Latest Odisha News

BREAKING NEWS

ସରକାରଙ୍କ ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସଂପର୍କିତ ‘ଜିଲ୍ଲାପାଳ ସମ୍ମିଳନୀ’ ଅନୁଷ୍ଠିତ

ଭୁବନେଶ୍ୱର: ଖାରବେଳ ଭବନ ଠାରେ  ଆଜି “ଜିଲ୍ଲାପାଳ ସମ୍ମିଳନୀ” ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସଂପର୍କରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉନ୍ନୟନ କମିଶନର-ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ  ଅନ୍ୟ  ସଂପୃକ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର-ତଥା ଶାସନ ସଚିବ ଏବଂ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସ୍ଥିତି ସମ୍ପର୍କରେ ସମୀକ୍ଷା କରି ଉନ୍ନୟନ କମିଶନର କହିଥିଲେ ଯେ ରାଜ୍ୟ ସରକାର ଅନେକ ଜନହିତକର ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେଇଛନ୍ତି। ସେସବୁର ତ୍ୱରିତ କାର୍ଯ୍ୟକାରିତା ଉପରେ ସେ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ତଥା ଜିଲ୍ଲାଗୁଡ଼ିକ ଟିମ୍ ଭାବରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ।
ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ନିୟମିତ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ମଧ୍ୟ “ମୋ ଘର ଯୋଜନା” ଏବଂ ପିଏମଏୱାଇ(ଜି)ରେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ସ୍ଥିତି ସମୀକ୍ଷା କରିଥିଲେ। ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଦ୍ୟାବଧି ବ୍ୟାଙ୍କିଂ ସେବା ଉପଲବ୍ଧ ନଥିବା ଗ୍ରାମ ପଞ୍ଚାୟତ ଗୁଡ଼ିକରେ ବ୍ୟାଙ୍କିଂ ଆଉଟ୍ ଲେଟ୍ ଖୋଲିବାର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ଏହା ଫଳରେ ଗ୍ରାମାଞ୍ଚଳର ଲୋକମାନେ ନିଜ ଘର ନିକଟରେ ବ୍ୟାଙ୍କିଂ ସେବାର ଲାଭ ପାଇବେ।
ବାଣିଜ୍ୟ ଓ ପରିବହନ ବିଭାଗ, ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ “ଲକ୍ଷ୍ମୀ” ଯୋଜନାରେ ଆମ ବସ୍ ଷ୍ଟାଣ୍ଡ ନିର୍ମାଣ ଓ ଏହାର ଅଗ୍ରଗତି ସମ୍ପର୍କରେ ବୁଝାଇଥିଲେ। ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୫୫ଟି ଆମ ବସଷ୍ଟାଣ୍ଡ ପ୍ରତିଷ୍ଠା ହୋଇଥିବା ବେଳେ ୧୨୪ଟି ନିର୍ମାଣାଧିନ ରହିଛି। ପୂର୍ବରୁ କାର୍ଯ୍ୟକ୍ଷମ ଥିବା ଆମ ବସଷ୍ଟାଣ୍ଡଗୁଡିକର ରକ୍ଷଣାବେକ୍ଷଣ ଓ ନିୟମିତ କାର୍ଯ୍ୟକାରିତା ଦିଗ ପ୍ରତି ଦୃଷ୍ଟି ଦେବାକୁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ।  ସେ ମଧ୍ୟ ବିଭିନ୍ନ ବିଭାଗ ସମନ୍ୱୟରେ ଜିଲ୍ଲାସ୍ତରରେ ଦକ୍ଷତା  ବିକାଶ କାର୍ଯ୍ୟକ୍ରମ କରାଯାଉଥିବା ସଂପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଚଳିତ ଖରିଫ ଋତୁରେ ଫସଲ ପାଣିପାଗ ସ୍ଥିତି  ଓ ଆପଦକାଳୀନ ଯୋଜନା ଏବଂ ରବି ଚାଷ ପାଇଁ ପ୍ରସ୍ତୁତି  ସହ ଓଡ଼ିଶା ମିଲେଟ୍ ମିଶନ କାର୍ଯ୍ୟକଳାପ  ସମ୍ପର୍କରେ ଉପସ୍ଥାପନା କରିଥିଲେ।
ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ବିଦ୍ୟାଳୟ ଏବଂ ଅଙ୍ଗନଓ୍ୱାଡି କେନ୍ଦ୍ର ଗୁଡିକରେ ଦ୍ରୁତ ବିଦ୍ୟୁତିକରଣ ସଂପର୍କରେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ। ଏଥି ସହିତ ଖଣି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ମୌଳିକ ସୁବିଧାସୁଯୋଗ ଏବଂ ଜୀବିକା ନିର୍ବାହ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ଡିଏମ୍ଏଫ୍ ଏବଂ ଓଏମ୍ବିଏଡିସି ପାଣ୍ଠିର ଉପଯୋଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

Comments are closed.