ଭୁବନେଶ୍ବର: ବିଜେଡି ନେତା ରାଜା ଚକ୍ରଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର । କହିଛନ୍ତି, ରାଜା ଚକ୍ରଙ୍କୁ ତତ୍କାଳୀନ କେନ୍ଦୁଝର ଜିଲ୍ଲାପାଳ ଓ ଏସପି ପ୍ରୋତ୍ସାହନ ଦେଇଥିଲେ । ଯେତିକି ଖଣି ଖାଦାନ ଲୁଟ ହେଇଛି, ଯେତିକି ଅର୍ଥନୈତିକ ଅପରାଧ ହେଇଛି, ସେଥିରେ ତତ୍କାଳୀନ ଏସପି ଓ ଜିଲ୍ଲାପାଳ ବି ଭାଗିଦାର ବୋଲି ବଦ୍ରି କହିଛନ୍ତି । ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରିପୋର୍ଟ ଦେଇଥିବା ବି କହିଛନ୍ତି ବଦ୍ରି । ଏପରିକି ଏକା ରାଜା ଚକ୍ରଙ୍କୁ ଧରିଲେ ଚଳିବନି, ଏଥିରେ ସେତେବେଳର ଜିଲ୍ଲାପାଳ ଓ ଏସପି ମଧ୍ୟ ସଂପୃକ୍ତ ଥିବା ବଦ୍ରି ପାତ୍ର କହିଛନ୍ତି ।
ପ୍ରୋତ୍ସାହନ ଦେଉଥିଲେ ଜିଲ୍ଲାପାଳ, ଏସପି !
ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ରାଜା ଚକ୍ରଙ୍କୁ ଜିଲ୍ଲା ପ୍ରଶାସନ ପୂରା ପ୍ରୋତ୍ସାହନ ଦେଉଥିଲା । ରାଜାଙ୍କୁ ତତ୍କାଳୀନ ଜିଲ୍ଲାପାଳ, ଏସପି ସହଯୋଗ କରିଥିଲେ । ରାଜା ଚକ୍ରଙ୍କ କଥାରେ ପୋଲିସ ପ୍ରଶାସନ ଚାଲିଥିଲା ବୋଲି ବିସ୍ଫୋରକ ବୟାନ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର । ଖଣିଠୁ ଚାଲାଣ, ସବୁବେଳେ ରାଜାଙ୍କୁ ଖୋଜା ପଡୁଥିଲା । ତତ୍କାଳୀନ ଏସପି, ଜିଲ୍ଲାପାଳ ରାଜାଙ୍କ ଜରିଆରେ ରୋଜଗାର କରିଛନ୍ତି । ତେଣୁ କେବଳ ରାଜାଙ୍କୁ ଧରିଲେ ହେବନି, ଏଥିରେ ତତ୍କାଳୀନ ଜିଲ୍ଲାପାଳ ଓ ଏସପି ପୂର୍ଣ୍ଣଭାବେ ସଂପୃକ୍ତ । କେତେଟଙ୍କା ରୋଜଗାର ହେଇଛି? ଟଙ୍କା କୁଆଡେ ଯାଇଛି? ସେମାନଙ୍କୁ ଧରିଲେ ଜଣାପଡିବ ବୋଲି ବଦ୍ରି କହିଛନ୍ତି ।
ରାଜା ଚକ୍ରଙ୍କୁ ନେଇ ଜଣାଇଥିଲେ ବଦ୍ରି
ଭିକେ ପାଣ୍ଡିଆନଙ୍କୁ ରାଜା ଚକ୍ରଙ୍କ ସଂପର୍କରେ ପୂର୍ବରୁ ଜଣାଇଥିଲେ ବଦ୍ରି ପାତ୍ର । ସେ ନିର୍ବାଚନ ପୂର୍ବରୁ କେନ୍ଦୁଝରକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କନଫିଡେନ୍ସିଆଲ ରିପୋର୍ଟ ବି ଦେଇଥିଲେ। ଅନିୟମିତତା ସଂପର୍କରେ ଜଣାଇବା ସହ ଦଳର କ୍ଷତି ଘଟିପାରେ ବୋଲି ଚେତାଇଥିଲେ । ଦୁର୍ନୀତି ଚାଲିଥିବା ଓ ଏଥିପାଇଁ ଲୋକଙ୍କର ଅବିଶ୍ବାସ ବଢୁଥିବା ନେଇ ବଦ୍ରି କହିଥିଲେ । ତତ୍କାଳୀନ ଏସପି, ଜିଲ୍ଲାପାଳଙ୍କ ପ୍ରୋତ୍ସାହନ ମିଳିବାରୁ ନୀତି ଅନୀତି ମାନିଲେନି, ଟଙ୍କା ରୋଜଗାରକୁ ବଡ଼ ଭାବିଲେ । ଦଳ ଗୌଣ ହେଇଗଲା । ବିଜେଡିକୁ ନେଇ ଲୋକଙ୍କର ଭାବନା ବଦଳିଗଲା ବୋଲି ବଦ୍ରି କହିଛନ୍ତି ।
ରାଜା ଚକ୍ରଙ୍କ ପରେ କିଏ?
