ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ସନ୍ଧ୍ୟା ନଇଁ ଆସୁଛି। ଆଉ ଟିକିଏ ପରେ ଆକାଶକୁ ହସାଇବ ପୂର୍ଣ୍ଣମୀ ଜହ୍ନ। ପ୍ରସାଧାନ କକ୍ଷର କାନ୍ଥରେ ଝୁଲୁଥିବା ଏକ ବିରାଟ ଦର୍ପଣ ସମ୍ମୁଖରେ ଠିଆ ହୋଇ ନିଜ ସୌନ୍ଦର୍ଯ୍ୟକୁ ଅବଲୋକନ କରୁଥିବା ବେଳେ ଚମକି ଉଠିଲେ ବୈଶାଳୀର ନଗରବଧୂ ଅପୂର୍ବ ସୁନ୍ଦରୀ ଆମ୍ରପାଲ୍ଲୀ। ନିଜ ରୂପ ସୌନ୍ଦର୍ଯ୍ୟରେ ବିଭୋର ହୋଇଉଠି ଭାବିଲେ , “ସତରେ ମୁଁ କେତେ ସୁନ୍ଦର! ତଥାପି ମୋ ଭଳି କେତେ ସୁନ୍ଦରୀ ଏ ଜଗତରେ ଅଛନ୍ତି, ପୂର୍ବରୁ ମଧ୍ୟ ଥିଲେ ଆଉ ଭବିଷ୍ୟତରେ ମଧ୍ୟ ଜନ୍ମ ନେବେ। ଆଜିର ଏ ସୌନ୍ଦର୍ଯ୍ୟ ତାଙ୍କର ହୁଏତ କିଛି ବର୍ଷ ପରେ ମଉଳିଯିବ, ସଂସାରରେ କୌଣସି ବସ୍ତୁ ସବୁଦିନ ରହେନି। ସବୁକିଛି ଆସେ ଯାଏ ।ଏ ଦୈହିକ ସୌନ୍ଦର୍ଯ୍ୟ ବଡ଼ ବିଶ୍ୱାସଘାତକ। ଆଜି ଫୁଟି କାଲି ଝଡିଯାଏ।”
ଦର୍ପଣ ସମ୍ମୁଖରେ ଥିବା କାଠଚଉକିରେ ବସି ନିଜର ପ୍ରତିଫଳିତ ସୁନ୍ଦର ରୂପ କୁ ଦେଖି ପୁଣି ଥରେ ଚମକି ପଡିଲେ ଆମ୍ରପାଲ୍ଲୀ। ଏ ଶାରୀରିକ ସୌନ୍ଦର୍ଯ୍ୟ ଦିନେ ବି ନିଷ୍ପ୍ରଭ ହେବ , ତାଙ୍କ ମନ,ପ୍ରାଣର ଜ୍ବଳନ୍ତ କାମନା ନିର୍ବାପିତ ହେଲାପରେ ତାଙ୍କର ସବୁ ଦୁଃଖ, ଉଦବିଗ୍ନ୍ ଓ ଦୁଶ୍ଚିନ୍ତାର ଅବସାନ ଘଟିବ। ତା’ ପୂର୍ବରୁ ଯଦି ସେ ଭଗବାନ ବୁଦ୍ଧଙ୍କର ଶିକ୍ଷା ପ୍ରତ୍ୟକ୍ଷ ଭାବେ ଗ୍ରହଣ କରନ୍ତି ତେବେ ଏକ ଶାଶ୍ବତ ସୌନ୍ଦର୍ଯ୍ୟରେ ନିଜକୁ ପୁନର୍ବାର ଗଢ଼ି ପାରିବେ। ଏକଥା ଦୁଇ ଦିନ ତଳେ ଭିକ୍ଷୁ ଭାଗ୍ଗା ତାଙ୍କ ରଙ୍ଗଶାଳାକୁ ଆସି ବୁଝାଇ ଦେଇଛନ୍ତି। ଆଜି ରୂପରେ ସେ ଅତୀବ ସୁନ୍ଦରୀ କିନ୍ତୁ ମନରେ ସେ ଆନମନା। ସତେ କି କେଉଁ ଏକ ଅଜ୍ଞେୟ ଭାବନା ରାଜ୍ୟରେ ସେ ବିଚରଣରତା। ଏଇ କେତେ ଦିନ ହେବ ପୁତ୍ର ଜୀବକ ତକ୍ଷଶୀଳା ବିଶ୍ବବିଦ୍ୟାଳୟରୁ ଗ୍ରୀଷ୍ମ ଅବକାଶ ପାଇଁ ଆସି ତାଙ୍କ ସହ ବୈଶାଳୀରେ ସମୟ ବିତାଉଛି। ପୁତ୍ର ଜୀବକ ହିଁ ତାଙ୍କ ଜୀବନର ସବୁକିଛି। ଉତ୍ତରାଧିକାର ସୂତ୍ରରେ ରାଜସିଂହାସନ ଆରୋହଣର ପଥ ପରିଷ୍କାର ନିମନ୍ତେ ପାଟରାଣୀଙ୍କ ସୃଷ୍ଟ ସମ୍ଭାବ୍ୟ ଅନର୍ଥରୁ ସେ ସର୍ବଦା ଦୂରେଇ ରଖିଛନ୍ତି ଜୀବକକୁ। ଯଦିଓ ପିତା ବିମ୍ବିସାରଙ୍କର ସ୍ନେହ, ଶ୍ରଦ୍ଧା ଓ ପ୍ରେମ ଜୀବକଙ୍କ ଉପରେ ଥିଲା ସଦା ବର୍ଷିତ। ଆମ୍ରପାଲ୍ଲୀଙ୍କ ମନରେ ପ୍ରବଳ ଉତ୍କଣ୍ଠା ପୁତ୍ର ଜୀବକକୁ ନେଇ ଭଗବାନ ବୁଦ୍ଧଙ୍କୁ ବଂଶ କାନନରେ ସାକ୍ଷାତ କରିବା। ତେଣୁ ସେ ଜୀବକଙ୍କ କୋଠରୀକୁ ଯାଇ ତାଙ୍କ ମନକଥା ପ୍ରକାଶ କଲେ। ମା’ଙ୍କ କଥାରେ ସମ୍ମତି ପ୍ରକାଶ କରି ତା’ପରଦିନ ସକାଳେ ବଂଶ କାନନ ଅଭିମୁଖେ ଉଭୟେ ଯାତ୍ରାକଲେ।
ସାରଥି ସଙ୍କଟହାରୀକୁ ନେଇ ଘୋଡ଼ାଗାଡ଼ିରେ ବସି ଆମ୍ରପାଲ୍ଲୀ ଓ ଜୀବକ ବଣର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିଚାଲିଥିଲେ। ବଣର ବୃକ୍ଷ ଡାଳମାନଙ୍କରେ ଅସଂଖ୍ୟ ଗୁଣ୍ଡୁଚି ମୂଷା ଏଣେତେଣେ ବୁଲୁଥିବାର ଦୃଶ୍ୟ ଦେଖି ଜୀବକଙ୍କ ମନ ଆନନ୍ଦିତ ହୋଇ ଯାଉଥାଏ। କିଛି ସମୟ ପରେ ରଥ ଯାଇ ପହଞ୍ଚିଲା ବୁଦ୍ଧଙ୍କ କୁଟୀର ପାଖରେ। ଜଣେ ଯୁବ ଭିକ୍ଷୁ ଉଭୟଙ୍କୁ ସ୍ବାଗତ କରି ସାମ୍ନାରେ ଥିବା ବାଉଁଶଚଉକି ଦୁଇଟିରେ ବସିବାକୁ ନିର୍ଦ୍ଦେଶ ଦେଇ ଭିତରକୁ ଚାଲିଗଲେ। ଅଳ୍ପ ସମୟ ଅନ୍ତରରେ ଭଗବାନ ବୁଦ୍ଧ ଅନ୍ୟ କେତେଜଣ ଶିଷ୍ୟଙ୍କ ସହ ସେଠାରେ ଉପସ୍ଥିତ ହେଲେ। ଆମ୍ରପାଲ୍ଲୀ ଓ ଜୀବକ ବୁଦ୍ଧଙ୍କୁ ପ୍ରଣାମ କରିବା ସମୟରେ ଉପସ୍ଥିତ ଶିଷ୍ୟମାନେ ଆମ୍ରପାଲ୍ଲୀଙ୍କ ସୌନ୍ଦର୍ଯ୍ୟରେ ଏପରି ମୋହିତ ହୋଇ ଗଲେ ଯେ ସେମାନେ ତାଙ୍କୁ ସିଧା ଚାହିଁ ପାରିଲେ ନାହିଁ। ଭାବୁଥିଲେ, ଏଭଳି ସୁନ୍ଦରୀ ନାରୀ ସେମାନଙ୍କ ଜୀବନ କାଳରେ କେଉଁଠି ଦେଖି ନାହାନ୍ତି, ନାରୀ କଣ ମାନବୀ ନା ସ୍ବର୍ଗରାଜ୍ୟର ଦେବକନ୍ୟା ! ଏକମାତ୍ର ସାରିପୁତ୍ତଙ୍କ ଚକ୍ଷୁ କେବଳ ଥିଲା ସ୍ଥିର। ବୁଦ୍ଧ ହିଁ ଏହା ଲକ୍ଷ୍ୟ କରିଥିଲେ।ତାଙ୍କ ଚକ୍ଷୁରେ ନଥିଲା କୌଣସି ପ୍ରତିକ୍ରିୟା। ଚକ୍ଷୁଦ୍ବୟ ଥିଲା ପ୍ରାକୃତିକ,ଦୃଷ୍ଟି ବି କରୁଣାରେ ପରିପୂର୍ଣ୍ଣ। ପୂର୍ଣ୍ଣଚନ୍ଦ୍ର ସମ ଶାନ୍ତ, ସ୍ନିଗ୍ଧ ଅନାସକ୍ତ ଓ କାରୁଣ୍ୟ ଚାହାଣୀ ଭରା ବୁଦ୍ଧଙ୍କ ମୁଖମଣ୍ଡଳକୁ ଚାହିଁ ଆମ୍ରପାଲ୍ଲୀ ଭାବୁଥିଲେ ,” କି ଭାଗ୍ୟ ମୋର ଆଜି,ଜୀବନରେ ଅନେକ ଯୋଗୀ, ସନ୍ୟାସୀ ଦେଖିଛି କିନ୍ତୁ ଏଭଳି ଅନାସକ୍ତ ପ୍ରାକୃତିକ ଚକ୍ଷୁ କାହାରି ଠାରେ ଦେଖିନାହିଁ। ଶ୍ରେଷ୍ଠ ପୁରୁଷମାନଙ୍କର ଚକ୍ଷୁ ମଧ୍ୟ କାମନା ପ୍ରଦୀପ୍ତ। ”
