Latest Odisha News

ସରକାର ଓ ଶିକ୍ଷକଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ, ଆଗକୁ ସମୂହ ଛୁଟିରେ ଯିବାକୁ ଚେତାବନୀ

ଭୁବନେଶ୍ୱର: ସରକାର ଓ ଶିକ୍ଷକଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହୋଇଛି। ତିନି ଦିନ ହେବ ଅହୋରାତ୍ର ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ ଏବଂ ଶିକ୍ଷୟତ୍ରୀ।  ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ବିଫଳ ହେବା ପରେ ଶିକ୍ଷକ ସଙ୍ଘ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି ସୂଚନା ରହିଛି। ଏମିତିକି ସମୂହ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି।

ମୁଖ୍ୟଶାସନ ସଚିବଙ୍କ ବୈଠକ ବିଫଳ ହେବାପରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘର ସଦସ୍ୟ ରାଜେଶ ମହାନ୍ତି କହିଛନ୍ତି, ମୁଖ୍ୟ ଶାସନ ସଚିବ ଆମକୁ ଆଶ୍ୱାସନା ଦେଇଛନ୍ତି ଯେ, ଅନିୟମିତତା ଦୂର କରାଯିବ। କିନ୍ତୁ ଆମେ ଜାଣିବାକୁ ଚାହୁଁଛୁ ଏହା କେବେ ହେବ।
ଏହାକୁ ନେଇ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କୌତୁହଳର ବିଷୟ ହେଉଛି, ମୁଖ୍ୟ ଶାସନ ସଚିବ ଶିକ୍ଷକମାନଙ୍କୁ ସେମାନଙ୍କ ଦାବି ସମ୍ପର୍କରେ ଅବଗତ ନଥିବା ଏବଂ ସେମାନଙ୍କ ସମସ୍ୟା ସମ୍ପର୍କରେ ସେ ଗତକାଲି ହିଁ ଜାଣିବାକୁ ପାଇଛନ୍ତି ବୋଲି ସୂଚନା ଦେଇଛନ୍ତି।

ଆନ୍ଦୋଳନରତ ଶିକ୍ଷକମାନେ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଆନ୍ଦୋଳନରତ ଶିକ୍ଷକଙ୍କ ଦାବି ହେଉଛି ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହେଉ। ସେମାନଙ୍କ ଅନ୍ୟାନ୍ୟ ଦାବି ମଧ୍ୟରେ ୨୦୦୧ ମସିହାରୁ ନିଯୁକ୍ତି ପାଇଥିବା ଅଧ୍ୟାପକମାନଙ୍କୁ ଇନକ୍ରିମେଣ୍ଟ ଦେବା ସହ ପୁରୁଣା ପେନସନ ଯୋଜନାକୁ ପୁନଃ କାର୍ଯ୍ୟକାରୀ କରିବା ଦାବି ରହିଛି।

୨୦୦୪ ମସିହା ପରେ ଯୋଗ ଦେଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକଙ୍କ ଚାକିରି ନିୟମିତ କରିବା ଓ ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତିରେ ସ୍ୱଚ୍ଛତାର ଅଭାବ ଥିବା ଏହି ଠିକା ଶିକ୍ଷକମାନେ ଅଭିଯୋଗ କରିଛନ୍ତି।

ସେପଟେ ଶିକ୍ଷକଙ୍କ ପ୍ରସଙ୍ଗ ଶୂନ୍ୟକାଳରେ ବିଧାନସଭାରେ ଉଠିଥିଲା। ଶିକ୍ଷକ ପ୍ରସଙ୍ଗକୁ ନେଇ ଗୃହରେ ତାତିଥିଲେ ବିଜେପି ଓ କଂଗ୍ରେସ ବିଧାୟକ। ବାଚସ୍ପତିଙ୍କ ପୋଡିୟମ୍ ତଳେ ବିରୋଧୀ ଜୋରଦାର ପ୍ରତିବାଦ କରିଥିଲେ। ବାଚସ୍ପତିଙ୍କ ରୁଲିଂ ପରେ ବି ସରକାର ଆଲୋଚନା କରିନଥିବାରୁ ଗୃହରେ ହଙ୍ଗାମା କରିଥିଲେ ବିରୋଧୀ। ଏହାପରେ ଗୃହ କାର୍ଯ୍ୟ ସ୍ୱାଭାବିକ ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି।

ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା କହିଛନ୍ତି, ଶିକ୍ଷକମାନେ ଜିଦରେ ଆନ୍ଦୋଳନ କରିବା ଉଚିତ୍ ନୁହେଁ। ସରକାର ତାଙ୍କ ଦାବି ପ୍ରତି ସଚେତନ ଅଛନ୍ତି। ଆର୍ଥିକ ବ୍ୟବସ୍ଥାକୁ ଆକଳନ କରି ସରକାର କିଛି ପଦକ୍ଷେପ ନିଶ୍ଚିତ ନେବେ।

ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ବାଚସ୍ପତିଙ୍କ ରୁଲିଂ ପରେ ଗଣ ଶିକ୍ଷା ସଚିବ ପ୍ରାଥମିକ ଶିକ୍ଷକ ସଂଘ ସହ ଆଲୋଚନା କରିଛନ୍ତି। ଗତକାଲି କିନ୍ତୁ ଦୁର୍ଭାଗ୍ୟର କଥା ହେଲା ସଚିବ କହୁଛନ୍ତି ମୁଁ ନୂଆ କରି ଆସିଛି। ଦାବି ସମ୍ପର୍କରେ ସେ ଅଜ୍ଞ। ଶିକ୍ଷକ ମାନେ ଦାବି ସମ୍ପର୍କରେ ପୂର୍ବରୁ ସରକାରଙ୍କୁ ଜଣାଇଛନ୍ତି। ଶିକ୍ଷକ ଆନ୍ଦୋଳନ ପାଇଁ ସ୍କୁଲରେ ତାଲା ପଡ଼ିଛି କିନ୍ତୁ ଗଣଶିକ୍ଷା ମନ୍ତ୍ରୀ ଯାଇ ପଦମପୁର ରେ ପ୍ରଚାର କରୁଛନ୍ତି, ଏହା ଦୁର୍ଭାଗ୍ୟ ଜନକ।

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଲକ୍ଷ ଲକ୍ଷ ଶିକ୍ଷକ ରାଜରାସ୍ତାରେ। ହେଲେ ଗଣଶିକ୍ଷା ମନ୍ତ୍ରୀ ଯାଇ ପଦ୍ମପୁରରେ ନିର୍ବାଚନ ପ୍ରଚାର କରୁଛନ୍ତି, ଏହା ଦୁର୍ଭାଗ୍ୟଜନକ। ଶିକ୍ଷକ ମାନଙ୍କ ୩ ଦଫା ଦାବି ସରକାର ନଶୁଣିଲେ ଗୃହ କାର୍ଯ୍ୟ ଚଳାଇ ଦେବୁନି।

Leave A Reply

Your email address will not be published.