ଗୋପବନ୍ଧୁ ଓ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ନେଇ ଅସନ୍ତୋଷ, ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଦାବି
ଭୁବନେଶ୍ୱର: ଇଣ୍ଡିଆନ୍ ମେଡିକାଲ ଆସୋସିଏସନ, ଭୁବନେଶ୍ୱର ସଭାଗୃହରେ ଓଡ଼ିଶାର ଘରୋଇ ଓ କର୍ପୋରେଟ ଡାକ୍ତରଖାନାର ସିଇଓଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୋପବନ୍ଧୁ ଓ ଆୟୁଷ୍ମାନ ଭାରତ ଯୋଜନାର କାର୍ଯ୍ୟକାରିତା ନେଇ ଗଭୀର ଉଦବେଗ ପ୍ରକାଶ ପାଇଛି।
ଘରୋଇ ହସ୍ପିଟାଲ ଗୁଡ଼ିକରେ ରୋଗୀ ଚିକିତ୍ସା ପାଇଁ ବ୍ୟବହୃତ ସଫ୍ଟୱେୟାରରେ ଗୁରୁତର ତ୍ରୁଟି ଦେଖାଦେଇଛି। ବାରମ୍ବାର ୧୦ଟି ଓଟିପି ଆସିବା, ରୋଗୀଙ୍କ ଖର୍ଚ୍ଚ ପରିମାଣ ଜଣାନପଡ଼ିବା ଓ ପ୍ରିଣ୍ଟିଂ ସମସ୍ୟା ଭଳି ଅସୁବିଧା ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ୨୪ ଘଣ୍ଟା ଓଟିପି ସମସ୍ୟାରେ ଫସାଇ ରଖୁଛି। ଏହି ସଫ୍ଟୱେୟାରର କାର୍ଯ୍ୟକ୍ଷମତା ସେଭଳି ରହି ନାହିଁ ଯାହା ଏବେ ହେବାର ଆବଶ୍ୟକତା ରହିଛି। ଏହାଛଡ଼ା, ପ୍ୟାକେଜ୍ ଅନୁମୋଦନରେ ବିଳମ୍ବ ହେଉଥିବାରୁ ଜରୁରୀ ରୋଗୀଙ୍କ ଚିକିତ୍ସାରେ ଅସୁବିଧା ହେଉଛି।
ଅନେକ ଅନାବଶ୍ୟକ ଫଟୋ ଓ ରିପୋର୍ଟ ଦାଖଲ ବାଧ୍ୟତାମୂଳକ ହୋଇଥିବା ଏବଂ ନିର୍ଦ୍ଦିଷ୍ଟ ପରିମାଣ ଅର୍ଥ ନେଇ ମଧ୍ୟ ବିଲ୍ ମାଗିବା ଅଯୌକ୍ତିକ ବୋଲି ଅଭିଯୋଗ ହୋଇଛି। ଡିସଚାର୍ଜ ପରେ ଦିନେ-ଦୁଇଦିନରେ ଗୁରୁତର ହେଉଥିବା ରୋଗୀଙ୍କୁ ଏହି ଯୋଜନାରେ ପୁନଃ ଭର୍ତି କରାଯାଇପାରୁନି। ସବୁଠାରୁ ଗୁରୁତର ସମସ୍ୟା ହେଉଛି, ରୋଗୀଙ୍କ ପାଇଁ ନିର୍ଦ୍ଧାରିତ ପ୍ୟାକେଜ୍ ମୂଲ୍ୟ ପୂର୍ବ ତୁଳନାରେ ବହୁତ କମ୍। ଜୀବନରକ୍ଷାକାରୀ ଅସ୍ଥିଶଲ୍ୟ, ସ୍ନାୟୁଶଲ୍ୟ, ସ୍ତ୍ରୀ ବିଭାଗର ଇମ୍ପ୍ଲାଣ୍ଟ ଓ ହୃଦ୍ପିଣ୍ଡର ପେସ୍ମେକର ପାଇଁ ନିର୍ଦ୍ଧାରିତ ମୂଲ୍ୟ ଅପର୍ଯ୍ୟାପ୍ତ। ଉଦାହରଣ ସ୍ୱରୂପ, ପେସ୍ମେକରର ନିମ୍ନତମ ମୂଲ୍ୟ ଦେଢ଼ ଲକ୍ଷ ହୋଇଥିବା ବେଳେ ଆୟୁଷ୍ମାନ ଭାରତରେ ମାତ୍ର ୭୫ ହଜାର ନିର୍ଦ୍ଧାରଣ ହୋଇଛି, ଯାହା ଅବାସ୍ତବ।
ଉପସ୍ଥିତ ଘରୋଇ ଡାକ୍ତରଖାନାର ପ୍ରତିନିଧିମାନେ ଏହି ସଫ୍ଟୱେୟାର, ରୋଗୀ ଆଡମିଟ୍ ପ୍ରକ୍ରିୟା ଓ ପ୍ୟାକେଜ୍ ମୂଲ୍ୟ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବରୁ ଉନ୍ନତ ପ୍ୟାକେଜ୍ ଓ ଯୁକ୍ତିଯୁକ୍ତ ମୂଲ୍ୟ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ, ଅବାସ୍ତବ ମୂଲ୍ୟ ନିର୍ଦ୍ଧାରଣ ହୋଇଛି। ସମସ୍ତ ପ୍ରତିନିଧି ଏକମତ ହୋଇ କହିଛନ୍ତି ଯେ, ଆଗାମୀ ୧୫ ଦିନ ମଧ୍ୟରେ ଏହି ସମସ୍ୟାର ସଂଶୋଧନ ନ ହେଲେ, ରାଜ୍ୟର ଘରୋଇ ଚିକିତ୍ସାଳୟଗୁଡ଼ିକ ଏହି ସ୍ୱାସ୍ଥ୍ୟ ଯୋଜନାରୁ ଓହରିଯିବେ ବୋଲି ରାଜ୍ୟ ଘରୋଇ ଚିକିତ୍ସାଳୟ ଫୋରମ୍ର ସମ୍ପାଦକ ଡାଃ ଇନ୍ଦ୍ରମଣି ଜେନା ସ୍ପଷ୍ଟ କରିଛନ୍ତି।
Comments are closed.