ବୁଦ୍ଧଙ୍କ ଆଖିଦୁଇଟିକୁ ଚାହିଁ ଆମ୍ରପାଲ୍ଲୀ କହିଲେ, “ହେ ମହାତ୍ମା , ଆପଣଙ୍କ ଦୃଷ୍ଟି ଏଭଳି ସ୍ବଚ୍ଛ ଯେ ମଳିନତାର ନାମ ଗନ୍ଧ ଏଥିରେ ନାହିଁବରଂ ଜଣେ ବ୍ୟକ୍ତି ଯେପରି ଗୋଟିଏ ପୁଷ୍ପକୁ ଦେଖେ,ନଦୀର ସ୍ବଚ୍ଛ ଜଳଧାରାକୁ ଅବଲୋକନ କରେ,ଆକାଶର ମେଘମାଳାକୁ ଦେଖେ ଠିକ୍ ସେପରି ଆପଣ ମୋତେ ଦେଖୁଛନ୍ତି। ଆପଣଙ୍କ ଦୃଷ୍ଟିରେ ଭରି ରହିଛି ଅନନ୍ତ ସୌନ୍ଦର୍ଯ୍ୟ ଓ କରୁଣା। ଜୀବକ ଏହି ସମୟରେ ଭାବୁଥିଲେ ଯେ, କୌଣସି ମନୁଷ୍ୟର ହସ ବୁଦ୍ଧଙ୍କର ମୃଦୁ ହସ ସହ ତୁଳନୀୟ ନୁହେଁ। ସେ ସ୍ତବ୍ଧ ହୋଇ ଯାଇଥିଲେ ବୁଦ୍ଧଙ୍କ ଲହରିତ ହସରେ।
ନିରବତା ଭଙ୍ଗ କରି ବୁଦ୍ଧ କହିଲେ , ହଁ ଦେବୀ, ମୁଁ ତୁମ ଦୁହିଁଙ୍କୁ ଭଲକରି ଜାଣିଛି। ତୁମର ଏହି ପୁତ୍ର ଭବିଷ୍ୟତରେ ଜଣେ ସଫଳ ଚିକିତ୍ସକ ହେବ । ଜୀବକ କେବଳ ବୁଦ୍ଧିମାନ ନୁହେଁ ବରଂ ପରୋପକାରୀ। ଜଣେ ସଚ୍ଚରିତ୍ର ଓ ସଦାଚାର ରେ ଆଶ୍ରିତ ଯୁବକ ରୂପେ ମୁଁ ତାକୁ ଭବିଷ୍ୟତରେ” ବହୁଜନ ହିତାୟ,ବହୁଜନ ସୁଖାୟ ” ମନ୍ତ୍ରରେ ଦୀକ୍ଷିତ କରିବି।
ଆମ୍ରପାଲ୍ଲୀଙ୍କ କଣ୍ଠରୁ ଝରିପଡିଲା କେତୋଟି ବାକ୍ୟ, “ପ୍ରଭୁ, ଲୋକଙ୍କ ମତରେ ମୁଁ କାଳେ ଶ୍ରେଷ୍ଠ ସୁନ୍ଦରୀ। ତା’ ସତ୍ତ୍ବେ ନିଜ ଭିତରେ ଦୁଃଖ ଏକ ବିଷଧର ସର୍ପ ତୁଲ୍ୟ ମତେ ବାରମ୍ବାର ଦଂଶନ କରୁଥିବାର ଜ୍ବାଳା ମୁଁ ଅନୁଭବ କରେ। କେବଳ ସେତିକି ନୁହେଁ , ପୂର୍ବରୁ ଯେଉଁମାନେ ମତେ ଭଲ ପାଉଥିଲେ ଏବେ ଆପଣଙ୍କ ମାର୍ଗରେ ଆସିବା ପରଠୁ ଅତି ହେୟ ଜ୍ଞାନ କରୁଛନ୍ତି। ଆମ୍ରପାଲ୍ଲୀଙ୍କର ଆଖିରୁ ଅଜସ୍ର ଲୁହ ଧାର ଗଡିଯାଉଥିବା ଦେଖି ବୁଦ୍ଧ କହିଲେ, “ହେ ପୁତ୍ରୀ, ଏହି ସଂସାରରେ ସମସ୍ତ ବସ୍ତୁ ଓ ଅନ୍ୟ ଘଟଣା ଭଳି ସୌନ୍ଦର୍ଯ୍ୟ ମଧ୍ୟ ଜାତ ହୁଏ ଓ ଅନ୍ତର୍ହିତ ହୋଇଥାଏ। ପ୍ରସିଦ୍ଧି ଓ ସୌଭାଗ୍ୟର ଅବସ୍ଥା ମଧ୍ୟ ତଦ୍ରୁପ।
