ଭୁବନେଶ୍ୱର: ରାଜ୍ୟରେ ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମ୍ଏଫ୍ ବିନିଯୋଗରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ସାଂଘାତିକ ତଥ୍ୟ ରଖିଛନ୍ତି । ମାର୍ଚ୍ଚ ୨୦୨୪ ଶେଷ ସୁଦ୍ଧା ସିଏଜିଙ୍କ ପକ୍ଷରୁ କରାଯାଇଥିବା ଅଡିଟ୍ ରିପୋର୍ଟ ଅନୁଯାୟୀ, ଖଣି ପ୍ରଭାବିତ ନଥିବା ଅଞ୍ଚଳରେ ଡିଏମ୍ଏଫ୍ ପାଣ୍ଠିରୁ ପ୍ରାୟ ୯୮୩.୩୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସେପ୍ଟେମ୍ବର ୨୮ ତାରିଖରେ ଏହି ରିପୋର୍ଟ ଓଡ଼ିଶା ବିଧାନସଭାରେ ଉପସ୍ଥାପନ କରାଯିବା ପରେ ଏକ ବଡ଼ ଧରଣର ବିତର୍କ ସୃଷ୍ଟି ହୋଇଛି ।
ସିଏଜି ରିପୋର୍ଟ ମୁତାବକ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାର ୯୭୬ଟି ଗ୍ରାମରେ ପ୍ରକଳ୍ପମାନ କାର୍ଯ୍ୟକାରୀ କରାଯାଇଛି, ଯାହା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଖଣି ଖନନ ଦ୍ୱାରା ଆଦୌ ପ୍ରଭାବିତ ନୁହେଁ । ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଦୁଇ ଜିଲ୍ଲାର ପ୍ରକୃତ ଖଣି ପ୍ରଭାବିତ ୫୮୪ଟି ଗ୍ରାମ ପାଇଁ ଗୋଟିଏ ବି ପ୍ରକଳ୍ପ ମଞ୍ଜୁର ହୋଇନାହିଁ । ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଖଣି ଯୋଗୁଁ କ୍ଷତିଗ୍ରସ୍ତ ଅଞ୍ଚଳ ଓ ସେଠାରେ ବସବାସ କରୁଥିବା ଲୋକଙ୍କ ବିକାଶ ଓ କଲ୍ୟାଣ କରିବା । ମାତ୍ର ଏହି ଅର୍ଥର ବିନିଯୋଗ ଯୋଜନାର ଉଦ୍ଦେଶ୍ୟ ସହ ମେଳ ଖାଉନଥିବା ଅଡିଟ୍ରୁ ସ୍ପଷ୍ଟ ହୋଇଛି । ପ୍ରକଳ୍ପ ଚୟନ, ଅନୁମୋଦନ ଏବଂ ଅର୍ଥ ବ୍ୟୟ ଆଦି ପ୍ରକ୍ରିୟା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅଡିଟ୍ ସମୟରେ ଏକାଧିକ ଅସମ୍ପୂର୍ଣ୍ଣ ପ୍ରକଳ୍ପ ସାମ୍ନାକୁ ଆସିଛି। ଉଦାହରଣ ସ୍ୱରୂପ, ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳରେ ଶ୍ରମିକମାନଙ୍କ ପାଇଁ ଏକ ୧୦୦୦ ଶଯ୍ୟା ବିଶିଷ୍ଟ ବିଶ୍ରାମ ଗୃହ ନିର୍ମାଣ ଯୋଜନା ହୋଇଥିଲା । ୨୦୨୦ ମସିହାରେ ଆରମ୍ଭ ହୋଇଥିବା ଏହି ୩୦ କୋଟି ଟଙ୍କାର ପ୍ରକଳ୍ପ ୨୦୨୨ ସୁଦ୍ଧା ଶେଷ ହେବାର ଥିଲା, କିନ୍ତୁ ତାହା ଏପର୍ଯ୍ୟନ୍ତ ଅଧାଗଢ଼ା ହୋଇ ପଡ଼ିରହିଛି । ଏପରିକି ହସ୍ତାନ୍ତର ପୂର୍ବରୁ କାନ୍ଥରେ ଫାଟ ଦେଖାଯିବା ସହ ମାଟି ଅତଡ଼ା ଖସୁଥିବା ଖବର ମଧ୍ୟ ଆସିଛି । ସେହିପରି ଯାଜପୁର ସାଠିପୁରଠାରେ ନିର୍ମିତ ଏକ ବିଜ୍ଞାନ ଏକାଡେମୀ ପାଇଁ ଡିଏମ୍ଏଫ୍ରୁ ୧୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରିନାହିଁ ।
ସ୍ଥାନୀୟ ଲୋକେ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି । ଯାଜପୁର ଜିଲ୍ଲାପାଳ ମଧ୍ୟ ସ୍ୱୀକାର କରିଛନ୍ତି ଯେ ପ୍ରକଳ୍ପ ପରିଚାଳନା ନେଇ ଡିପିଆରରେ କୌଣସି ବ୍ୟବସ୍ଥା ନାହିଁ । ପ୍ରକୃତ ହିତାଧିକାରୀଙ୍କୁ ଅଣଦେଖା କରି ଅଣ-ପ୍ରଭାବିତ ଅଞ୍ଚଳରେ ନିୟମ ଭାଙ୍ଗି ଏତେ ପରିମାଣର ଅର୍ଥ ଖର୍ଚ୍ଚ ହେବା ଘଟଣା, ଏବେ ରାଜ୍ୟର ପ୍ରଶାସନିକ ଏବଂ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

