Latest Odisha News

BREAKING NEWS

ମ୍ୟାଲେରିଆ, ଡେଙ୍ଗୁ ଓ ଜାପାନୀ ଜ୍ୱର ମୃତ୍ୟୁର ସମୀକ୍ଷା ପାଇଁ ଗଠନ ହେଲା ଜିଲ୍ଲା ଓ ରାଜ୍ୟସ୍ତରୀୟ କମିଟି

ଭୁବନେଶ୍ୱର: ମ୍ୟାଲେରିଆ, ଡେଙ୍ଗୁ ଏବଂ ଜାପାନୀ ଜ୍ୱରର ସମୂଳ ବିଲୋପ ଲକ୍ଷ୍ୟ ନେଇ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ମ୍ୟାଲେରିଆ, ଡେଙ୍ଗୁ ଓ ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ ତାହାର ଅଡିଟ୍‌ କରାଯିବ। ଏଥିଲାଗି ଗଠନ ହେଲା ଜିଲ୍ଲା ଓ ରାଜ୍ୟସ୍ତରୀୟ କମିଟି। ଏନେଇ ମଙ୍ଗଳବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଯଦି ମ୍ୟାଲେରିଆ, ଡେଙ୍ଗୁ ଏବଂ ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୁଏ ତେବେ ଏହାର କାରଣ ସ୍ପଷ୍ଟ କରିବା ଲାଗି ମହାମାରୀ ବିଜ୍ଞାନ ଅନୁସନ୍ଧାନ କରାଯିବ। ପୂର୍ବରୁ ଉପରୋକ୍ତ ତିନି ରୋଗକୁ ରାଜ୍ୟ ସରକାର ବିଜ୍ଞପିତ ରୋଗ ଭାବେ ଘୋଷଣା କରିଛନ୍ତି। ମୃତ୍ୟୁର ସଠିକ୍‌ କାରଣ ଜାଣିବା ପାଇଁ ଏପରି ପଦକ୍ଷେପ ନେବା ଜରୁରୀ ହେବ।

ବିଭାଗ ପକ୍ଷରୁ କୁହାଯାଇଛି ଯେ ମୃତ୍ୟୁର ଅଡିଟ୍‌ ପାଇଁ ଜିଲ୍ଲା ସ୍ତରରେ ଏକ କମିଟି ଗଠନ କରାଯିବ। ଏଥିରେ ସମ୍ପୃକ୍ତ ସିଡିଏମ୍‌ଓ/ପିଏଚ୍‌ଓ ମୁଖ୍ୟ ରହିବେ ଏବଂ ଜିଲ୍ଲା ହସ୍ପିଟାଲ/ସବ୍‌ ଡିଭିଜନ ହସ୍ପିଟାଲ/ସିଏଚ୍‌ସି ଅଧିକ୍ଷକ, ଏହିପିଏଚ୍‌ଓ, ବିଶେଷଜ୍ଞ ଡାକ୍ତର (ମେଡିସିନ୍‌/ ଶିଶୁ/ ଆଇସିୟୁ ଅଧିକାରୀ) ସଦସ୍ୟ ନିଯୁକ୍ତ ହେବେ। ସେହିପରି ମହାନଗର ନିଗମ ଅଞ୍ଚଳ କମିଟିରେ ସିଡିଏମ୍‌ ଏବଂ ପିଏଚ୍‌ଓ, ଏଡିପିଏଚ୍‌ଓ ଏବଂ ବିଷୟବସ୍ତୁ ସମ୍ପର୍କିତ ବିଶେଷଜ୍ଞ ଡାକ୍ତର ସଦସ୍ୟ ରହିବେ।

ଅପରପକ୍ଷେ ମୃତ୍ୟୁର ଏପିଡେମିଓଲୋଜିକାଲ ଅନୁସନ୍ଧାନ ପାଇଁ ଗଠିତ କମିଟିରେ ଏଡିପିଏଚ୍‌ଓ (ଭିବିଡି), ଏପିଡେମିଓଲୋଜିଷ୍ଟ, ଭିବିଡି ବିଶେଷଜ୍ଞ, ମାଇକ୍ରୋବାୟୋଲୋଜିଷ୍ଟ, ସିଏଚ୍‌ସିର ଭାରପ୍ରାପ୍ତ ଅଧିକାରୀ ରହିବେ। ତଦନ୍ତ ଆରମ୍ଭ କରିବାର ୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ଜରୁରୀ ହେବ। ଏଥିସହ ରିପୋର୍ଟରେ ସାମ୍ପ୍ରତିକ ସ୍ଥିତି ଏବଂ ସମସ୍ୟା ସମାଧାନ ପାଇଁ ପ୍ରସ୍ତାବ ଦିଆଯିବ।

Comments are closed.