Latest Odisha News

ଭଲ ଖବର: ଦିଲ୍ଲୀପ ବରାଳଙ୍କ ବିହନ ପ୍ରକ୍ରିୟାକରଣ ଉପକରଣକୁ ମିଳିଲା ପେଟେଣ୍ଟ

ଭୁବନେଶ୍ୱର: ଓଡିଶାର ସୁନାମଧନ୍ୟ ଚାଷୀ ତଥା ଜାତୀୟ କୃଷି କର୍ମଣ ପୁରସ୍କାର ବିଜେତା ଦିଲ୍ଲିପ କୁମାର ବରାଳଙ୍କ ଦ୍ବାରା ତିଆରି କରାଯାଇଥିବା ବିହନ ପ୍ରକ୍ରିୟାକରଣ ଉପକରଣକୁ ପେଟେଣ୍ଟ ମିଳିଛି। କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ବିଭାଗ ତରଫରୁ ଏହି ପେଟେଣ୍ଟ ମିଳିଛି। ଦେଶର ପେଟେଣ୍ଟ କଣ୍ଟ୍ରୋଲର ଉନ୍ନତ ପି. ପଣ୍ଡିତ ଆସନ୍ତା ୨୦ ବର୍ଷ ପାଇଁ ଏହି ପେଟେଣ୍ଟ ପ୍ରଦାନ କରିଛନ୍ତି।

ନିଜ ଚାଷଜମିରେ ଉତ୍ପାଦନ କରୁଥିବା ବାଇଗଣ ଏବଂ ଟମାଟୋରୁ ମଞ୍ଜି ପୃଥକିକରଣକୁ ସରଳ ଏବଂ ସହଜ କରିବା  ପାଇଁ  ନିଜସ୍ବ  ଜ୍ଞାନକୌଶଳ ସେ  ଏହି  ଉପକରଣଟି ତିଆରି କରିଥିଲେ । ଏହା ତାଙ୍କର ପନିପରିବା ମଞ୍ଜି ପୃଥକିକରଣ କରିବାକୁ ସହାୟକ ହେବା ସହ ଦେଶର ବିହନ ଉତ୍ପାଦନକାରୀ ଚାଷୀ ମାନଙ୍କପାଇଁ ଏକ ବରଦାନ ପାଲଟିଛି।

ଏହି ଉପକରଣଟି ତାଙ୍କୁ ସଫଳ ଚାଷୀରୁ ସଫଳ ଉଦ୍ଭାବକର ମାନ୍ୟତା ପ୍ରଦାନ କରିଛି।  ଶ୍ରୀ ବରାଳଙ୍କ ଦ୍ଵାରା ଉଦ୍ଭାବିତ ଏହି ଯନ୍ତ୍ରାଂଶଟିକୁ ପେଟେଣ୍ଟ ପ୍ରଦାନ ପାଇଁ ୨୦୨୧ ମସିହାରେ ଜାତୀୟ ଉଦ୍ଭାବନ ପ୍ରତିଷ୍ଠାନ ପକ୍ଷରୁ ପେଟେଣ୍ଟ କଣ୍ଟ୍ରୋଲର ଜେନେରାଲଙ୍କ ପାଖରେ ଆବେଦନ କରାଯାଇଥିଲା। ଦିଲ୍ଲିପ ହେଉଛନ୍ତି ରାଜ୍ୟ ର ପ୍ରଥମ ଚାଷୀ ଯିଏ ଜାତୀୟ କୃଷି କର୍ମଣ ପୁରସ୍କାର ପାଇବା ସହିତ ନିଜର ଦ୍ବାରା ଉଦ୍ଭାବିତ କୃଷି ଯନ୍ତ୍ରାଂଶକୁ ପେଟେଣ୍ଟ କରିବା ରେ ସଫଳତା ପାଇଛନ୍ତି।

ଗତବର୍ଷ ଗୁଜରାଟ ର ଅହମଦାବାଦ ସାଇନ୍ସ ସିଟିରେ ଅନୁଷ୍ଠିତ ଜାତୀୟ ବିଜ୍ଞାନ ସମ୍ମିଳନୀରେ  ଦିଲ୍ଲୀପ କୁମାର ବରାଳ ଓଡିଶାର ଏକ ମାତ୍ର କୃଷି ଯନ୍ତ୍ରପାତି ଉଦ୍ଭାବକ ଭାବରେ ପ୍ରତିନିଧିତ୍ଵ କରିଥିଲେ। ଶ୍ରୀ ବରାଳଙ୍କ ଦ୍ବାରା ଉଦ୍ଭାବିତ ଟମାଟୋ ଏବଂ ବାଇଗଣ ମଞ୍ଜି ପୃଥକିକରଣ ଯନ୍ତ୍ର କୁ ଏଠାରେ ପ୍ରଦର୍ଶିତ କରାଯାଇଥିଲା। ଜାତୀୟ ଉଦ୍ଭାବନ ପ୍ରତିଷ୍ଠାନ ଦିଲ୍ଲୀପଙ୍କ ଏହି କୃଷି ଯନ୍ତ ଟିକୁ ନେଇ ଭାରତୀୟ ବିଜ୍ଞାନ ସମ୍ମିଳନୀରେ ପ୍ରଦର୍ଶିତ କରିଥିଲା।

ଶ୍ରୀ  ବରାଳ ଦେଶରେ ଜଣେ ଆଗଧାଡିର ବିହନ ଉତ୍ପାଦନକାରୀ ଚାଷୀ ଅଟନ୍ତି। ପୁରୀ ଜିଲ୍ଲା, ନିମାପଡ଼ା ନିମାପଡ଼ା  ବ୍ଲକ ଅନ୍ତର୍ଗତ ରେସିଙ୍ଗା ଗ୍ରମର ଯୋଗେନ୍ଦ୍ର ନାଥ ବରାଳ ଙ୍କ ଜ୍ୟେଷ୍ଠ ପୁତ୍ର  ଅଟନ୍ତି। ଉନ୍ନତ ଏବଂ ଅଧିକ ଅମଳକ୍ଷମ ବିହନ ଉତ୍ପାଦନ କରି ସେ ୨୦୧୪-୧୫ ବର୍ଷ  ଜାତୀୟ କୃଷି କର୍ମଣ ପୁରସ୍କାର ପାଇଁ ରାଜ୍ୟ ପାଇଁ ଗୌରବ ଆଣିଦେଲେ। 

ଧନ ଏବଂ ରବି ଜାତୀୟ ଫସଲର ପ୍ରାମାଣିକ ବିହନ ଉତ୍ପାଦନ ସହିତ ଶ୍ରୀ ବରାଳ ପନିପରିବାର ପ୍ରାମାଣିକ ବିହନ ଉତ୍ପାଦନ କରିଥାନ୍ତି। ପନିପରିବା ବିହନ ଉତ୍ପାଦନକୁ ସହଜ ଏବଂ ସରଳ କରିବା ପାଇଁ ସେ ଏହି ମଞ୍ଜି ପୃଥକିକରଣ ଯନ୍ତ୍ରଟି ଉଦ୍ଭାବନ କରିଥିଲେ। ଏଥିପାଇଁ ତାଙ୍କୁ ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ତରଫ ରୁ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ପ୍ରଦାନ କରାଯାଇଥିଲା। ଦିଲ୍ଲୀପ ଙ୍କ ଏହି କୃଷି ଯନ୍ତ୍ରପାତିଟି ଜାତୀୟ ସ୍ତରରେ ଖୁବ  ଖ୍ୟାତି ଅର୍ଜନ କରିଛି।

Comments are closed.