ମାଲକାନଗିରି:ଜଣେ ଆଦିବାସୀ ମହିଳା ମଞ୍ଚ ଉପରକୁ ଆସିଲେ । କୋଳରେ ତାଙ୍କର ଥିଲା ଛୋଟ ଶିଶୁପୁତ୍ର । ଅତିଥିଙ୍କ ହାତରୁ ନେବେ ଫଳଚାରା । ହେଲେ ପୁଅକୁ ଧରି ଗୋଟିଏ ହାତରେ ଫଳ ଚାରା ଧରିବା ପାଇଁ ସକ୍ଷମ ନ ଥିଲେ ସେ । ଏହି ସମୟରେ କୃଷି ମନ୍ତ୍ରୀ ମହିଳାଙ୍କ କୋଳରୁ ଶିଶୁଟିକୁ ଉଠାଇ ଆଣିଲେ । କୋଳରେ କାଖେଇଲେ । ଏପରିକି ଶିଶୁଟିକୁ ବାରମ୍ବାର ଗେଲ କରୁଥିଲେ । ଏମିତି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ମାଲକାନଗିରି ରେ ଘରେ ପୃଷ୍ଟି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ।
ଘରେ ଘରେ ପୃଷ୍ଟି ପ୍ରୟାସ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କଲେ ଓଡିଶା ସରକାର । ରାଜ୍ୟ ସରକାରଙ୍କ ନ୍ୟୁଟ୍ରେସନ ଏଟ ଡୋରଷ୍ଟେପ ବା ଘରେ ଘରେ ପୃଷ୍ଟି ପ୍ରଥମେ ଆଜି ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଛି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ପାପରମେଟଲା ପଂଚାୟତ ଯନ୍ତାପାଇ ଗ୍ରାମରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରଯାଇଛି। କାର୍ଯ୍ୟକ୍ରମର ଶୁଭାରମ୍ଭ ଲାଗି ଆଜି କୃଷି, ମସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସହ କୃଷି ବିଭାଗର ସଚିବ ଅରବିନ୍ଦ ପାଢ଼ୀ ଓ କୃଷି ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧୁରୀ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ୱର ରୁ ବାହାରି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ରେ ପହଞ୍ଚିଛନ୍ତି ।
ରାଜ୍ୟର ଆଠ ଲକ୍ଷ ପରିବାରର ମହିଳା ଓ କୁନି କୁନି ଶିଶୁ ମାନେ ଅପପୁଷ୍ଟିର ଶିକାର ହୋଇଥିବା କଥା ସରକାର ଜାଣିବା ପରେ ଅପପୁଷ୍ଟିକୁ ରୋକିବା ଲାଗି ରାଜ୍ୟ ସରକାର ପ୍ରଥମ କରି ଘରେ ଘରେ ପୁଷ୍ଟି କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରୁ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ରାଜ୍ୟର ପ୍ରତି ଲୋକଙ୍କୁ ୧୦ ଟି ଫଳ ଓ ପନିପରିବା ଚାରା ବଣ୍ଟନ କରିବାର ଲକ୍ଷ୍ୟ ରଖିଛନ୍ତି ।
ଉପାନ୍ତ ମାଲକାନଗିରି ଜିଲ୍ଲା ମାଓ ଅଧ୍ୟୁଷିତ ତଥା ଗଞ୍ଜେଇ ଚାଷର ଭୁସ୍ଵର୍ଗ ହୋଇଥିବା ବେଳେ ଗଞ୍ଜେଇ ଚାଷକୁ ରୋକିବା ଲାଗି ସରକାର ମାଣ୍ଡିଆ ଚାଷ କୁ ପ୍ରାଧାନ୍ୟତା ଦେଇ ଅନେକ କାର୍ଯ୍ୟପନ୍ଥା ସ୍ଥିର କରିଛନ୍ତି । ତେଣୁ ମାଣ୍ଡିଆ ଚାଷୀ ମାନେ କିଭଳି ଉପକୃତ ହେବେ ଏବଂ ଠକାମୀର ଶିକାର ନ ହେବେ ତାହାକୁ ଗୁରୁତ୍ୱ ଦେଇ ନିଜେ କୃଷି ମନ୍ତ୍ରୀ ଓ କୃଷି ସଚିବ ମାଲକାନଗିରି ର ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ଚଳିତ ବର୍ଷ ପ୍ରଥମ କରି ମାଣ୍ଡିଆ ମଣ୍ଡିର ମଧ୍ୟ ଶୁଭ ଉଦଘାଟନ କରିଛନ୍ତି ।
ଏଥିରେ ମାଣ୍ଡିଆ ଚାଷୀ ମାନେ ପ୍ରତି କ୍ୟୁଣ୍ଟାଲ ପିଛା 3578 ଟଙ୍କା ମଣ୍ଡିରୁ ପାଇ ପାରିବେ ବୋଲି କୃଷି ସଚିବ କହିଛନ୍ତି । ସରକାରଙ୍କର ଏହି କାର୍ଯ୍ୟକ୍ରମ କେତେଦୂର ଲୋକଙ୍କ କାମରେ ଆସିବ ତାହା ପରକଥା, କିନ୍ତୁ ମନ୍ତ୍ରୀଙ୍କ ଏପରି ଶିଶୁପ୍ରେମ ସମସ୍ତଙ୍କ ମନକୁ ଛୁଇଁଥିଲା ।
Comments are closed.