Latest Odisha News

BREAKING NEWS

ନକଲି ଶିକ୍ଷକ ମାମଲା: ବିଇଓ ଓ ଡିଇଓଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗରେ ନକଲି ଶିକ୍ଷକଙ୍କୁ ଚିହ୍ନଟ କରିବାକୁ ବ୍ଲକ ଶିକ୍ଷା ଅଧିକାରୀ (BEO) ଓ ଜିଲ୍ଲା ଶିକ୍ଷା ଅଧିକାରୀ(DEO)ଙ୍କୁ ନିର୍ଦ୍ଦେଶ। ଦୁଇ ଦିନ ମଧ୍ୟରେ ଏଭଳି ମାମଲା ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷା ବିଭାଗର ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର ଏପରି ନିିର୍ଦ୍ଦେଶ ଦେବା ସହିତ ନକଲି ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ଜାଲ୍ ଜାତି ପ୍ରମାଣପତ୍ର, ଜନ୍ମ ପ୍ରମାଣପତ୍ର, ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦାଖଲ କରିଥିବା ମୋଟ 300 ଶିକ୍ଷକଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବା ଜ୍ୟୋତି ମିଶ୍ର ସୂଚନା ଦେଇଛନ୍ତି। ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପାଇଁ ନକଲି ଶିକ୍ଷକଙ୍କୁ ଧରିବା ପାଇଁ ଏସଓପି ଜାରି କରାଯାଇଛି।

ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଆହୁରି କହିଛନ୍ତି ଯେ କେବଳ ବଲାଙ୍ଗୀର ଜିଲ୍ଲାରେ ନୁହେଁ, ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ନକଲି ଶିକ୍ଷକ ରହିଛନ୍ତି। ତେବେ ରାଜ୍ୟ ବାହାର ସାର୍ଟିଫିକେଟ୍ କଥା ଉଠିଲେ ଏଭଳି ମାମଲାର ତଦନ୍ତ ପାଇଁ ତୁଳନାତ୍ମକ ଭାବେ ଅଧିକ ସମୟର ଆବଶ୍ୟକତା ରହିଛି।

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ କହିଥିଲେ ଯେ, ନକଲି ସାର୍ଟିଫିକେଟ୍ ଅଭିୟୋଗର ତଦନ୍ତ ପାଇଁ ରାଜ୍ୟ ଶିକ୍ଷା ବିଭାଗ ଅନ୍ୟ ରାଜ୍ୟକୁ ଯିବାର ଆବଶ୍ୟକତା ନାହିଁ। ବଲାଙ୍ଗୀର ଜାଲ୍ ସାର୍ଟିଫିକେଟ୍ ରାକେଟର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ପାଞ୍ଚ ଜଣିଆ ଟିମ୍ ଅନ୍ୟ ରାଜ୍ୟକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ପରିପ୍ରେକ୍ଷୀରେ ଏଭଳି ମନ୍ତବ୍ୟ ଦେଇଥିଲେ।

Comments are closed.