ଭୁବନେଶ୍ୱର : ପ୍ରଥମ ବିଶ୍ୱ ଭାଷା ସମ୍ମିଳନୀର ଦ୍ୱିତୀୟ ଦିବସରେ ଆଦିକବି ସାରଳା ଦାସ ପ୍ରକୋଷ୍ଠରେ ବିଶିଷ୍ଟ ଐତିହାସିକ ନିବେଦିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ୧୯୩୬ : ଆଧୁନିକ ଓଡ଼ିଶାର ଅଭ୍ୟୁଦୟ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନରେ ବରୋଦା ସ୍ଥିତ ଗତିଶକ୍ତି ବିଶ୍ଵବିଦ୍ୟାଳୟର ଇତିହାସ ପ୍ରାଧ୍ୟାପକ ଚଣ୍ଡୀ ପ୍ରସାଦ ନନ୍ଦ, ଆଜମେର ଇତିହାସ ବିଭାଗର ପ୍ରଫେସର ପ୍ରୀତିଶ ଆଚର୍ଯ୍ୟ ଏବଂ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ପୂର୍ବତନ ମୁଖ୍ୟ ଇତିହାସ ବିଭାଗ ଅଶୋକ କୁମାର ପଟ୍ଟନାୟକ ଆଲୋଚକ ଭାବରେ ଯୋଗ ଦେଇଥିଲେ । ତାଙ୍କ ସହ ଛାତ୍ରୀବକ୍ତା ଭାବରେ ସୁଶ୍ରୀ ସୋମାଲିନ୍ ଶତପଥୀ ବକ୍ତବ୍ୟ ରଖିଥିଲେ ।
ଓଡ଼ିଶାର ଆତ୍ମା ଶ୍ରୀଜଗନ୍ନାଥ । ଓଡ଼ିଶାର ଅଭ୍ୟୁଦୟର ପ୍ରମୁଖ ବିନ୍ଧାଣୀ ଥିଲେ ଉତ୍କଳଗୌରବ ମଧୁସୂଦନ ଦାସ । ତାଙ୍କ ଦ୍ଵାରା ଆମକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିଥିଲା । ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷରେ ୧୦ ଲକ୍ଷ ଲୋକ ମୃତ୍ୟୁବରଣ କରିବା ପରେ, ଏହା ଓଡିଶାର ଜନଜୀବନ ଉପରେ ଗଭୀର ପ୍ରଭାବ ପକାଇଥିଲା । ଭାରତବର୍ଷରେ ନବଜାଗରଣ ସହିତ ଓଡ଼ିଶାରେ ଉତ୍କଳୀୟ ନବଜାଗରଣ ଭାବର ଉଦ୍ରେକ ହୋଇଥିଲା । ଜାତୀୟ କଂଗ୍ରେସ ପ୍ରତିଷ୍ଠା ହେବା ସହିତ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ପ୍ରାନ୍ତୀୟ ସଭାର ମୂଳଦୁଆ ପଡିଥିଲା, ଯାହା ପରବର୍ତ୍ତୀ କାଳରେ ଉତ୍କଳ ସମ୍ମିଳନୀକୁ ଜନ୍ମ ଦେଇଥିଲା । ସ୍ୱତନ୍ତ୍ର ଉତ୍କଳପ୍ରଦେଶଗଠନରେ ଉତ୍କଳଦୀପିକା ସହିତ ବିଭିନ୍ନ ଓଡ଼ିଆ ଖବରକାଗଜର ପ୍ରମୁଖ ଭୂମିକା ରହିଥିଲା ବୋଲି ଆଲୋଚାନା କରାଯାଇଥିଲା।
ଏହି ଅଧିବେଶନରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏବଂ ପ୍ରିୟଦର୍ଶି କର ମଞ୍ଚ ପରିଚାଳନା କରିଥିଲେ ।
Comments are closed.