ନୂଆଦିଲ୍ଲୀ: ଜଣେ ମାଆ ଆଖିର ଲୁହ ବଞ୍ଚାଇଦେଲା ପୁଅର ଜୀବନ । ପୁଣି ଟ୍ରାଫିକ ଜାମ୍ ତ ବିଳମ୍ବ, ବିମାନ ଦୁର୍ଘଟଣାରୁ ବଞ୍ଚାଇ ଦେଇଛି ଜୀବନ। କଥାରେ ଅଛି, ରଖେ ହରି ମାରେ କିଏ । ସେମିତି କିଛି ଦେଖିବାକୁ ମିଳିଛି ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ । ବିମାନରେ ଯାତ୍ରା କରିବାକୁ ଅନେକ ପୂର୍ବରୁ ଯୋଜନା କରିଥିଲେ, ହେଲେ ଶେଷ ମୁହୁର୍ତ୍ତରେ କୌଣସି କାରଣରୁ ଯାତ୍ରା କରିପାରିନଥିଲେ । ହେଲେ କିଏ ଜାଣିଥିଲା, ଅଚାନକ ଯାତ୍ରା ରଦ୍ଦ କରିବା ସେମାନଙ୍କୁ ମୃତ୍ୟୁ କୋଳରୁ ରକ୍ଷା କରିବ । ସେଦିନ ବିମାନ ଯାତ୍ରା କରିବା ଆଗରୁ କୌଣସି କାରଣରୁ ବିମାନରେ ଯାଇ ପାରିନଥିବା ଲୋକେ ନିଶ୍ଚିତ ମୃତ୍ୟୁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆଉ ସେସବୁ କାହାଣୀ କୌଣସି ଚମତ୍କାରରୁ କମ୍ ନୁହେଁ ।
ଜୀବନ ବଞ୍ଚାଇଲା ମାଆ ଆଖିର ଲୁହ
ଲଣ୍ଡନ ଫେରିବାକୁ ସବୁ ପ୍ରସ୍ତୁତି କରିସାରିଥିଲେ ୟମନ ବ୍ୟାସ । ଦୁଇ ବର୍ଷ ଧରି ଲଣ୍ଡନରେ ରହିବା ପରେ ସେ ବଡଦୋରା ଆସିଥିଲେ । ପାସପୋର୍ଟରୁ ବ୍ୟାଗ ସବୁ ପ୍ରସ୍ତୁତ କରିସାରିଥିଲେ । କେବଳ ବାପା, ମାଆଙ୍କ ଆଶୀର୍ବାଦ ନେଇ ଏୟାରପୋର୍ଟ ଯାଇଥାନ୍ତେ । ହେଲେ ସେ ମାଆଙ୍କୁ ପ୍ରଣାମ କରିବାକୁ ନଇଁବା ବେଳେ ମାଆ କାନ୍ଦ କାନ୍ଦ ହୋଇ ଆଉ କିଛି ଦିନ ରହିଯିବାକୁ କହିଥିଲେ । ବାସ ତାପରେ ଟିକେଟ୍ କ୍ୟାନସେଲ୍ କରି ଦେଇଥିଲେ ୟମନ । ହେଲେ ସେହିଦିନ ଦ୍ବିପହରେ ବିମାନ ଦୁର୍ଘଟଣା ଖବର ପାଇବା ପରେ ଚମକି ପଡିଥିଲେ ୟମନ । ତାଙ୍କ ମାଆଙ୍କ ଲୁହ ତାଙ୍କ ଜୀବନ ବଞ୍ଚାଇ ଦେଇଛି ।
ଶେଷ ମୁହୁର୍ତ୍ତରେ ଫେରିଲେ…ବର୍ତ୍ତିଗଲେ
ଅହମ୍ମଦାବାଦରେ ଜୈମିନ ପଟେଲ ଓ ପ୍ରିୟା ପଟେଲ୍ ସେଦିନ ସକାଳେ ଏୟାରପୋର୍ଟରେ ପହଞ୍ଚିଥିଲେ । ବନ୍ଧୁ ରୋହିତ ଯାଦବ ସେମାନଙ୍କୁ ଲଣ୍ଡନ ଡାକିଥିଲେ । ହାତରେ ଟୁରିଷ୍ଟ ଭିସା ମୁହଁରେ ବୁଲିଯିବାର ଖୁସି ସ୍ପଷ୍ଟ ବାରି ହେଉଥିଲା । ତେବେ ଚେକ୍-ଇନ୍ କାଉଣ୍ଟରରେ ଆବଶ୍ୟକ କାଗଜପତ୍ର ନଥିବା ଅଧିକାରୀ କହିଥିଲେ । ଏତେ କମ୍ ସମୟ ମଧ୍ୟରେ କାଗଜପତ୍ର ପ୍ରସ୍ତୁତ କରିବା ଅସମ୍ଭବ ଥିଲା । ତେଣୁ ଘରକୁ ଫେରିଥିଲେ ଜୈମିନ ଓ ପ୍ରିୟା । ହେଲେ ଘରେ ପହଞ୍ଚି ଯାହା ଶୁଣିଥିଲେ, ତାହା ସେମାନଙ୍କୁ ଚମକାଇ ଦେଇଥିଲା । କିଛି ସମୟ ପୂର୍ବରୁ ଯେଉଁଥି ପାଇଁ ଦୁଃଖ କରୁଥିଲେ, ସେତେବେଳେ ତାହା ଆଶୀର୍ବାଦ ପାଲଟିଥିଲା ।
