Latest Odisha News

ସୁଭଦ୍ରା ଯୋଜନାରେ ପୁରୀରେ ୪ ଲକ୍ଷ ୪୮ ହଜାର ଫର୍ମ ବଣ୍ଟନ

ପୁରୀ: ପୁରୀ ଜିଲ୍ଲାରେ ସୁଭଦ୍ରା ଯୋଜନାରେ ସେପ୍ଟେମ୍ବର ୫ ସୁଦ୍ଧା ୪,୪୮,୧୫୬ ସଂଖ୍ୟକ ଫର୍ମ ବଣ୍ଟନ କରାଯାଇଛି। ଏହି ଫର୍ମ ଗୁଡିକ ଅଙ୍ଗନବାଡି କର୍ମୀ ମାନେ ଘରକୁ ଘର ବୁଲି ଯୋଗ୍ୟ ଆବେଦନକାରୀ ଙ୍କୁ ପ୍ରଦାନ କରୁଥିବା ପ୍ରକାଶ କରିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ।

ସୁଭଦ୍ରା ଆବେଦନକାରୀ ମାନେ ଜନସେବା କେନ୍ଦ୍ର ମାନଙ୍କ ରେ ଅଯଥା ଭିଡ ନ କରିବାକୁ ଅନୁରୋଧ କରିଛନ୍ତି। ସେପ୍ଟେମ୍ବର ୧୭ ତାରିଖ ପରେ ମଧ୍ୟ ଆବେଦନ କରା ଯାଇପାରିବ ଓ ଉପଯୁକ୍ତ ହିତାଧିକାରୀ ତାଙ୍କର ସୁଭଦ୍ରା ଅର୍ଥ ପାଇ ପାରିବେ। ଆଧାର ରେ ମୋବାଇଲ ନମ୍ବର ସଂଲଗ୍ନ ବାଧ୍ୟତାମୂଳକ ନ ଥିବାରୁ ଏଥିପାଇଁ ଆଦୌ ଆଶଙ୍କା ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସୁଭଦ୍ରା ଯୋଜନାରେ ଫର୍ମ ପ୍ରଦାନ ଠାରୁ ପଞ୍ଜିକରଣ ପର୍ଯ୍ୟନ୍ତ ବିନା ମୂଲ୍ୟରେ କରାଯାଉଛି। ଏଥିରେ କେହି ଆବେଦନକାରୀଙ୍କ ଠାରୁ ଅର୍ଥ ଦାବି କରୁଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କଡା ଚେତାବନୀ ଦେଇଛନ୍ତି।

ଜନତାଙ୍କୁ ସଚେତନ କରିବା ଲକ୍ଷ୍ୟରେ ୭ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ସଚେତନତା ରଥ ବ୍ଲକ ଓ ପୌରପାଳିକା ଅଞ୍ଚଳ ପରିକ୍ରମା କରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜିଲ୍ଲାର ୧୧ଟି ବ୍ଲକ ଓ ପୁରୀ ପୌରପାଳିକା ଅଞ୍ଚଳରେ ଏହି ଫର୍ମ ବିନା ମୂଲ୍ୟରେ ଆବେଦନକାରୀଙ୍କୁ ବଣ୍ଟନ କାର୍ଯ୍ୟ ଚାଲିଛି। ଜିଲ୍ଲା ର ଧାର୍ଯ୍ୟ ଲକ୍ଷ୍ୟ ୭ ଲକ୍ଷ ୪୦ ହଜାର ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬,୬୧,୪୩୪ ଫର୍ମ ଜିଲ୍ଲା ପକ୍ଷରୁ ବ୍ଲକ ଓ ପୌରପାଳିକାକୁ ଯୋଗାଇ ଦିଆଯାଇଛି । ସେଥି ମଧ୍ୟରୁ ଅଙ୍ଗନବାଡ଼ି କର୍ମୀ ମାନଙ୍କ ମାଧ୍ୟମରେ ୪,୩୭,୭୯୨ ଫର୍ମ, ସିଏସସି ମାଧ୍ୟମରେ ୮,୩୯୫ ଫର୍ମ ଓ ମୋ ସେବା କେନ୍ଦ୍ର ମାଧ୍ୟମରେ ୧୯୬୯ ଫର୍ମ ବଣ୍ଟା ଯାଇଛି। ଜିଲ୍ଲାରେ ମୋଟ ୯୧୯ ସିଏସସି, ୨୫୫ ମୋ ସେବା କେନ୍ଦ୍ର ରହିଛି। ଏହି କେନ୍ଦ୍ର ମାନଙ୍କ ରେ ୨୦୪୭୯ ଗୋଟି ଫର୍ମ ସଂଗ୍ରହ ହୋଇ ଥିବା ବେଳେ ୨୩୧୦ ଟି ଫର୍ମ ପଞ୍ଜିକରଣ ହୋଇଛି।

ତେବେ ଆଜି ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ମମତାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରଣତି ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

 

Comments are closed.