Latest Odisha News

ହୋଟେଲ ମ୍ୟାନେଜମେଣ୍ଟରେ ଶିକ୍ଷା ଓ ତାଲିମ ପାଇଁ ଜିଲ୍ଲାର ଯୁବକ ଯୁବତୀଙ୍କୁ ଡିଏମଏଫର ସହାୟତା

ସୁନ୍ଦରଗଡ଼: ପ୍ରବାସ ଫେରନ୍ତା ବ୍ୟକ୍ତି ତଥା ଜିଲ୍ଲାର ବେକାର ଯୁବକ ଯୁବତୀଙ୍କ ପାଇଁ ହୋଟେଲ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଶିକ୍ଷା ଓ ତାଲିମ ଲାଗି ସହାୟତାର ହାତ ବଢ଼ାଇଛି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ)। ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ଚଳିତ ଶିକ୍ଷାବର୍ଷ ପାଇଁ ଜିଲ୍ଲାର ୧୭ ଜଣ ଶିକ୍ଷାର୍ଥୀ ବିଭିନ୍ନ ବିଭାଗରେ ନାମ ଲେଖାଇଛନ୍ତି।

ଜିଲ୍ଲାର ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ଡିଏମଏଫ ପକ୍ଷରୁ ନିକଟରେ ଏହି କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବଲାଙ୍ଗୀରସ୍ଥିତ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ ସହ ଅକ୍ଟୋବର ୭ରେ ଏକ ବୁଝାମଣା ସ୍ୱାକ୍ଷର କରିଥିଲା।

ରାଜ୍ୟର ଏହି ଅଗ୍ରଣୀ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ଡିଏମଏଫ ସହାୟତାରେ ଡିଗ୍ରୀ, ଡିପ୍ଲୋମା ଏବଂ ସାର୍ଟିଫିକେଟ କୋର୍ସରେ ସୁନ୍ଦରଗଡ଼ ଜିଲ୍ଲାର ଛାତ୍ରଛାତ୍ରୀମାନେ ମାଗଣାରେ ଶିକ୍ଷା ଗ୍ରହଣ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ପ୍ରଥମ ପର୍ଯ୍ୟାୟରେ ଡିଗ୍ରୀରେ ୪ ଜଣ, ଡିପ୍ଲୋମାରେ ୧୧ ଜଣ ଏବଂ ସାର୍ଟିଫିକେଟ କୋର୍ସରେ ୨ ଜଣ ନାମ ଲେଖାଇଛନ୍ତି। ଏହି ଛାତ୍ରଛାତ୍ରୀଙ୍କ ନାମଲେଖା ଏବଂ ହଷ୍ଟେଲ ବାବଦ ସମସ୍ତ ଖର୍ଚ୍ଚ ଡିଏମ୍ଏଫ୍ ବହନ କରିବ। ସେହିପରି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ଅତିରିକ୍ତ ୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ।

ଡିଗ୍ରୀ ପାଠ୍ୟକ୍ରମ ପାଇଁ ନାମଲେଖା ଶେଷ ହୋଇଥିବା ବେଳେ ଡିପ୍ଲୋମା ଏବଂ ସାର୍ଟିଫିକେଟ କୋର୍ସ ପାଇଁ ନାମଲେଖାର ଶେଷ ତାରିଖ ନଭେମ୍ବର ୩୦ ରହିଛି । ତେଣୁ ଡିପ୍ଲୋମା ପାଇଁ ଯୁକ୍ତ ୨ ପାସ୍ କରିଥିବା ଏବଂ ସାର୍ଟିଫିକେଟ ପାଠ୍ୟକ୍ରମ ପାଇଁ ମାଟ୍ରିକ ପାସ୍ କରିଥିବା ଆଗ୍ରହୀ ଛାତ୍ରଛାତ୍ରୀମାନେ ନିଜ ବ୍ଲକ କିମ୍ବା ସୁନ୍ଦରଗଡ଼ସ୍ଥିତ ଡିଏମ୍ଏଫ୍ ସହିତ ଯୋଗାଯୋଗ କରିପାରିବେ । ଡିପ୍ଲୋମା ଏବଂ ସାର୍ଟିଫିକେଟ ଉଭୟ ପାଠ୍ୟକ୍ରମ ପାଇଁ ସାଧାରଣ ବର୍ଗ ଲାଗି ବୟସ ସୀମା ୨୫ବର୍ଷ ରହିଥିବା ବେଳେ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୨୮ବର୍ଷ ରହିଛି ।

ଆଗ୍ରହୀ ଛାତ୍ରଛାତ୍ରୀମାନେ ଏ ବାବଦରେ ଅଧିକ ସୂଚନା ପାଇବା ପାଇଁ ଜିଲ୍ଲା ହେଲ୍ପଲାଇନ ନମ୍ବର ୦୧୧ – ୪୧୧୮୨୧୩୮ କିମ୍ବା ୧୮୦୦ ୩୪୫ ୭୪୬୧ରେ ଯୋଗାଯୋଗ କରିପାରିବେ।

Comments are closed.