Latest Odisha News

BREAKING NEWS

ସରକାରୀ ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗଙ୍କ ପରିବାର, ଗୁହାରି ଶୁଣୁନି ପ୍ରଶାସନ

ଉଦୟଗିରି : ନା କିଛି କହି ପାରୁଛି ନା କିଛି ବୁଝିପାରୁଛି  । ଭୋକ ଲାଗିଲେ ଖାଇବାକୁ ମାଗୁନି ଆଉ ନିଦ ଲାଗିଲେ ଶୋଇବା ପାଇଁ ବି କହୁନି l ଯେଉଁଠି ଯେମିତି ଅବସ୍ଥାରେ ତାକୁ ତା ଘର ଲୋକ ରଖନ୍ତି ସେ ସେମିତି ହିଁ ପଡି ରହୁଛି l ବେଳେ ବେଳେ ସେ ନିଜେ ଏକୁଟିଆ ବସି ଗୁଣୁ ଗୁଣୁ ହେଉଛି ତ ଆଉ କେତେବେଳେ ମୁରୁକି ମୁରୁକି ହସୁଛି l ଆଉ ଝିଅକୁ ଦେଖି ଗୁମୁରି ଗୁମୁରି କାନ୍ଦୁଛି ତା ମା’ । ହଁ ଆଜ୍ଞା ଏ ଦୃଶ୍ୟକୁ ଭଲକରି ଦେଖନ୍ତୁ ଆପଣ ବି ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ , ଆଉ ଭଗବାନଙ୍କୁ ନେହୁରା ହୋଇ କହିବେ କାହିଁକି ଏତେ କଷ୍ଟ ଦେଉଛ ଏ ନିରୀହ ଝିଅକୁ  । ଏ ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ଆର.ଉଦୟଗିରି ଠାରେ ଥିବା ସାରଳାସାହିରେ l ଝିଅଟି ଜନ୍ମରୁ ହିଁ ଦିବ୍ୟାଙ୍ଗ l ଗୋଡ଼, ହାତ, ପାଟି ଅଚଳ ଯୋଗୁଁ ଯେଉଁଠି ଖାଉଛି ସେଇଠି ଶୋଉଛି l ଥରେ ଦେଖନ୍ତୁ ତା ମୁହଁକୁ, ନିଷ୍କପଟ ମନରେ ଭରି ରହିଛି ଅସୁମାରୀ ଦୁଃଖ ।

ଆମେ କହୁଛୁ ସାରଳାସାହିର ଦିବ୍ୟାଙ୍ଗ ଝିଅ ଅର୍ଚ୍ଚନା ପାଇକରାୟଙ୍କ କଥା । ଶରୀର ସମ୍ପୂର୍ଣ୍ଣ ଅକ୍ଷମ l ଅର୍ଚ୍ଚନାଙ୍କୁ ଆଜକୁ ପ୍ରାୟ ୨୭ବର୍ଷ ହୋଇଥିଲେ ମଧ୍ୟ ଅନ୍ୟ କାହାର ସାହାରା ବିନା ପେଟକୁ ଦାନା ମୁଠେ ଯିବା କଷ୍ଟକର l ଅର୍ଚ୍ଚନାଙ୍କୁ ୧୨ ବର୍ଷ ବୟସ ହେଲା ବେଳକୁ ତାଙ୍କ ବାପା ଚାଲିଗଲେ l ସ୍ୱାମୀର ମୃତ୍ୟୁ ପରେ ମନୋରମା ଦୁଃଖରେ ଭାଙ୍ଗି ନପଡ଼ି ଅଙ୍ଗନବାଡ଼ି କେନ୍ଦ୍ରରେ ହେଲ୍ପର ଭାବେ କାମ କରି ମାସକୁ ଯାହା ରୋଜଗାର କରନ୍ତି ଝିଅର ପେଟକୁ ଦାନା ଯୋଗାଇବା ସହ ଝିଅର ଔଷଧ ପତ୍ର ଓ ଖାଇବାରେ ସାରନ୍ତି ।

ସେପଟେ ଝାଟି ମାଟିର ଟିଣ ଘର ଭାଙ୍ଗି ରୁଜି ଗଲାଣି l ଟଙ୍କା ନଥିବାରୁ ମରାମତି ବି କରିପାରୁ ନାହାଁନ୍ତି l ଗୋଟିଏ ବଖରା ଘରେ ଚଳୁଛନ୍ତି ପୁରା ପରିବାର l ଆଉ ଦିବ୍ୟାଙ୍ଗ ଝିଅକୁ ଭିନ୍ନକ୍ଷମ ଭତ୍ତା ଆଉ ଖାଇବା ପାଇଁ ଚାଉଳ ଛଡା ଅନ୍ୟ କୌଣସି ସରକାରି ସୁବିଧା ମିଳୁନାହିଁ l ଦିବ୍ୟାଙ୍ଗ ଝିଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଲାଗି ବହୁବାର ପରିବାର ଲୋକେ ଆର.ଉଦୟଗିରି ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ସେପଟେ ଦିବ୍ୟାଙ୍ଗ ଝିଅର ହାତ ପାପୁଲି ବଙ୍କା ହୋଇଥିବା ହେତୁ ଜନ୍ମରୁ ଆଧାର କାର୍ଡ ହୋଇପାରୁନାହିଁ l ତେଣୁ ବହୁବାର ବ୍ଲକ ପ୍ରଶାସନକୁ ଦିବ୍ୟାଙ୍ଗ ଝିଅର ନୂତନ ଭାବେ  ଆଧାର କାର୍ଡ କରିବାଲାଗି ବ୍ଲକର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଉତ୍ତର ମିଳୁନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l

Leave A Reply

Your email address will not be published.