Latest Odisha News

ମାଲକାନଗିରିର ୧ ଲକ୍ଷ ୫୫ ହଜାର ୮୨୩ ହିତାଧିକାରୀ ପାଇବେ BSKY ସ୍ମାର୍ଟ କାର୍ଡ

ଭୁବନେଶ୍ବର : ଆସନ୍ତାକାଲି ମାଲକାନଗିରି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଲୋକଙ୍କୁ ବଣ୍ଟାଯିବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ । ଆଦିବାସୀ ଅଧ୍ୟୁଷିତ ସୀମାନ୍ତ ମାଲକାନଗିରି ଜିଲ୍ଲାରେ ଏହି BSKY ସ୍ମାର୍ଟ କାର୍ଡକୁ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ବିଜୁ ଜନତା ଦଳର କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମରେ ୧୦ ଜଣ ନିଗମ ଅଧକ୍ଷ ମଧ୍ୟ ଯୋଗଦେବେ । ସ୍ଥାନୀୟ ସଂସ୍କୃତି ଭବନରେ ଏହି ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ।

ଜିଲ୍ଲାରେ ମୋଟ ୧ ଲକ୍ଷ ୫୫ ହଜାର ୮୨୩ ହେଲଥ୍‌ କାର୍ଡ ବଣ୍ଟନ କରାଯିବ । ଏହି କାର୍ଡ ଦ୍ବାରା ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଯାଏଁ ପ୍ରତିବର୍ଷ ସ୍ବାସ୍ଥ୍ୟ ବୀମା ମିଳିବ । କାଲିମେଳା ବ୍ଲକରେ ସର୍ବାଧିକ ୩୬ ହଜାର ୮୬୨ ଜଣ ହିତାଧିକାରୀ ରହିଥିବା ବେଳେ, ମାଲକାନଗିରି ବ୍ଲକରେ ୨୬ ହଜାର ୮୩୯ ଜଣ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ । ସେହିପରି ମାଥିଲିରେ ୨୨ ହଜାର ୮୮୯, କୋରୁକୋଣ୍ଡାରେ ୧୮ ହଜାର ୫୫୦, ଚିତ୍ରକୋଣ୍ଡାରେ ୧୬ ହଜାର ୭୮୮, ଖଇରପୁଟରେ ୧୪ ହଜାର ୭୩୮, ପଡିଆ ବ୍ଲକରେ ୧୧ ହଜାର ୭୭୯, ମାଲକାନଗିରି ପୌର ପରିଷଦରେ ୫ ହଜାର ୧୭୩ ଏବଂ ବାଲିମେଳା ଏନଏସିରେ ୨ ହଜାର ୨୦୫ ଜଣ ହିତାଧିକାରୀ ଏହି ସୁବିଧା ପାଇବେ । ଏଥିପାଇଁ ୩୮୧ଟି ସ୍ବାସ୍ଥ୍ୟ କାର୍ଡ ବିତରଣ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ଆସନ୍ତା ୨୧ରୁ ୨୫’ ତାରିଖ ମଧ୍ୟରେ ସମସ୍ତ କାର୍ଡ ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦକୁ ମନ୍ତ୍ରୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି । ପଡିଆ ବ୍ଲକ ପାଇଁ ମନ୍ତ୍ରୀ ନବକିଶୋର ଦାସଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ, ମାଲକାନଗିରି ବ୍ଲକ ପାଇଁ ମନ୍ତ୍ରୀ ସମୀର ରଞ୍ଜନ ଦାଶ, କାଲିମେଳା ବ୍ଲକ ପାଇଁ ଜଗନ୍ନାଥ ସାରକା, କୋରକୋଣ୍ଡା ବ୍ଲକ ପାଇଁ ପଦ୍ମିନୀ ଦିଆନ୍, ମାଥିଲି ବ୍ଲକ ପାଇଁ ମନ୍ତ୍ରୀ ଅରୁଣ ସାହୁ, ଖଇରପୁଟ ବ୍ଲକ ପାଇଁ ବିକ୍ରମ କେଶରୀ ଆରୁଖ, ଚିତ୍ରକୋଣ୍ଡା ବ୍ଲକ ପାଇଁ ତୁଷାରକାନ୍ତି ବେହେରା, ମାଲକାନଗିରି ପୌର ପରିଷଦ ପାଇଁ ମନ୍ତ୍ରୀ ପଦ୍ମନାଭ ବେହେରା, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପାଇଁ କୁନା ତ୍ରିପାଠୀଙ୍କୁ ଦାୟିତ୍ବ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Leave A Reply

Your email address will not be published.