Latest Odisha News

BREAKING NEWS

ଦୃଢ ଇଛାଶକ୍ତି ଆଗରେ ହାରମାନିଛି ଅକ୍ଷମତା,ଡାକ୍ତର ହେବେ ଦିବ୍ୟାଙ୍ଗ ଛାତ୍ର ସଂଗ୍ରାମ

ଯାଜପୁର: କଥାରେ ଅଛି ଦୃଢ ଇଛାଶକ୍ତି ଓ ଗଭୀର ଆତ୍ମବିଶ୍ୱାସ ଆଗରେ ହାରମାନେ ସମସ୍ତ ପ୍ରତିକୂଳତା । ମନରେ ଅନେକ ଆଶା ଆଉ ଅନେକ ସ୍ୱପ୍ନ । ଜୀବନ ଥିଲେ ତ ସମସ୍ୟା ଅଛି । ଆଉ ସେହି ସମସ୍ୟାକୁ ପାର କରି ନିଜର କର୍ତ୍ତବ୍ୟ କରିବାର ଅଛି । ଭଗବାନଙ୍କ ଇଚ୍ଛା ବିରୋଧରେ ସିନା ଯାଇପାରିବାନି ହେଲେ ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ନିଜର ଦୃଢ ସାମର୍ଥ୍ୟ ମନୋବଳ ଲଗାଇ ଜୀବନ ଯୁଦ୍ଧରେ ସବୁ ବାଧା ଓ ବିଘ୍ନକୁ ପାର କରିବି । ଏଭଳି ଏକ  ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ ରାକ୍ଷୀପାଟଣା ଗାଁରେ । ପରିବାରର ଦାରିଦ୍ର୍ୟତା ଓ ନିଜର ଭିନ୍ନକ୍ଷମତା ତାଙ୍କୁ ସଫଳତା ପାଇବାରେ ଅଟକାଇ ପାରିନାହିଁ ।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଉତ୍ତରପ୍ରତାପ ପଞ୍ଚାୟତ ରାକ୍ଷୀପାଟଣା ଗାଁର ଅଭିରାମ ସ୍ୱାଇଁ ଓ ସତ୍ୟଭାମା ସ୍ୱାଇଁଙ୍କ ଏକମାତ୍ର ପୁଅ ସଂଗ୍ରାମ ସ୍ୱାଇଁ । ସଂଗ୍ରାମ ଜନ୍ମରୁ ଦିବ୍ୟାଙ୍ଗ । ବାପା ଅଭିରାମ ଜଣେ ଦାଦନ ଶ୍ରମିକ ଭାବେ କଲିକତାରେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳିବା କଷ୍ଟକର ହୋଇପଡେ । ପରିବାରର ଦାରିଦ୍ର୍ୟ ସତ୍ୱେ ପିଲାଦିନୁ ଡାକ୍ତର ହେବାର ନିଶା ସଂଗ୍ରାମଙ୍କୁ ଏହି ସଫଳତାରେ ପହଞ୍ଚାଇଛି । ଧର୍ମଶାଳା ମହାବିଦ୍ୟାଳୟରୁ +୩ ପାସ ପରେ ନିଟ୍ ପାଇଁ ପ୍ରସ୍ତୁତ ହୋଇଥିଲେ ସଂଗ୍ରାମ । ଆର୍ଥିକ ଅନାଟନ ମଧ୍ୟରେ ରହି ବିଲରେ କାମ କରିବା ସହ ପାଠ ପଢୁଥିଲେ । ସଂଗ୍ରାମ ଏହି ପରୀକ୍ଷା ଦେବା ପାଇଁ କୌଣସି ଗୁଗୁଲ୍ ସହାୟତା ନେଇନଥିବା ବେଳେ କେବଳ କଲେଜ ଶିକ୍ଷକଙ୍କ ସହାୟତାରେ ଏହି ସଫଳତା ପାଇଛନ୍ତି l

ସଂଗ୍ରାମ ଜଣେ ଗରିବ ଶ୍ରେଣୀ ସାଙ୍ଗକୁ ଜଣେ ଭିନ୍ନକ୍ଷମ ହେଇଥିବାରୁ ଏହି ସଫଳତା ତାଙ୍କ ପାଇଁ ସେତେଟା ସହଜ ନଥିଲା । ତଥାପି ସଂଗ୍ରାମ ନିଜ ସଂଗ୍ରାମ ଜାରି ରଖିଥିଲେ l ସଂଗ୍ରାମ ପ୍ରଥମ ପ୍ରୟାସରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲାପରେ ଏବେ ବୁର୍ଲା ମେଡିକାଲ କଲେଜରେ ଡାକ୍ତରୀ ପଢିବେ । ଭବିଷ୍ୟତରେ ସେ ଜଣେ ଭଲ ଡାକ୍ତର ହୋଇ ସାଧାରଣ ଲୋକଙ୍କ ସେବା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଏବେ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାଜ୍ୟ ସରକାର ସଂଗ୍ରାମଙ୍କୁ ସହାୟତା ଯୋଗାଇ ଦେଲେ ତାଙ୍କର ପାଠପଢା ସୁଗମ ହୋଇପାରିବ ବୋଲି ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

 

Leave A Reply

Your email address will not be published.