Latest Odisha News

BREAKING NEWS

ଦାବି ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାରକେଡ ସାମ୍ନାକୁ ଚାଲିଆସିଲେ ଦିବ୍ୟାଙ୍ଗ

ବାଲେଶ୍ୱର: ଗତକାଲି  ମୁଖ୍ୟମନ୍ତ୍ରୀଙ୍କ ଭେଟ ନ ପାଇ ରାଉରକେଲାରୁ ଚାଲି ଚାଲି ଆସିଥିବା ମୁକ୍ତିକାନ୍ତ ବିଶ୍ୱାଳ ବିଜ୍ଞାପନ ଟାୱାର ଉପରକୁ ଚଢି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ । ଆଉ ଆଜି ଦାବି ଜଣାଇବା ପାଇଁ ଜୀବନକୁ ଖାତିର ନ କରି ସିଧା ନବୀନ ପଟ୍ଟନାୟକଙ୍କ ଗାଡି ସାମ୍ନାକୁ ଚାଲି ଆସିଛନ୍ତି ଜଣେ ଦିବ୍ୟାଙ୍ଗ । ଗତକାଲି ଘଟଣା ଖୋଦ ରାଜଧାନୀରେ ଘଟିଥିବାବେଳେ ଆଜି ଘଟିଛି ବାଲେଶ୍ୱରରେ ।

ଆଜି ବାଲେଶ୍ୱର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ସେଠାରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସାରା ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଏପରିକି  ବାଲେଶ୍ୱରର ଷ୍ଟେସନ ଛକରୁ ଆଇଟିଆଇ ଛକ ଯାଏଁ ‘ନୋ ମେନ୍ ଜୋନ୍’ ଘୋଷଣା କରାଯାଇଛି। ତେଣୁ ‘ନୋ ମେନ୍ ଜୋନ୍‌’ରେ ଆସୁଥିବା ସରକାରୀ ଓ ଘରୋଇ ସ୍କୁଲ ଗୁଡ଼ିକ ବନ୍ଦ ରହିଛି।

ଏହା ସତ୍ତ୍ୱ ବି ଘଟିଛି ଅଘଟଣ । ଗସ୍ତ ସମୟରେ ଜଣେ ଦିବ୍ୟାଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗାଡି ସାମ୍ନାକୁ ଚାଲି ଆସିଛନ୍ତି । ସେ ତାଙ୍କର କିଛି ଦାବି ଜଣାଇବାକୁ ଚାଲି ଆସିଥିବା କୁହାଯାଉଛି । ଆବାସ ଯୋଜନାରେ ଘରଟିଏ ପାଇଁ ଦାବି କରି  ଦିବ୍ୟାଙ୍ଗ ଯୁବକ ଜଣକ ଏପରି ପଦକ୍ଷେପ ନେଇଥିବା ଜଣାଯାଇଛି । ତେବେ ପୋଲିସ ତୁରନ୍ତ ତାଙ୍କୁ ଗାଡି ସାମ୍ନାରୁ ଉଠାଇ ନେଇଛି ।  ଉକ୍ତ ଯୁବକଙ୍କ ପ୍ରକୃତ ପରିଚୟ ଜଣାପଡ଼ି ନାହିଁ । ତେବେ ତାଙ୍କ ଘଣ ଖଇରା ଅଞ୍ଚଳରେ ବୋଲି ଜଣାଯାଇଛି ।

ଆଜି ମୁଖ୍ୟମନ୍ତ୍ରୀ ଶୋଭାରାମପୁର ଠାରେ ଏକ ରେଲୱେ ଓଭରବ୍ରିଜ  ଉଦଘାଟନ କରିବେ । ଏଥିସହିତ ମୁଖ୍ୟମନ୍ତ୍ରୀ ୩୭୫ କୋଟି ବ୍ୟୟ ବରାଦରେ ହୋଇଥିବା ୬୯ଟି ଅନ୍ୟ ପ୍ରକଳ୍ପ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ମୁଖ୍ୟମନ୍ତ୍ରୀ ୧୫୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ୧୨୨ଟି ପ୍ରକଳ୍ପର ଶିଳାନ୍ୟାସ କରିବେ।

Leave A Reply

Your email address will not be published.