ମନେରଖ, ତୁମର ବାକି ଜୀବନ ଅଯଥାରେ ଇନ୍ଦ୍ରିୟ ସୁଖ ପଶ୍ଚାତରେ ଧାବିତ ହୁଅନାହିଁ। ବିସ୍ମୃତି ,ଚିତ୍ତବିନୋଦନରେ ନିଜକୁ ନ ହଜାଇ ଜୀବନର ପ୍ରକୃତ ଲକ୍ଷ୍ୟକୁ ଭୁଲିଯାଅନି। ତୁମକୁ ମନେରଖିବାକୁ ହେବ,ଏ ଜଗତରେ ସୌନ୍ଦର୍ଯ୍ୟ ଓ କୁତ୍ସିତ ଭଳି କୌଣସି ବସ୍ତୁ ନାହିଁ। ସମସ୍ତ ବସ୍ତୁର ପ୍ରକୃତ ସ୍ବରୂପ ସୌନ୍ଦର୍ଯ୍ୟ ଓ କୁତ୍ସିତର ବହୁ ଉର୍ଦ୍ଧ୍ବରେ। ଯାହା ସବୁ ସୁନ୍ଦର ବା ଅସୁନ୍ଦର ଦେଖାଯାଉଛି ସବୁ ହିଁ ଭ୍ରମ।
ଆମ ଭିତରେ ଗୋଟିଏ ପ୍ରକାର ସୌନ୍ଦର୍ଯ୍ୟ ଅଛି ଯାହା ଚିର ଅମଳିନ ଓ ସେଥିରୁ କୌଣସି ଦୁଃଖ କିମ୍ବା ସୁଖ ଜାତ ହୁଏ ନାହିଁ, ତାହା ହିଁ କରୁଣା ଓ ବିମୁକ୍ତି। ଅହେତୁକ ଭାବେ ଭଲପାଇବା ଏବଂ ପ୍ରତିବଦଳରେ କିଛି କାମନା ନ କରିବା ହିଁ କରୁଣା। କୌଣସି ବସ୍ତୁଠାରେ ଆସକ୍ତ ନହେବା ଏବଂ ସର୍ତ୍ତ ଦ୍ବାରା ଆବଦ୍ଧ ନହେବା ହେଉଛି ବିମୁକ୍ତି। ଏହି କାରୁଣ୍ୟ ଓ ବିମୁକ୍ତି ହିଁ ହେଉଛି ହୃଦୟର ପ୍ରକୃତ ସୌନ୍ଦର୍ଯ୍ୟ।
ପୁତ୍ରୀ ଆମ୍ରପାଲ୍ଲୀ ,ସଦ୍ୟ ପ୍ରସ୍ଫୁଟିତ ଫୁଲ ସଦୃଶ ଏହି ଜଗତରେ ନିଜକୁ ବିକଶିତ କର। ସଂସାରର ସର୍ବଗ୍ରାସୀ ସ୍ରୋତରେ ଭାସିଯାଅ ନାହିଁ ବା କୌଣସି ବସ୍ତୁଦ୍ବାରା ମୋହିତ ବା ଭ୍ରମିତ ହୁଅନାହିଁ। କାରଣ ତୁମ ଭିତରେ ରହିଛି ଅନନ୍ତ ସମ୍ଭାବନାର ବୁଦ୍ଧତ୍ବ। ତୁମ ହୃଦୟରେ ଦୟା ଓ କରୁଣାର ଭାବ ଉଦ୍ରେକ ହେଲେ ତାର ପ୍ରଭାବରେ ଚତୁଃପାର୍ଶ୍ବସ୍ଥ ସକଳ ଜୀବଜଗତ ପ୍ରଭାବିତ ହେବେ।