Latest Odisha News

BREAKING NEWS

ଭଲିବଲ୍ କୋର୍ଟର ଚକ୍ ଦେ ଗାର୍ଲ…ଦିୟା ମଜୁମଦାର

ଭୁବନେଶ୍ବର: ବାରଣ ଥିଲା, କଟାକ୍ଷ ଥିଲା, ଅନୁମତି ନଥିଲା। ଝିଅ ହାଫପ୍ୟାଣ୍ଟ ପିନ୍ଧି ଭଲିବଲ୍ ଖେଳିବ, ଏକଥାକୁ ସହଜରେ ଗ୍ରହଣ କରୁନଥିଲେ ପରିବାର । ସାମାଜିକ ଅନ୍ଧବିଶ୍ବାସର ଶିକୁଳି ଫିଟାଇ ସଂଘର୍ଷର କୋର୍ଟରେ ସଫଳତାର ଗୋଲର ନାଁ ଦିୟା ମଜୁମଦାର। ଦିୟା ପଶ୍ଚିମବଙ୍ଗର ଝିଅ। ଜଗତସିଂହପୁରର ଆଶୁତୋଷ ପାତ୍ରଙ୍କୁ ବିବାହ କରିଛନ୍ତି । ପୂର୍ବରୁ ଭଲିବଲ୍ ଖେଳାଳି ଥିବା ଦିୟା ପରେ ମହିଳା କୋଚ୍ ଭାବେ ଭାରତୀୟ ଭଲିବଲ୍ ମହାସଂଘରୁ ସାର୍ଟିଫିକେଟ୍ ପାଇଛନ୍ତି । ସ୍ବାମୀଙ୍କ ଚାକିରି ପାଇଁ ଢେଙ୍କାନାଳରେ ରହୁଛନ୍ତି ଦିୟା। ସ୍ବାମୀ ଚାକିରିକୁ ଯିବା ପରେ ଭଲିବଲକୁ ନେଇ ନୂଆ ସ୍ବପ୍ନ ଦେଖିଥିଲେ ଦିୟା, ଆଉ ଏହାକୁ ସାକାର କରିବାକୁ ଦମ୍ ଲଗାଇଥିଲେ ।

ସଂଘର୍ଷରୁ ସଫଳତାର କାହାଣୀ

ଗାଁ ଝିଅଙ୍କୁ ହାଫପ୍ୟାଣ୍ଟ ପିନ୍ଧାଇ ଭଲିବଲ୍ କୋର୍ଟରେ ପହଞ୍ଚାଇବା ଥିଲା ଦିୟାଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ। ବାଧା ସାଜିଥିଲା ରକ୍ଷଣଶୀଳ ମାନସିକତା। ଗାଁରେ ଘରକୁ ଘର ବୁଲି ବୁଝାଇଥିଲେ ଦିୟା। ସେତେବେଳେ ନା ଭଲ ଓଡିଆ କହିପାରୁଥିଲେ ନା ସବୁ ଓଡିଆ କଥା ବୁଝିପାରୁଥିଲେ । ହେଲେ ବି ହାର୍ ମାନିନଥିଲେ ଦିୟା । ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ସାଙ୍ଗରେ ଧରି ଲୋକଙ୍କୁ ବୁଝାଇଥିଲେ । ଝିଅଙ୍କ ଲାଜ ଛଡାଇବାକୁ ନିଜେ ହାଫପ୍ୟାଣ୍ଟ ପିନ୍ଧି ଭଲିବଲ୍ କୋର୍ଟକୁ ଓହ୍ଲାଇଥିଲେ। ପ୍ରଥମେ ଦିୟାଙ୍କୁ ଟାହିଟାପରା କରୁଥିବା ଲୋକ ବି ଧିରେ ଧିରେ ବୁଝିଥିଲେ । କଷ୍ଟ ହେଲେ ବି ଶେଷରେ ଝିଅଙ୍କୁ ଘରକୋଣରୁ ଭଲିବଲ୍ କୋର୍ଟକୁ ଆଣିବାରେ ସଫଳ ହୋଇଥିଲେ ଦିୟା।

