Latest Odisha News

BREAKING NEWS

ପ୍ରକୃତି

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’

ଭଗବାନଙ୍କର ମାୟିକ ଶକ୍ତିଦ୍ୱାରା ଏ ସଂସାର ର ସୃଷ୍ଟି । ପ୍ରକୃତିର ଗର୍ଭରେ ଭଗବାନ ଜୀବଙ୍କୁ ସ୍ଥାପିତ କରନ୍ତି । ପ୍ରତ୍ୟେକ ଜୀବର କର୍ମ ଅନୁଯାୟୀ, ପ୍ରକୃତି ତାଙ୍କ ପାଇଁ ଏକ ଉପଯୁକ୍ତ ଶରୀର ସୃଷ୍ଟି କରେ । ପ୍ରକୃତି ଦ୍ୱିବିଧ, ଯଥା— ପରା ଓ ଅପରା । ପରା (ଶ୍ରେଷ୍ଠା) ଜୀବ ସ୍ୱରୂପ ଚେତନାମୟୀ ପ୍ରକୃତି ଏହା ଜଗତକୁ ରକ୍ଷା କରୁଅଛି । ଏହାହିଁ ଜୀବର ପ୍ରାଣ । ଅପରା (ନିକୃଷ୍ଟା) କ୍ଷତି, ଅପ୍, ତେଜଃ, ମରୁତ, ବ୍ୟୋମ, (ପଞ୍ଚଭୂତ) ମନ, ବୃଦ୍ଧି, ଓ ଅହଙ୍କାର । ପ୍ରକୃତି ଆତ୍ମା ଛଡ଼ା ଜଗତରେ ଅନ୍ୟ ସମସ୍ତ ବସ୍ତୁର ମୂଳକାରଣ । ପ୍ରକୃତି ଅନ୍ଧ କିନ୍ତୁ ଉତ୍ପାଦିକା । ଶକ୍ତି ବିଶିଷ୍ଟ ପୁରୁଷ ଓ ପ୍ରକୃତ ଏହି ଉଭୟର ମିଳନରେ ଏ ଜଗତର ସୃଷ୍ଟି । ପ୍ରକୃତିରୁ ସତ୍ୱ, ରଜଃ ଓ ତମଃ ତିନି ଗୁଣ ଉତ୍ପନ୍ନ ହୁଅନ୍ତି । ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ସହାୟତାରେ, ପ୍ରକୃତି ବିଭିନ୍ନ ଜୀବ ସ୍ୱରୂପ ସୃଷ୍ଟି କରେ। ଭଗବାନ, ପୂର୍ବ କର୍ମ ଅନୁସାରେ, ଜୀବକୁ ଉପଯୁକ୍ତ ଶରୀରରେ ସ୍ଥାପିତ କରନ୍ତି । ପ୍ରକୃତି ଗର୍ଭତୁଲ୍ୟ ଅଟେ ଏବଂ ଆତ୍ମା ସବୁ ଶୁକ୍ରାଣୁ ରୂପକ ଅଟନ୍ତି । ସେ ଆତ୍ମାକୁ ପ୍ରକୃତି ମାତାଙ୍କ ଗର୍ଭରେ ସ୍ଥାପିତ କରନ୍ତି ଏବଂ ବିବିଧ ପ୍ରକାରର ପ୍ରାଣୀଙ୍କୁ ଜନ୍ମ ଦିଅନ୍ତି । ଜଣେ ବ୍ୟକ୍ତି ମହାତ୍ମାଙ୍କୁ ପଚାରିଲେ …ମୋର କର୍ମଚାରୀ, ମୋର ପତ୍ନୀ, ମୋର ପିଲାମାନେ ଏବଂ ଦୁନିଆର ସମସ୍ତ ଲୋକ – ସ୍ବାର୍ଥପର । କିଏ କ’ଣ କରିବାକୁ ଇଛା କରୁଛନ୍ତି ଜଣାଉ ନାହାଁନ୍ତି ।
ମହାତ୍ମା ଟିକେ ହସି କହିଲେ …ଏକ ହଜାର ଦର୍ପଣ ବିଶିଷ୍ଟ ଏକ ସ୍ୱତନ୍ତ୍ର କୋଠରୀ ଥିଲା । ଏକ ଛୋଟ ପିଲା କୋଠରୀ ଭିତରକୁ ଯାଇ ଖେଳିବା ଆରମ୍ଭ କଲା । ସେ ହଜାରେ ପିଲା ତା ସହିତ ଖେଳୁଥିବାର ଦେଖିଲା । ସେ ନିଜ ହାତରେ ଚାପୁଡ଼ା ମାରିବା ମାତ୍ରେ ପିଲାମାନଙ୍କ ସହିତ ଖୁସି ହେବାକୁ ଲାଗିଲା । ସମସ୍ତ ପିଲାମାନେ ତାଙ୍କ ସହ କରତାଳି ଦେଉଥିଲା । ସେ ଭାବିଲା ଏହା ଦୁନିଆର ସର୍ବୋତ୍ତମ ସ୍ଥାନ, ଏବଂ ସେ ସବୁଠାରୁ ଖୁସି । ସେ ବାରମ୍ବାର ଏଠାକୁ ଆସିବାକୁ ଇଛା କରିବ । କିଛି ସମୟ ପରେ ଜଣେ ଦୁଃଖୀ ବ୍ୟକ୍ତି ସେଠାକୂ ଆସିଲେ । ସେ ଚାରିପାଖରେ ହଜାର ହଜାର ଦୁଃଖୀ ବ୍ୟକ୍ତିଙ୍କ ଚେହେରା ଦେଖିଲା । ବହୁତ ଦୁଃଖିତ ହେଲା ଏବଂ ସେ ହାତ ବଢାଇବାକୁ ଚେଷ୍ଟା କଲା । ସେ ଦେଖିଲା ହଜାର ହଜାର ହାତ ତାଙ୍କୁ ଠେଲି ଦେଉଛନ୍ତି । ଖରାପ ବୋଲି କହୁଛନ୍ତି । ସେ ଆଉ ଏଠାକୁ ଆସିବ ନାହିଁ । ସେ ସ୍ଥାନ ଛାଡି ଚାଲିଗଲା । ସେହିଭଳି ଏହି ଦୁନିଆ ହେଉଛି ହଜାର ହଜାର ଦର୍ପଣର ଏକ କୋଠରୀ । ଯାହା ଆମ ଭିତରେ ଭରପୂର ସମ୍ପଦ, ପ୍ରକୃତି ଆମକୁ ଫେରାଇଦିଏ । ଆମର ମନ ଏବଂ ହୃଦୟକୁ ସଫା ରଖିଲେ, ଏହି ଜଗତ ଆମ ପାଇଁ ସ୍ୱର୍ଗ ପରି ।

 

Leave A Reply

Your email address will not be published.