ସିବିଏସଇ ଦଶମ ବୋର୍ଡ୍ ପରୀକ୍ଷାରେ ଓଡ଼ିଆ ଭାଷାକୁ ଅସମ୍ମାନ, ଭୁଲ୍ ପ୍ରଶ୍ନ ପଢି ଉତ୍ତର ଲେଖିଲେ ପିଲା
ସିବିଏସଇ ଦଶମ ବୋର୍ଡ ପରୀକ୍ଷାର ଓଡ଼ିଆ ପ୍ରଶ୍ନପତ୍ରରେ ଓଡ଼ିଆ ଭାଷାକୁ ଅସମ୍ମାନ । ୧୪ଟି ପ୍ରଶ୍ନରେ ୧୦ଟି ବନାନଗତ ତ୍ରୁଟି । ଏହା ବ୍ୟତୀତ କେଉଁଠି ଦୁଇଟି ଶବ୍ଦ ଯୋଡ଼ି ହୋଇ ଗୋଟିଏ ହୋଇ ଯାଇଛି ତ କେଉଁଠି ଗୋଟିଏ ଶବ୍ଦକୁ ୨ ଭାଗ କରି ଦିଆଯାଇଛି ।
ଭୁବନେଶ୍ୱର: ପୁଣି ଓଡ଼ିଆ ଭାଷାକୁ ଅସମ୍ମାନ ! ଓଡ଼ିଆ ଭାଷା ସମ୍ମିଳନୀରେ କାନ୍ତକବିଙ୍କୁ ‘କଣ୍ଠକବି’ କହି ଓଡ଼ିଆ ଭାଷାର ଯେପରି ଅପମାନିତ କରାଯାଇଥିଲା, ସେ କ୍ଷୋଭ ଏବେ ବି ମନରୁ ଯାଇନି । ଆଉ ଏହାରିଭିତରେ ଆଉ ଏକ ଭୟଙ୍କର ତ୍ରୁଟି ସାମ୍ନାକୁ ଆସିଛି । ତାହା ପୁଣି ସିବିଏସଇ ଦଶମ ବୋର୍ଡ ପରୀକ୍ଷାର ଓଡ଼ିଆ ପ୍ରଶ୍ନପତ୍ରରେ ।
ଗତ ୨୪ ତାରିଖରେ ଥିଲା ସିବିଏସଇ ବୋର୍ଡ ପରୀକ୍ଷାର ଓଡ଼ିଆ ବିଷୟ । ୧୧ ପୃଷ୍ଠାର ଏହି ପ୍ରଶ୍ନପତ୍ରରେ ଥିଲା ୧୪ଟି ପ୍ରଶ୍ନ । ଏହି ୧୪ଟି ପ୍ରଶ୍ନରେ ଥିଲା ୧୦ଟି ବନାନଗତ ତ୍ରୁଟି । ଏହା ବ୍ୟତୀତ କେଉଁଠି ଦୁଇଟି ଶବ୍ଦ ଯୋଡ଼ି ହୋଇ ଗୋଟିଏ ହୋଇ ଯାଇଛି ତ କେଉଁଠି ଗୋଟିଏ ଶବ୍ଦକୁ ୨ ଭାଗ କରି ଦିଆଯାଇଛି । ଯେମିତି ପ୍ରଶ୍ନପତ୍ରର ୮ମ ପୃଷ୍ଠାରେ ‘ଶିକାରଯୋଗୁ’, ‘ପରସ୍ପରମଧ୍ୟରେ’ ଶବ୍ଦ ଦୁଇଟି ଲଗାଇ ଲେଖାଯାଇଛି । ଅପରପକ୍ଷେ ‘ବିଜ୍ଞାନୀମାନେ’, ‘ଛାତ୍ରଛାତ୍ରୀମାନେ’ ପରି ଶବ୍ଦସବୁ ଗୋଟିଏ ଶବ୍ଦ ହୋଇଥିବା ବେଳେ ସେସବୁକୁ ଅଲଗା କରି ଲେଖାଯାଇଛି । ଏପରି ତ୍ରୁଟି ଏକାଧିକ ଥିବାବେଳେ ଆମେ ଉଦାର ହୃଦୟରେ କ୍ଷମା ଦେଇପାରୁ । ହେଲେ ଏହାଠାରୁ ସାଂଘାତିକ ତ୍ରୁଟିକୁ ଅଣଦେଖା କରାଯାଇ ନପାରେ । ସବୁଠାରୁ ଦୁଃଖର କଥା, ୭ ନମ୍ବର ପ୍ରଶ୍ନରେ ପିଲାଙ୍କୁ କୁହାଯାଇଛି ‘ଶୁଦ୍ଧ ପ୍ରୟୋଗ ଆଧାରରେ ଠିକ୍ ଶବ୍ଦ ବାଛି ଲେଖ ।’ ହେଲେ ଏଠାରେ ଶୁଦ୍ଧ ଶବ୍ଦ ହିଁ ଭୁଲ୍ ଭାବେ ଲେଖାଯାଇଛି । ଏଠାରେ ‘ଶୁଦ୍ଧ’କୁ ‘ଶୂଦ୍ଧ’ ଭାବେ ଲେଖା ଯାଇଛି ।