ଏମିତି ବର୍ତ୍ତିଗଲା ଜୀବନ
ବିମାନ ଉଡାଣର କିଛି ଘଣ୍ଟା ପୂର୍ବରୁ ମନର କଥା ଶୁଣି ନଯିବାକୁ ନିଷ୍ପତି ନେଇଥିଲେ ଶିବାଜୀ ଟିମ୍ବାଡିଆ । ସେଦିନ ନୁହେଁ ବରଂ ସୋମବାର ଯିବେ ବୋଲି ପୁଅକୁ ଫୋନ୍ କରି ଜଣାଇଥିଲେ। ଆଉ ତାଙ୍କ ଗଟ୍ ଫିଲିଙ୍ଗସ ତାଙ୍କ ଜୀବନ ବଞ୍ଚାଇ ଦେଇଥିଲା । ସେହିପରି ଭରୁଚର ଭୂମି ଚୌହାନ ଭାରତରେ ନିଜ ଛୁଟି କଟାଇବା ପରେ ଲଣ୍ଡନ ଯାଇଥାନ୍ତେ । ହେଲେ ରାସ୍ତାରେ ଅହମ୍ମଦାବାଦ ଟ୍ରାଫିକରେ ଫସିଗଲେ । ପ୍ରବଳ ଟ୍ରାଫିକ ଯୋଗୁଁ ୧୦ମିନିଟ ବିଳମ୍ବରେ ବିମାନବନ୍ଦରରେ ପହଞ୍ଚିଲେ ଭୂମି । ଯେତେ କହିଲେ ବି ତାଙ୍କୁ ବିମାନ ଯାତ୍ରା ପାଇଁ ଛଡା ଗଲାନି । ଅସନ୍ତୋଷରେ ସେଠୁ ଆସିବା ବାଟରେ ସେ ବିମାନ ଦୁର୍ଘଟଣା କଥା ଜାଣିଲେ । ବଡୋଦରାର ଜୟେଶ ଠାକର ବ୍ୟବସାୟିକ ଟ୍ରିପରେ ଲଣ୍ଡନ ଯାଇଥାନ୍ତେ । ତେବେ କୋଲକାତାରେ କାମ ସରିନଥିବାରୁ ସେ ଠିକ୍ ସମୟରେ ଅହମ୍ମଦାବାଦରେ ପହଞ୍ଚି ପାରିଲେନି । ହେଲେ ବିଳମ୍ବ ତାଙ୍କ ଜୀବନ ବଞ୍ଚାଇଦେଲା । ସେହିପରି ଦୁଇ ନାତୁଣୀଙ୍କୁ ଭେଟିବାକୁ ଶ୍ବଶୂର ରାଜୀବ ପଟେଲଙ୍କୁ ଅନୁରୋଧ କରିଥିଲେ ଜ୍ବାଇଁ ଅର୍ଜୁନ । ହେଲେ କିଛି ଦିନ ପୂର୍ବରୁ ପତ୍ନୀ ଭାରତୀଙ୍କୁ ହରାଇଥିବା ରାଜୀବ ଯାଇନଥିଲେ । ରାଜୀବଙ୍କ ଜୀବନ ତ ବଞ୍ଚି ଯାଇଥିଲା ହେଲେ ଦୁର୍ଘଟଣାରେ ଜୀବନ ହାରିଥିଲେ ଅର୍ଜୁନ । ଗୁଜରାଟର ଡାକ୍ତର ଉମଙ୍ଗ ପଟେଲ୍ ପରିବାର ସହ ମେ ୨୪ତାରିଖରେ ଗୁଜରାଟ ମହିସାଗର ଜିଲ୍ଲା କୋୟଡମରେ ନିଜ ପୈତୃକ ଘରକୁ ଆସିଥିଲେ । ପରିବାରକୁ ସେଠାରେ ଛାଡି ଜୁନ୍ ୧୨ତାରିଖରେ ଯାଇଥାନ୍ତେ ଉମଙ୍ଗ । ତେବେ ତାଙ୍କୁ ପ୍ରବଳ ଜ୍ବର ହୋଇଥିଲା । ତାଙ୍କ ପତ୍ନୀ ଅସୁସ୍ଥ ଉମଙ୍ଗଙ୍କୁ ଲଣ୍ଡନ ନଯିବାକୁ ଅନୁରୋଧ କରିଥିଲେ । ଫଳରେ ବିମାନ ଟିକେଟ୍ କ୍ୟାନସଲ କରି ଦେଇଥିଲେ ଉମଙ୍ଗ । ହେଲେ ପରେ ବିମାନ ଦୁର୍ଘଟଣା ଖବର ପାଇଥିଲେ । ଭଗବାନ ତାଙ୍କ ଜୀବନ ବଞ୍ଚାଇ ଦେଇଥିବା ଉମଙ୍ଗ କହିଛନ୍ତି ।
Comments are closed.