ସଫଳତାର ଗୋଲ୍ ପରେ ଗୋଲ୍

ନା ସମାଜର ଆକଟକୁ ଡରିଲେ ନା କିଛି କରି ଦେଖାଇବା ଜିଦ୍ ଛାଡିଲେ ଦିୟା। ଗତ ତିନିବର୍ଷ ହେଲା ନିଜ ପରିଶ୍ରମରେ ୧୩୦ ଭଲିବଲ୍ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ଜିଲ୍ଲାର ପାଇକପୁରୁଣାକୋଟ୍, ନୂଆଗାଁ, ନୂଆହାଟ ଭଳି ବିଭିନ୍ନ ପଞ୍ଚାୟତରେ ଭଲିବଲକୁ ପହଞ୍ଚାଇଛନ୍ତି ଦିୟା। ଏପର୍ଯ୍ୟନ୍ତ ୭ଜଣ ଜାତୀୟସ୍ତରରେ ଖେଳିଥିବା ବେଳେ ୪୫ଜଣ ରାଜ୍ୟସ୍ତରରେ ଖେଳି ସୁନାମ ଆଣିଛନ୍ତି। ଦିନେ ଭଲିବଲ୍ ନଥିବା ଜିଲ୍ଲା ଢେଙ୍କାନାଳ ୧୪ବର୍ଷରୁ କମ୍ ବାଳିବା ବର୍ଗରେ ଚାମ୍ପିଆନ ହୋଇଛି । କେନ୍ଦ୍ରାପଡା ଭଳି ଶକ୍ତିଶାଳୀ ଟିମରୁ ୨-୦ରେ ହରାଇଥିଲା ଢେଙ୍କାନାଳ । ବାହାରେ ବର୍ଷା ହେଉଥିଲା ତ ଦିୟାଙ୍କ ଆଖିରେ ବି ଥିଲା ଖୁସିର ଲୁହବର୍ଷା ।

ଦିୟା ଦେଲେ ପରିଚୟ

ଢେଙ୍କାନାଳରେ ଭଲିବଲର ନୂଆ ଯୁଗ ଆଣିଛନ୍ତି ଦିୟା । ଦିନେ ଘରୁ ପଦାକୁ ବାହାରିବାର ସ୍ବପ୍ନ ଦେଖିନଥିବା ଝିଅ ଏବେ ଭଲିବଲ କୋର୍ଟରେ ଭରୁଛନ୍ତି ସ୍ବପ୍ନର ଉଡାଣ। ଆଉ ଏହି ବିଜୟର ସାରଥି ସାଜିଛନ୍ତି ନିଜେ ଦିୟା। ଲେଖିଛନ୍ତି ଅସମ୍ଭବରୁ ସମ୍ଭବ, ଶୂନରୁ ଶିଖରର ପଟ୍ଟକଥା। ଏବେବି ନିଜ ପ୍ରଶିକ୍ଷଣରେ ଝିଅମାନେ ଆକାଶ ଛୁଇଁଲା ବେଳେ ଖୁସିରେ ଭରିଯାଏ ଦିୟାଙ୍କ ହୃଦୟ । ପ୍ରଥମ କରି ତାଙ୍କ ପିଲା ନ୍ୟାସନାଲ୍ ଖେଳିବାକୁ ମନୋନୀତ ହେବା ବେଳେ ଗର୍ବରେ କୁଣ୍ଢେମୋଟ ହୋଇଥିଲା ଦିୟାଙ୍କ ମନ।

ପିଲାଙ୍କ ସଫଳତା ଦେଖିଲେ ଖୁସିରେ ଦିୟାଙ୍କ ଆଖି ଛଳଛଳ ହୋଇଯାଏ । ବିନା କୌଣସି ଫି’ରେ ବିନା କୌଣସି ସ୍ବାର୍ଥରେ ଝିଅଙ୍କ ପାଇଁ ସଫଳ ଭବିଷ୍ୟତର ସ୍ବପ୍ନ ଦେଖିଥିଲେ । ଆଉ ଆଜି ଆଖି ଆଗରେ ତାହା ସାକାର ହୋଇଛି । ଏସବୁ ଦେଖିଲେ ତିନିବର୍ଷର କଷ୍ଟସାଧ୍ୟ ସଂଘର୍ଷ ମନକୁ ଆସେନି, ଆସେ ଖାଲି ଆତ୍ମସନ୍ତୋଷ । ଆଉ ଏହି ଯାତ୍ରାରେ ଦିୟାଙ୍କ ସହ ପ୍ରତିଟି ପାଦରେ ସାଥୀ ହୋଇ ଠିଆ ହୋଇଛନ୍ତି ତାଙ୍କ ଜୀବନସାଥୀ ଆଶୁତୋଷ ।…

Leave A Reply

Your email address will not be published.