Latest Odisha News

ପିଏମ୍ ଆବାସ ଯୋଜନାକୁ ନେଇ ଆରମ୍ଭରୁ କେଁ, ପଞ୍ଚାୟତ ଅଫିସରେ ପଡ଼ିଲା ତାଲା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ସାଢେ ୯ ଲକ୍ଷ ଲୋକଙ୍କ ତାଲିକା ପ୍ରକାଶ ପାଇଛି। ଏ ନେଇ ବିଭିନ୍ନ ପଞ୍ଚାୟତରେ ତାଲିକା ପ୍ରକାଶ ପାଇଛି। ହେଲେ ଆରମ୍ଭରୁ ହିଁ ତିଲାକରେ ପ୍ରକାଶ ପାଇଥିବା ନାଁକୁ ନେଇ ବିବାଦ ଦେଖାଦେଇଛି। କେଉଁଠି ନାବାଳକ ନାଁରେ ଘର ଆସିଥିବା ଚିଠା ପ୍ରକାଶ ପାଇଛି ତ ଆଉ କେଉଁଠି ସରକାରୀ କର୍ମଚାରୀଙ୍କ ପତ୍ନୀଙ୍କ ନାଁରେ ଘର ଆସିଥିବା ଅଭିଯୋଗ ହୋଇଛି। ଯାହା ଆଗାମୀ ଦିନରେ ରାଜ୍ୟ ରାଜନୀତିକୁ ସରଗରମ କରିବାକୁ ଯାଉଛି।

ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ବାଲେଶ୍ୱର ଓଡଙ୍ଗା ପଞ୍ଚାୟତରେ ପିଏମ୍ ଆବାସ ଯୋଜନାରେ ଘର ପାଇବା ନେଇ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି। ହେଲେ ଏହି ତାଲିକାରେ ଏପରି କିଛି ନାଁ ରହିଛି ଯାହା ବିବାଦ ବଢାଇ ଦେଇଛି। ତାଲିକାରେ ସରକାରୀ କର୍ମଚାରୀଙ୍କ ପତ୍ନୀ, ଗୋଟିଏ ପରିବାରର ଦୁଇ ଜଣଙ୍କ ନାମ ଏବଂ ନାବାଳକଙ୍କ ନାଁରେ ଘର ଆସିଥିବା ତାଲିକାରେ ପ୍ରକାଶ ପାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି କେନ୍ଦୁଝର ଆୟତିପୁର ପଂଚାୟତରେ ମଧ୍ୟ ହିତାଧିକାରୀ ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ଲୋକେ ପଞ୍ଚାୟତ ଅଫିସରେ ତାଲା ପକାଇ ଦେଇଛନ୍ତି।

ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ କହିଛନ୍ତି, ଏହା ଚୂଡାନ୍ତ ତାଲିକା ନୁହେଁ। ଯଦି କାହାର ଅଭିଯୋଗ ରହିଛି ହାତିଧିକାରୀ ତାଲିକାକୁ ନେଇ ତାହେଲେ ପଞ୍ଚାୟତ ଅଫିସରେ ଥିବା ଅଭିଯୋଗ ବାକ୍ସରେ ଅଭିଯୋଗ କରିପାରିବେ। ୨୪ ତାରିଖ ଯାଏ ଅଭିଯୋଗ କରିବାର ଅବଧି ରହିଛି। ଅଭିଯୋଗ ପାଇବା ପରେ ବ୍ଲକ ସ୍ତରୀୟ କମିଟି ଘଟଣାସ୍ଥଳକୁ ଯାଇ ଅଭିଯୋଗ ଆଧାରରେ ଅନୁଧ୍ୟାନ କରିବ। ଯଦି ସେ ଅଯୋଗ୍ୟ ବୋଲି ଜଣାପଡିବ ତାହେଲେ ତାଙ୍କୁ ବାଦ ଦିଆଯିବ ଆଉ ତାଙ୍କ ତଳେ ଥିବା ନାଁକୁ ଯୋଗ୍ୟ ହିତାଧିକାରୀ ତାଲିକାରେ ଯୋଡା ଯିବ।

ସେପଟେ ଏହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି। ବିଜେପିର ବାରମ୍ବାର ଅଭିଯୋଗ ଓ ଚେତାବନୀ ସତ୍ୱେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଦଳୀୟ ଆଧାରରେ ଘର ବାଣ୍ଟୁଛନ୍ତି ବୋଲି ବିଜେପି କହିଛି। ତେଣୁ ଏବେ ବି ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇ ରହିଯାଇଛନ୍ତି । ଓଡ଼ିଶାରେ ୨୦୧୮-୧୯ରେ ଯେଉଁ ତାଲିକା ପ୍ରସ୍ତୁତ ହୋଇଥିଲା ସେଥିରୁ ରାଜନୈତିକ ଗନ୍ଧ ଆସୁଥିଲା। ଚଂଚକତା କରାଯାଇ କେବଳ ଶାସକ ବିଜେଡି ସହ ସଂପୃକ୍ତ ଥିବା ଲୋକମାନଙ୍କୁ ପକ୍କା ଘର ବଂଟନ କରାଯାଇଥିଲା। ୨୦୧୯ ମେ’ମାସରେ ହୋଇଥିବା ଫନିି ବାତ୍ୟା କାରଣରୁ ଯେଉଁ ଲୋକଙ୍କ ଘର ଭାଙ୍ଗିଥିଲା ତାହାର ତାଲିକା ମଧ୍ୟ ଯୋଡା ଯାଇଥିଲା । ୨୦୧୯ ଅକ୍ଟୋବର ମାସରେ ଏନେଇ ବିଜେପି ଅଭିଯୋଗ କରିବା ପରେ ରାଜ୍ୟ ସରକାର ନିଜ ଭୁଲକୁ ସ୍ୱୀକାର କରିଥିଲେ । ୨୦୨୦ରେ ଯୋଗ୍ୟ ଅଯୋଗ୍ୟ ପାଇଁ ସବୁ ବ୍ଲକରେ ବାକ୍ସ ବସାଯାଇଥିଲେ ବି ଏଯାଏଁ ଅଧିକାଂଶ ସ୍ଥାନରେ ମଧ୍ୟ ବସାଯାଇନାହିଁ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ସେ ଆହୁରି କହିଛନ୍ତି, ଯୋଗ୍ୟ ହିତାଧିକାରୀଙ୍କୁ ଘର ନମିଳିଲେ ବିଜେପି ନବୀନ ନିବାସ ଘେରିବ।

ସେପଟେ ବିଜେଡି ବିଧାୟକ ତଥା ପୂର୍ବତନ ପଞ୍ଚାୟତରାଜି ମନ୍ତ୍ରୀ ପ୍ରଫୁଲ ସାମଲ କହିଛନ୍ତି, ଯୋଗ୍ୟ ହିତାଧିକାରୀ ଘର ପାଉଛନ୍ତି। ହେଲେ ବିଜେପି ବାରମ୍ବାର ଏପରି ଅନିୟମିତତା କଥା କହି ଭୋଟ୍ ବ୍ୟାଙ୍କ ରାଜନୀତି କରୁଛି।

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଆଦିବାସୀ ଲୋକଙ୍କୁ ଘର ଦିଆଯାଉ। ଯୋଗ୍ୟ ଲୋକ ଘର ନପାଇଲେ ବିରାଟ ବିପ୍ଲବ ହେବ।

 

Comments are closed.