Latest Odisha News

ଗଞ୍ଜାମରେ ୨୦ଟି ଘରୋଇ କ୍ଲିନିକ୍‌ରେ ମାଗଣା ଅଲ୍‌ଟ୍ରାସାଉଣ୍ଡ; ଲକ୍ଷ୍ୟ ସୁରକ୍ଷିତ ମାତୃତ୍ୱ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ସୁରକ୍ଷିତ ମାତୃତ୍ୱ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଛନ୍ତି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ଜିଲାର ୨୦ଟି ଘରୋଇ ଅଲ୍‌ଟ୍ରାସାଉଣ୍ଡ କ୍ଲିନିକ୍‌ରେ ଗର୍ଭବତୀଙ୍କୁ ମାଗଣାରେ ଅଲ୍‌ଟ୍ରାସାଉଣ୍ଡ ପରୀକ୍ଷା ସୁବିଧା ମିଳିବ। ସୁରକ୍ଷିତ ଜନନୀ ସହାୟତା(ଏସ୍‌ଜେଏସ୍‌) ଯୋଜନାରେ ଏହି ଅଭିଯାନର ନାମ ଦିଆଯାଇଛି ‘ନିରୀକ୍ଷଣ’।

ଜଣେ ଗର୍ଭବତୀ ମାତ୍ର ତିନି ଥର ମାଗଣାରେ ଏହି ସୁବିଧା ପାଇପାରିବେ। ତେବେ ଏଥି ପାଇଁ ସରକାରୀ ମେଡ଼ିକାଲରୁ ଡାକ୍ତରଙ୍କ ଲିଖିତ ପରାମର୍ଶ ପତ୍ର ଆବଶ୍ୟକ। ଗର୍ଭାବସ୍ଥାର ୧୨ ସପ୍ତାହରେ ପ୍ରଥମ, ୧୬ରୁ ୩୪ ସପ୍ତାହ ଭିତରେ ଦ୍ୱିତୀୟ ଏବଂ ୩୬ ସପ୍ତାହରେ ତୃତୀୟ ପରୀକ୍ଷାର ସୁବିଧା ଜଣେ ଗର୍ଭବତୀ ନେଇପାରିବେ ।

ଜିଲାରେ ଏହି ଅଭିଯାନର ତଦାରଖ ପାଇଁ ପ୍ରଜନନ ଏବଂ ଶିଶୁ ସ୍ୱାସ୍ଥ୍ୟ ପ୍ରବନ୍ଧକ(ଡିଏମ୍‌ଆରସିଏଚ୍‌) ଶକ୍ତି କୁମାର ଦିଗାଲଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏ ସଂପର୍କରେ ଜିଲାପାଳ ପରିଡ଼ାଙ୍କ ତରଫରୁ ସମସ୍ତ ସରକାରୀ ଡାକ୍ତରଖାନା ଏବଂ ସଂପୃକ୍ତ ଘରୋଇ ଅଲ୍‌ଟ୍ରାସାଉଣ୍ଡ କ୍ଲିନିକ୍‌ଗୁଡ଼ିକୁ ଚିଠି ଲେଖାଯାଇଛି ।

ବର୍ଷକୁ ଏଥି ପାଇଁ ପାଖାପାଖି ୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

ଏହି ଯୋଜନା କିଭଳି କାର୍ଯ୍ୟ କରିବ, ସେନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି । ଘରୋଇ କ୍ଲିନିକ୍‌କୁ ପ୍ରତ୍ୟେକ ଅଲ୍‌ଟ୍ରାସାଉଣ୍ଡ ପିଚ୍ଛା ସ୍ୱାସ୍ଥ୍ୟ ବିଭାଗ ତରଫରୁ ୧୫୦ ଟଙ୍କା ପ୍ରଦାନ କରାଯିବ। ପ୍ରତ୍ୟେକ ମାସର ଶେଷରେ ଯେତିକି ପରୀକ୍ଷା ହୋଇଥିବ, ତଦନୁଯାୟୀ ଟଙ୍କା ଦିଆଯିବ।

ଘରୋଇ କ୍ଲିନିକ୍‌ ଗୁଡ଼ିକରେ ଏହି ଯୋଜନାର ଲାଭାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ରେଜିଷ୍ଟ୍ରାର୍‌ ରହିବ। ସେମାନେ ପ୍ରାକ୍‌ ଗର୍ଭାବସ୍ଥା ଏବଂ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ(ପିସି ଆଣ୍ଡ ପିଏନ୍‌ଡିଟି) ନିୟମ ପାଳନ କରିବାକୁ ବାଧ୍ୟ। ଜିଲାରେ କିଭଳି ଏହି ଅଭିଯାନ ସଫଳତାର ସହ କାର୍ଯ୍ୟକାରୀ ହୋଇପାରିବ, ସେନେଇ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ୧୦ ଜଣିଆ ଟିମ୍‌ ଗଠନ କରାଯାଇଛି।

ଅପରପକ୍ଷେ ଏହି ଯୋଜନା କାର୍ଯ୍ୟକାରୀ ପୂର୍ବରୁ ଗୁରୁବାର ଜିଲାର ସମସ୍ତ ଘରୋଇ ଅଲଟ୍ରାସାଉଣ୍ଡ୍‍ କ୍ଲିନିକ୍‍ ମାଲିକ ଏବଂ ସେଠାରେ ସେବା ଯୋଗାଉଥିବା ଡାକ୍ତରମାନଙ୍କୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲାପାଳ ଲୀନା କୁମାରୀ ଖେସ୍‌ ଏଥିରେ ଅଧ୍ୟକ୍ଷତା କରିଥିଲେ ।

ଏଣିକି ଜିଲାର ସମସ୍ତ ଅଲ୍‌ଟ୍ରାସାଉଣ୍ଡ କ୍ଲିନିକ୍‌ ଉପରେ କଡ଼ା ନଜର ରଖାଯିବ। ଭ୍ରୂଣ ଚିହ୍ନଟ ନକରିବାକୁ ଶପଥ ପାଠ କରାଯିବ । ବ୍ଲକସ୍ତରୀୟ ଅଧିକାରୀମାନେ କଡ଼ା ନଜର ରଖିବେ। ପିସିପିଏନ୍‍ଡିଟି ନିୟମକୁ ସଠିକ୍‍ ଭାବେ ପାଳନ କରିବା ଲାଗି ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ।

ବର୍ତ୍ତମାନ ପଡୋଶୀ ଆନ୍ଧ୍ର ପ୍ରଦେଶରେ ଥିବା ଡାଇଗ୍ନୋସିସ୍‍ ସେଣ୍ଟର୍‍ ଗୁଡିକୁ ଭ୍ରୂଣ ଚିହ୍ନଟ ପାଇଁ ଲୋକେ ଯିବାର ସମ୍ଭବନା ରହିଛି। ଏଥିପାଇଁ ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଅତିରିକ୍ତ ଜିଲାପାଳ ଖେସ୍‍ ଗୁରୁତ୍ୱାରୋପ କରିଥିଲେ।

Leave A Reply

Your email address will not be published.