ସେହିପରି ୧ ନମ୍ବର ପ୍ରଶ୍ନରେ ‘ସର୍ବାଙ୍ଗୀନ’କୁ ‘ସର୍ବାଙ୍ଗୀଣ’ ଲେଖା ଯାଇଥିବା ବେଳେ ୫ ନମ୍ବର ପୃଷ୍ଠାରେ ‘ଦରବାର’କୁ ‘ଦରକାର’ ଏବଂ ୮ ନମ୍ବର ପ୍ରଶ୍ନରେ ‘ଆଖିରେ’ କୁ ‘ଆଖିଲେ’ ବୋଲି ଲେଖାଯାଇଛି । ୧୦ ନମ୍ବର ପ୍ରଶ୍ନରେ ‘ଉତ୍ତର ପର୍ଯ୍ୟାୟରୁ’ ବଦଳରେ ‘ଉତ୍ତର ପର୍ଯ୍ୟାୟକୁ’ ବୋଲି ଉଲ୍ଲେଖ ରହିଛି । ସେହି ପ୍ରଶ୍ନର ୩ ନମ୍ବର ବିଟରେ ‘ଅଭ୍ରକଂଶ’ ବଦଳରେ ‘ଅଭ୍ରଂକକ୍ଷ’ ବୋଲି ଲେଖାଯାଇଛି । ଯାହା ଖାଲି ମୁଦ୍ରଣ ଜନିତ ତ୍ରୁଟି ନୁହେଁ, ବରଂ ପ୍ରଶ୍ନକର୍ତ୍ତାଙ୍କର ଓଡ଼ିଶା ଭାଷା ଜ୍ଞନର ଅଭାବ ଥିବା ସ୍ପଷ୍ଟ କରୁଛି । ୧୨ ନମ୍ବର ପ୍ରଶ୍ନରେ ‘ମହାତ୍ମ୍ୟ’କୁ ‘ମାହାତ୍ମ୍ୟ’, ୧୩ ନମ୍ବର ପ୍ରଶ୍ନରେ ‘କହିଛନ୍ତି’କୁ ‘କରିଛନ୍ତି’ ଲେଖା ଯାଇଛି । ସେହିପିର ୧୪ ନମ୍ବର ପ୍ରଶ୍ନରେ ‘ଏହି ପଦିଏ କଥାରେ’କୁ ‘ଏକ ପଦିଏ କଥାରେ’ ବୋଲି ଲେଖାଯାଇଛି । ସେହି ପ୍ରଶ୍ନର ୨ ନମ୍ବର ବିଟରେ ‘କଳିଙ୍ଗର’ ବଦଳରେ ‘କବିଙ୍ଗର’ ବୋଲି ଉଲ୍ଲେଖ ରହିଛି ।
ଏତେ ସବୁ ତ୍ରୁଟି ଦେଖିଲେ ଏହା ଯେ ଏକ ବୋର୍ଡ୍ ପରୀକ୍ଷାର ପ୍ରଶ୍ନପତ୍ର ହୋଇଥିବ ବିଶ୍ବାସ ହୁଏନା । ସବୁଠାରୁ ବଡ଼ କଥା ହେଲା, ଦଶମ ଶ୍ରେଣୀ ସାହିତ୍ୟ ବହିରେ ଗୋଲୋକ ବିହାରୀ ଧଳଙ୍କର ଏକ ବିଷୟ ‘ମାତୃଭାଷା ଓ ଲୋକଶିକ୍ଷା’ ରହିଛି । ଏଥିରେ ଭାଷାଗତ ତ୍ରୁଟିକୁ ନେଇ ପିଲାମାନଙ୍କୁ ସଚେତନ କରାଯାଇଛି । ହେଲେ ସେହି ପିଲାଙ୍କ ସାମ୍ନାରେ ଏକ ତ୍ରୁଟିପୂର୍ଣ୍ଣ ପ୍ରଶ୍ନପତ୍ର ରଖାଯାଇଥିଲା ଏବଂ ତାହାକୁ ଦେଖି ସେମାନେ ଉତ୍ତର ଲେଖିବାକୁ ବାଧ୍ୟ ହୋଇଥିଲେ । ଏହା ଠାରୁ ବିଡମ୍ବନାର ବିଷୟ ଆଉ କ’ଣ ହୋଇପାରେ?
Comments are closed.