, ୟୁପିଆଇ ଜରିଆରେ ପେମେଣ୍ଟରେ ଅସୁବିଧା ହେଉଥିବା ବେଳେ ମୋବାଇଲ ନମ୍ବର ଜରିଆରେ ଟଙ୍କା ନେଣଦେଣ ହୋଇପାରୁଥିଲା । କିନ୍ତୁ ଏହି ବିକଳ୍ପ ବ୍ୟବସ୍ଯାକୁ ସେତେଟା କେହି ଗୁରୁତ୍ୱ ଦେଇନଥିଲେ ବୋଲି ଜଣାପଡ଼ିଛି ।

Comments are closed.