ତତ୍କାଳୀନ ଜିଲ୍ଲାପାଳ ଓ ଏସପିଙ୍କ ପ୍ରୋତ୍ସାହନରେ ରାଜା ଚକ୍ର କଳା ସାମ୍ରାଜ୍ୟ ବିଛାଇଥିବା ଅଭିଯୋଗ ହେଉଛି । ତେବେ ରାଜା ଦିନେ ବଦ୍ରି ପାତ୍ରଙ୍କର ଖାସ୍ ଥିଲେ । ସମୟ ସହ ରାଜାଙ୍କୁ ବଦ୍ରିଙ୍କ ବିରୋଧରେ ଅସ୍ତ୍ର ଭାବେ ବ୍ୟବହାର କରାଯାଇଥିବା ଚର୍ଚ୍ଚା ହେଉଛି । ଦୁର୍ନୀତିର ଚେର ଅନେକ ବାଟ ଲମ୍ବିଥିବା କଥା ବଦ୍ରି କହୁଛନ୍ତି । ବଡବିଲ ଖଣି ଅଞ୍ଚଳରେ ଅଧିକାଂଶ ଖଣିରେ ରାଜାଙ୍କର ପ୍ଲାଣ୍ଟ ରହିଛି । ଏଥିରୁ କୁଆଡେ ରାଜା ମାସକୁ ଶହେ କୋଟି ରୋଜଗାର କରୁଥିବା କୁହାଯାଉଛି । କେନ୍ଦୁଝର ଲଘୁ ଖଣିଜ ବ୍ୟବସାୟରେ ରାଜାଙ୍କର ବେଶ ପ୍ରଭାବ ରହିଥିଲା । ଜିଲ୍ଲାରେ ତାଙ୍କର ଅନେକ କ୍ରସର ରହିଥିବା ବେଳେ ସେ କଳାପଥର ପାହାଡ଼ ଖୋଲି ଟଙ୍କା କମାଉଥିବା ବି ଅଭିଯୋଗ ହୋଇଛି । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ୍ ସୋସାଇଟି ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏଥିରେ ରାଜାଙ୍କ ସହ ବିଜେଡିର ଅନେକ ହେଭିଓ୍ବେଟଙ୍କ ସଂପୃକ୍ତି ରହିଥିବା କୁହାଯାଉଛି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ଜିଲ୍ଲାରେ ହିଁ ଖଣି ଦୁର୍ନୀତିକାରୀଙ୍କୁ ନିସ୍ତାର ମିଳିବନି ବୋଲି କହିଥିଲେ । ଖଣି ଦୁର୍ନୀତିରେ ବଡ ଲିଙ୍କ ଭାବେ ରାଜା ଚକ୍ରଙ୍କୁ ଗିରଫ କରିବା ସହ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ତେବେ ପ୍ରଶ୍ନ ଉଠୁଛି କେବଳ ତତ୍କାଳୀନ ଜିଲ୍ଲାପାଳ, ଏସପି ନା ଆହୁରି ଉପରୁ ରାଜା ଚକ୍ରଙ୍କୁ ମିଳିଥିଲା ଛତ୍ରଛାୟା? କେବଳ ଜିଲ୍ଲାସ୍ତରରୁ ଏତେ ବଡ଼ ଦୁର୍ନୀତି ସମ୍ଭବ କି ? ବିଜେଡିର ହେଭିଓ୍ବେଟ ନେତାଙ୍କ ସଂପୃକ୍ତି ନେଇ ଅଭିଯୋଗ ହେଉଥିବା ବେଳେ, ସେମାନଙ୍କୁ ପଚରାଉଚରା କରିବ କି ଇଓଡବ୍ଲୁ? ଯଦି ବଦ୍ରି ପାତ୍ର ସତରେ ପାଣ୍ଡିଆନଙ୍କୁ ରିପୋର୍ଟ ଦେଇଥିଲେ, ତେବେ ଦୁର୍ନୀତି ନେଇ ବିଜେଡି ସରକାର କାହିଁକି ଆକ୍ସନ ନେଲେନି? ସରକାରଙ୍କ ଅଜାଣତରେ ଜିଲ୍ଲାପାଳ, ଏସପିଙ୍କ ପ୍ରୋତ୍ସାହନରେ କେମିତି ଚାଲିଥିଲା ଏତେବଡ଼ ଦୁର୍ନୀତି? ଦୁର୍ନୀତିର ଚେର କେତେବାଟ ଲମ୍ବିଛି? ରାଜା ଚକ୍ରଙ୍କ ସହ ଆଉ କେଉଁ ମାନେ ସଂପୃକ୍ତ? କ୍ରାଇମବ୍ରାଞ୍ଚ ଜାଲରେ ପଡିବେ କି ବଡ଼ମାଛ?