ନବରଙ୍ଗପୁର: ଅନେକ ମଣିଷ ଅଛନ୍ତି, ଯେଉଁମାନେ ସାମାନ୍ୟ ପ୍ରତିବନ୍ଧକ ଆସିଲେ ଭାଙ୍ଗି ପଡିଥାନ୍ତି । ହେଲେ ଏ ଦୁଇ ଭାଇଙ୍କୁ ଦେଖନ୍ତୁ । ସମସ୍ତଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଦୁଇ ଭାଇ ଭିନ୍ନକ୍ଷମ ହୋଇ ବି ହାରି ନାହାନ୍ତି, ମୁଣ୍ଡ ନୁୃଆଇଁ ନାହାନ୍ତି । ସେମାନେ ଭିନ୍ନକ୍ଷମ ହେଲେ ମଧ୍ୟ ସବୁଥିରେ ବେଶ୍ ପାରଙ୍ଗମ । ଜାବନ ଯୁଦ୍ଧରେ ସେ କେବେ ପଛଘୁଞ୍ଚା ଦେଇ ନାହାନ୍ତି । ନା କେବେ କାହା ଆଗରେ ହାତ ପତାଇଛନ୍ତି ନା କାହାଠୁ କେବେ କିଛି ପାଇବାର ଆଶା ରଖିଛନ୍ତି । ଶାରୀରିକ ଅକ୍ଷମତା ସାଙ୍ଗକୁ ଅଭାବ ଅନଟନ, ତଥାପି ଏସବୁ ଭିତରେ ଜିତି ଚାଲିଛନ୍ତି ସେମାନେ । ଦୁଖକଷ୍ଟକରି ନିଜ ଗୋଡ଼ରେ ଛିଡା ହୋଇ ପରିବାରର ସମ୍ପୂର୍ଣ୍ଣ ଭାର କାନ୍ଧେଛନ୍ତି ଏ ଦୁଇ ଭାଇ । ଭିନ୍ନକ୍ଷମ ସତ୍ତ୍ୱେ ସାଜିଛନ୍ତି ସକ୍ଷମ।
ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମକିଆ ପଂଚାୟତ ଅନ୍ତର୍ଗତ ବାମୁନି ଗାଁର ବୈଦି ଭତରାଙ୍କ ବଡ଼ପୁଅ ଗଣେଷ ଓ ସାନପୁଅ ତୁଳସୀ । ଦୁଇଭାଇ ଭିନ୍ନକ୍ଷମ ଅଟନ୍ତି । ଗଣେଶ ପିଲାବେଳେ ଗଛରୁ ପଡି ନିଜ ବାମହାତ ହରାଇଥିବା ବେଳେ ତୁଳସୀ ଜନ୍ମରୁ ଜଣେ ଭିନ୍ନକ୍ଷମ । ଗୋଡ ଓ ହାତ ଅକ୍ଷମ ହୋଇଥିବାରୁ ସେ ଆଶା ବାଡ଼ି ସାହାଯ୍ୟରେ ଏକପ୍ରକାର ଘୁଷୁଡି ହୋଇ ଚାଲନ୍ତି। ଦୁଇ ଭାଇ ଛୋଟ ଥିବା ବେଳେ ବାପାଙ୍କ ଦେହାନ୍ତ ହୋଇଥିଲା । ଅନେକ ଦୁଃଖକଷ୍ଟ ସହି ଦୁଇ ପୁଅଙ୍କୁ ବଡ଼ କରିଛନ୍ତି ମାଆ ବୈଦି ।
ଶାରୀରିକ ଦୃଷ୍ଟି କୋଣରୁ ଭିନ୍ନକ୍ଷମ ହେଲେ ବି ରୋଜଗାର କରିବାର ଦୃଢ ମାନସିକତା ସେମାନଙ୍କୁ ଆଜି ସ୍ୱାବଲମ୍ବୀ କରିପାରିଛି । ନିଜ ଭାଗରେ ଥିବା ୫୦ ଡେସିମିଲ ଚାଷଜମିକୁ ୨୦ ହଜାର ଟଙ୍କାରେ ବନ୍ଧକ ରଖି ବାମୁନିଗାଁ ମଝିରେ ଦୁଇ ଭାଇ ଏକ ଛଟିଆ ପାନ ଦୋକାନ କରିଛନ୍ତି । ତା ଛଡା ମାମୁଙ୍କ ବ୍ୟବସାୟରେ କିଛି କିଛି ସହଯୋଗ କରନ୍ତି ସାନ ଭାଇ ତୁଳସୀ । ବାହାଘର, ବ୍ରତ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେଲେ ମାମୁଙ୍କ ମାଇକ ଓ ଅନ୍ୟାନ୍ୟ ଜିନିଷ ନେଇ ସେଠାକୁ ଯାଆନ୍ତି ଏବଂ ଗୋଟିଏ କାର୍ଯ୍ୟକ୍ରମରୁ ପ୍ରାୟ ୨ ଶହ ଟଙ୍କା ରୋଜଗାର କରନ୍ତି ତୁଳସୀ । ଏହିଭଳି ପରିଶ୍ରମ କରି ଦୁଇଭାଇ ମିଶି ପରିବାର ଚଲାଉଛନ୍ତି।
ଆଜିକାଲି ଅନେକ ଯୁବକ ବିନା ପରିଶ୍ରମରେ ଟଙ୍କା ଉପାର୍ଜନ କରିବାର ପନ୍ଥା ଖୋଜି ଭୁଲ ବାଟରେ ଯାଉଥିବାବେଳେ ଏହି ଦୁଇ ଭିନ୍ନକ୍ଷମ ଭାଇ ଆଜିର ଯୁବପିଢି ପାଇଁ ଏକ ଉଦାହରଣ ନିଶ୍ଚୟ । ପିଲାବେଳୁ ବାପାଙ୍କୁ ହରାଇ ୫ ଜଣ ସଦସ୍ୟଙ୍କ ପ୍ରତିପୋଷଣର ଗୁରୁ ଦାୟିତ୍ୱ ନେଇଛନ୍ତି ଦୁଇଭାଇ । ମାଆ ବୈଦି ମଧ୍ୟ ଜଣେ ଭିନ୍ନକ୍ଷମ ମହିଳା । ମାଆ ଓ ଦୁଇଭାଇଙ୍କୁ ମାସିକ ୫ ଶହ ଟଙ୍କା ଲେଖାଏ ଭତ୍ତା ଏବଂ ମୁଣ୍ଡ ପିଛା ୫ କିଲୋ ହିସାବରେ ୨୫ କିଲୋ ଚାଉଳ ମିଳୁଛି ।
ଦୁଇ ଭିନ୍ନକ୍ଷମ ଭାଇ ନିଜ ଚେଷ୍ଟା ଓ ପରିଶ୍ରମରେ ସ୍ୱାବଲମ୍ବୀ ହୋଇପାରିଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି ସହାୟତା ଯୋଗାଇ ଦିଆଯାଇ ପାରିନାହିଁ । ସରକାର କିମ୍ବା ଜିଲ୍ଲା ପ୍ରଶାସନ ଦୁଇ ଭାଇଙ୍କୁ କିଛି ଆର୍ଥିକ ରାଶି ଯୋଗାଇ ଦେଲେ ନିଜ ବ୍ୟବସାୟକୁ ବୃଦ୍ଧି କରିପାରନ୍ତେ ବୋଲି ସ୍ଥାନୀୟ ଲୋକ କହିଛନ୍ତି।
Comments are closed.