Latest Odisha News

ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଗଠନ ହେବ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଗଠନ ହେବ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍। କାରଣ ବିଭିନ୍ନ ଜିଲ୍ଲାରେ ପୂର୍ବରୁ ସ୍କ୍ୱାଡ୍ ପହଞ୍ଚି ପାରୁନଥିଲେ। ଏହା ରାଜ୍ୟସ୍ତରୀୟ ସ୍କ୍ୱାଡ୍ ଗଠନ ହେଉଥିଲା। ଗତ ବର୍ଷ ପରୀକ୍ଷା ମୂଳକ ଭାବେ ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ କରି ସଫଳତା ପାଇଥିଲୁ ବୋଲି କହିଛନ୍ତି ସିଏଚଏସଇ ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ ପରିଡା।

ସିଏଚଏସଇ ଅଧ୍ୟକ୍ଷ କହିଛନ୍ତି, ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ କରି ପାଇଥିବା ସଫଳତାକୁ ଦୃଷ୍ଟିରେ ରଖି ଚଳିତ ଥର ସବୁ ଜିଲ୍ଲାରେ ସ୍କ୍ୱାଡ୍ ମୁତୟନ ହେବେ। ବଡ଼ ଜିଲ୍ଲାରେ ଦୁଇଟି ଓ ଛୋଟ ଜିଲ୍ଲାରେ ଗୋଟେ ଗ୍ରୁପ ରହିବେ। ସମସ୍ତ ଖର୍ଚ୍ଚ ସିଏଚଏସଇ ବହନ କରିବ। ଏଥର କଡାକଡି ଭାବେ ଦେଖାଯିବ ଯେ ପରୀକ୍ଷାର୍ଥୀଙ୍କ ସମ୍ପର୍କୀୟ ଯେପରି ପରୀକ୍ଷା ପରିଚାଳନାରେ ରହିବେ ନାହିଁ।

ସୂଚନା ଥାଉକି ଚଳିତ ବର୍ଷ ଜାନୁଆରୀ ୨ ତାରିଖରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା। ଏହି ପରୀକ୍ଷା ଜାନୁଆରୀ ୧୨ ତାରିଖରେ ଶେଷ ହେବ। ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ପ୍ରାକ୍ଟିକାଲ ସହ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହୋଇଛି। ୬୦ ମାର୍କ, ୫୦ ମାର୍କ ଓ ୩୦ ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ ବିଷୟ ଲାଗି ୩ଘଣ୍ଟା ଏବଂ ୧୫ ମାର୍କର ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଦୁଇ ଘଣ୍ଟା ଅବଧି ରହିଛି। ବିଜ୍ଞାନ ବିଭାଗର ୧୨ଟି, କଳା ବିଭାଗର ୮, ବାଣିଜ୍ୟ ବିଭାଗର ଦୁଇ, ଧନ୍ଦାମୂଳକ ବିଭାଗର ୧୦ରୁ ଅଧିକ ବିଷୟରେ ପ୍ରାକ୍ଟିକାଲ/ପ୍ରୋଜେକ୍ଟ ପରୀକ୍ଷା ହେବ।

ସେହିପରି ପ୍ରାକ୍ଟିକାଲ ପରୀକ୍ଷା ସରିବା କ୍ଷଣି ଉଚ୍ଚମାଧ୍ୟମିକ ବିଦ୍ୟାଳୟ କର୍ତ୍ତୃପକ୍ଷ ଜାନୁଆରି ୧୦ରୁ ୨୫ ତାରିଖ ମଧ୍ୟରେ ଇଣ୍ଟରନାଲ ଆସେସ୍‌ମେଣ୍ଟ ଓ ପ୍ରାକ୍ଟିକାଲ ପରୀକ୍ଷାର ମାର୍କ ସାମ୍‌ସ ପୋର୍ଟାଲରେ ଦାଖଲ କରିବେ। ପ୍ରାକ୍ଟିକାଲ୍‌ ପରୀକ୍ଷାର ଉତ୍ତରଖାତା ଓ ମାର୍କ ଫଏଲ୍‌ରେ ଏକ୍ସଟରନାଲ୍‌ ପରୀକ୍ଷକଙ୍କ ଦସ୍ତଖତ ରହିବା ବାଧ୍ୟତାମୂଳକ। ଜାନୁଆରି ୨୭ ରୁ ଫେବ୍ରୁଆରି ୪ ମଧ୍ୟରେ କଲେଜଗୁଡ଼ିକ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ମାର୍କର ହାର୍ଡକପି ପରିଷଦ ନିକଟରେ ଦାଖଲ କରିବେ। ଧାର୍ଯ୍ୟ ସମୟ ପରେ ଆସିଥିବା ପ୍ରାକ୍ଟିକାଲ ରେକର୍ଡଗୁଡ଼ିକୁ ଗ୍ରହଣ କରାଯିବ ନାହିଁ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

 

Comments are closed.