ନୂଆଦିଲ୍ଲୀ: ଏବେକା ସମାଜରେ ବିବାହ ବିଚ୍ଛେଦ ବଢିଗଲାଣି । ବିବାହ-ବିଚ୍ଛେଦ-ପୁନର୍ବିବାହ ଏବେ ଟ୍ରେଣ୍ଡରେ ଚାଲିଛି । ହେଲେ ଏଥିରେ ମଧ୍ୟ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ବିଚ୍ଛେଦ ପାଇଁ କୋର୍ଟ କଚେରୀ ଚକ୍କର କାଟିବାକୁ ପଡିଥାଏ । ବାରମ୍ବାର ଶୁଣାଣିରେ ନିଜର ପକ୍ଷ ରଖିବାକୁ ହୋଇଥାଏ । କିନ୍ତୁ ଏବେ ଏହି ସବୁ ସମସ୍ୟାରୁ ମୁକ୍ତ କରିବ ‘ଡିଭୋର୍ସ ହୋଟେଲ୍’ ।
ଏକ ଏମିତି ହୋଟେଲ, ଯାହା ଆପଣଙ୍କ ବୈବାହିକ ଜୀବନକୁ ମାତ୍ର ୨ଦିନ ମଧ୍ୟରେ ଶେଷ କରିବ । ଆପଣ ସେ ହୋଟେଲକୁ ଦମ୍ପତି ଭାବେ ପ୍ରବେଶ ତ କରିବେ ହେଲେ ଫେରିବେ ଛାଡପତ୍ର ସହ । ନେଦରଲାଣ୍ଡର ୩୩ ବର୍ଷିୟ ଶିଳ୍ପପତି ଜିମ୍ ହାଫେନ୍ସ ଏଭଳି କିଛି ନୂଆ ବିଚ୍ଛେଦ ମଡେଲ ସହ ଦମ୍ପତିଙ୍କୁ ପରିଚିତ କରାଇଛନ୍ତି । ଏହାକୁ ନେଇ ସେ ଦାବି ରଖିଛନ୍ତି, ଦମ୍ପତି ଶୁକ୍ରବାର ଯଦି ହୋଟେଲରେ ଚେକ୍ ଇନ୍ କରନ୍ତି ତାହାଲେ ରିବାର ବେଳକୁ ସେମାନଙ୍କର ଛାଡପତ୍ର ହୋଇ ସାରିଥିବ ।
ଏହି ରୋଚକ ‘ଡିଭୋର୍ସ ହୋଟେଲ’ରେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ଛାଡପତ୍ର ପ୍ୟାକେଜ୍ । ଯେଉଁଥିରେ ଆପଣଙ୍କୁ ଛାଡପତ୍ର ପାଇଁ ଲମ୍ବା ଏବଂ ଆଇନର ବାଟ ବାଛିବାକୁ ପଡିବ ନାହିଁ । ହୋଟେଲର ବାତାବରଣ କିଛି ଏମିତି ରଖାଯାଇଛି, ଯାହା ଆପଣଙ୍କୁ ଏକା ସାଙ୍ଗରେ ଆଇନର ପରାମର୍ଶ, ମାନସିକ ସ୍ତରରେ ସପୋର୍ଟ ଏବଂ ମଧ୍ୟସ୍ଥତା ମଧ୍ୟ ପ୍ରଦାନ କରିଥାଏ । ଫଳରେ ଆପଣଙ୍କୁ ଶ୍ରୀଘ୍ର ଏବଂ ବିନା ବାଧାରେ ଛାଡପତ୍ର ମିଳିପାରିବ ।
ଏହି ହୋଟେଲରେ ପୂର୍ବରୁ ହିଁ ଓକିଲ ଏବଂ ମଧ୍ୟସ୍ଥି ଉପସ୍ଥିତ ଥାନ୍ତି । ଏକ ସୀମିତ ରାଶି ମଧ୍ୟରେ ଏହି ପ୍ୟାକେଜ ଲୋକଙ୍କୁ ଦିଆଯାଉଛି । ଯେଉଁଥିରେ ଆପଣ ଶୁକ୍ରବାର ଚେକ୍ କରିବା ବେଳେ ରବିବାର ସୁଦ୍ଧା ଏଠି ଆପଣଙ୍କୁ ଛାଡପତ୍ର ମିଳିଯାଇଥାଏ । ତେବେ ଏଭଳି ଏକ ଯୋଜନାକୁ ଟିଭି ଶୋ’ରେ ପରିଣତ କରିବାକୁ ଚାହୁଛନ୍ତି ଶିଳ୍ପପତି ଜିମ୍ ହାପେନ୍ସ । ଯେମିତି ବିଭିନ୍ନ ରିୟାଲିଟି ଶୋ’ରେ ଲୋକେ ନିଜ ପାଇଁ ଜୀବନ ସାଥି ବାଛୁଛନ୍ତି । ସେମିତି ଏହି ରିୟାଲିଟି ଶୋରେ ଦମ୍ପତି ପରସ୍ପର ଠାରୁ ଅଲଗା ହେବେ ।
ତେବେ ଏହି ହୋଟେଲ ନେଦରଲାଣ୍ଡର ହାରଲେମ୍ ସହରରେ ଅବସ୍ଥିତ ଥିବା ବେଳେ ‘ଦ ସେପାରେସନ ଇନ୍’ ନାମରେ ଏହା ପରିଚିତ । ଏଯାବତ ୧୭ ଦମ୍ପତି ଏହି ହୋଟେଲ ସହାୟତା ନେଇଥିବା ବେଳେ ୧୬ ଜଣ ଖୁସିଖୁସିରେ ନିଜର ଛାଡପତ୍ର ନେଇସାରିଲେଣି । କେବଳ ନେଦରଲାଣ୍ଡରେ ନୁହେଁ, ଏହାର ଫାଉଣ୍ଡର ଏହାକୁ ଛାଡପତ୍ର ବହୁଳ ଦେଶ ଯେମିତିକି ଆମେରିକାର, ନ୍ୟୁୟର୍କ ଏବଂ ଲସ୍ ଆଞ୍ଜେଲସ୍ ଭଳି ସହରରେ ମଧ୍ୟ ଖୋଲିବା ପାଇଁ ଯୋଜନା କରୁଛନ୍ତି ।
ତେବେ କହିରଖୁଛୁ, ଆମେରିକାରେ ଛାଡପତ୍ର ଶିଳ୍ପ ୧୭୫ ବିଲିୟନ ଡ଼ଲାରରେ ପହଞ୍ଚିଛି। ପ୍ରତିବର୍ଷ ୧.୨ ମିଲିୟନ୍ ଲୋକ ଛାଡପତ୍ର ପାଇଁ ଆବେଦନ କରନ୍ତି। ଏଭଳି ପରିସ୍ଥିତିରେ, ଛାଡପତ୍ରର ଚାହିଦା ବଜାରରେ ‘ଛାଡପତ୍ର ହୋଟେଲ’ ଏକ ପ୍ରମୁଖ ଭୂମିକା ନିଭେଇପାରେ ।