ବସ୍ତୁର ପ୍ରକୃତ ରୂପକୁ ଦେଖିବାକୁ ହେଲେ ତୁମ ଚକ୍ଷୁରେ ଧନ,ମାନ,କାମ ତୃଷ୍ଣାର ଯେଉଁ ପରଳ ମାଡିଛି ତାକୁ କାଟିବାକୁ ପଡିବ। ଦିବ୍ୟ ଚେତନାର ଗୋଟିଏ ଦ୍ବାର ଯଦି ରୁଦ୍ଧ ହୋଇଗଲା ତେବେ ଅନ୍ୟ ଦ୍ବାର ନିଶ୍ଚୟ ଖୋଲାଥିବ। ବନ୍ଦ ହୋଇଥିବା ଦ୍ବାର କୁ ନେଇ ମନ ଶୋଚନା କରନାହିଁ।ଖୋଲିଥିବା ଦ୍ବାର ପାଖରେ ଅଗ୍ରସର ହୁଅ ।
ବୁଦ୍ଧଙ୍କ କଥାରେ ଆମ୍ରପାଲ୍ଲୀଙ୍କ ମନରେ ଏକ ନବଚେତନା ଖେଳିଗଲା। ଘନ ଅନ୍ଧକାର ଭିତରେ ଆଲୋକର ରେଖା ପାଇ ସେ କୃତାର୍ଥ ହୋଇଗଲେ। ପ୍ରଶାନ୍ତି ର ତୀବ୍ର ଅନୁଭୂତି ସହ ପୁତ୍ର ଜୀବକକୁ ନେଇ ବୈଶାଳୀରେ ଥିବା ତାଙ୍କ ରଙ୍ଗ ମହଲକୁ ଫେରି ଆସିଲେ। ଭୁଲି କିନ୍ତୁ ପାରିଲେନି ଭଗବାନ ବୁଦ୍ଧଙ୍କର ଔଜ୍ବଲ୍ୟ ଆଖିଦ୍ବୟ ଓ ହୃଦୟର କାରୁଣ୍ୟ ମହାଭାବ ଯାହା ତାଙ୍କ ଶରୀରର ଶିରା ପ୍ରଶିରାରେ ଚରିଯାଉଥିଲା। ଅନୁଭବ କଲେ, ସତେ ଯେପରି ଜନ୍ମଜନ୍ମାନ୍ତରର ସମସ୍ତ ବଦ୍ଧ ମାନସିକତା ଓ ସଂସ୍କାରକୁ ତାଙ୍କ ଭିତରେ କାଟି କେହି ବାହାରକୁ ଫିଙ୍ଗି ଦେଉଛି। ହୃଦୟର ନିଷ୍ପ୍ରଭ ଦୀପଟିକୁ କିଏ ଅଧିକ ପ୍ରଜ୍ବଳିତ କରିଦେଉଛି। ସେ ବୁଝିବାକୁ ସକ୍ଷମ ହୋଇଛନ୍ତି ମାନବ ଜୀବନର ଲକ୍ଷ୍ୟ ଓ ଏହି ମରଣଶୀଳ ସଂସାରକୁ ଅତିକ୍ରମ କରିବାର ସରଳ ପଥ। ପରଦିନ ସକାଳର ମୃଦୁ ସୂର୍ଯ୍ୟୋଦୟ ସହ ପକ୍ଷୀଙ୍କ କଳରବରେ ଉଲ୍ଲସିତ ହୋଇ ଉଠୁଥିଲେ ଆମ୍ରପାଲ୍ଲୀ । ମୁଖମଣ୍ଡଳରେ ଅପୂର୍ବ ତେଜ, ମନ ପ୍ରାଣରେ ଦିବ୍ୟ ଆନନ୍ଦରବୋଧ।
Comments are closed.