ନୂଆଦିଲ୍ଲୀ: ଦେଶର ସବୁଠାରୁ ପ୍ରଭାବଶାଳୀ ଗଣମାଧ୍ୟମ ସଂସ୍ଥା ସନ୍ ଟିଭି ନେଟୱାର୍କରେ ବର୍ଷ ବର୍ଷ ଧରି ସ୍ଥାପିତ ପାରିବାରିକ ବିବାଦ ଏବେ ସାର୍ବଜନୀନ ହୋଇଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଡିଏମକେ ସାଂସଦ ଦୟାନିଧି ମାରାନ ତାଙ୍କ ଭାଇ ଏବଂ ସନ୍ ଟିଭି ନେଟୱାର୍କ ଅଧ୍ୟକ୍ଷ କଳାନିଧି ମାରାନଙ୍କୁ ଗୁରୁତର ଆର୍ଥିକ ଅନିୟମିତତା ଅଭିଯୋଗ କରି ଏକ ଆଇନଗତ ନୋଟିସ ପଠାଇଛନ୍ତି। ଠକେଇ, ଆତ୍ମସାତ ଏବଂ ମନି ଲଣ୍ଡରିଂ ଅଭିଯୋଗରେ ଏହି ନୋଟିସ୍ ଗତ ଜୁନ୍ ୧୦ ତାରିଖରେ ଜାରି କରିଛନ୍ତି ଡିଏମକେ ସାଂସଦ ଦୟାନିଧି ।
ଦୟାନିଧି ମାରାନଙ୍କ ଦ୍ୱାରା ଜାରି କରାଯାଇଥିବା ନୋଟିସରେ ଦାବି କରୁାଯାଇଛି ଯେ, ସନ୍ ଟିଭି ନେଟୱାର୍କର ସେୟାରହୋଲ୍ଡିଂ ଗଠନକୁ ୨୦୦୩ ସ୍ଥିତିରେ ପୁନଃସ୍ଥାପିତ କରାଯାଉ। ଏହି ଦାବି ସ୍ୱର୍ଗତ ପିତା ମୁରାସଲି ମାରାନ ଏବଂ ତାଙ୍କ ମାଆ ଏମକେ ଦୟାଲୁଙ୍କ ପାରିବାରିକ ଉତ୍ତରାଧିକାର ସମ୍ପର୍କରେ କରାଯାଇଛି ।
ଏହି ମାମଲାରେ, କେବଳ କଳାନିଧି ନୁହେଁ, ତାଙ୍କ ପତ୍ନୀ କାବେରୀ ମାରାନଙ୍କ ସମେତ ମୋଟ ଆଠ ଜଣଙ୍କୁ ନୋଟିସ୍ରେ ପ୍ରତିପକ୍ଷ କରାଯାଇଛି। ଚେନ୍ନାଇସ୍ଥିତ ଗବେଷଣାଭିତ୍ତିକ ଆଇନ ଫାର୍ମ ଲ ଧର୍ମର ଓକିଲ କେ. ସୁରେଶଙ୍କ ମାଧ୍ୟମରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଇଛି । ଯାହା ଏବେ ପାରିବାରିକ ବିବାଦକୁ ପଦାରେ ପକାଇଛି ।
ତେବେ ଏହି ବିବାଦ ଏବେକାର ନୁହେଁ । ନୋଟିସ ଅନୁଯାୟୀ, କଳାନିଧି ଏବଂ କାବେରୀ ମାରାନ ସେପ୍ଟେମ୍ବର ୨୦୦୩ ରେ ଏକ ପୂର୍ବ ଯୋଜନା ଅନୁଯାୟୀ କମ୍ପାନୀର ହେରଫେର ଆରମ୍ଭ କରିଥିଲେ, ଯାହାକୁ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଏମ କରୁଣାନିଧି ଓ ତାଙ୍କ ଭଣଜା ସ୍ବର୍ଗତ ମୁରାସଲି ମାରନ ମିଶିକି ଗଢିଥିଲେ । ଯେତେବେଳେ ସ୍ବର୍ଗତ ମୁରାସଲି ମାରନଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଜଟିଳ ଥିଲା ଏବଂ ପରିବାର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ଥିଲେ, ସେତେବେଳେ ଏହାର ସୁଯୋଗ ନେଇ କମ୍ପାନୀରେ ହେରଫେର କଳାନିଧି ଆରମ୍ଭ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ତାଙ୍କ ଭାଇ ଦୟାନିଧି । ନୋଟିସ ଅନୁଯାୟୀ, ଏହି ପରିସ୍ଥିତିର ସୁଯୋଗ ନେଇ ସେମାନେ ପରିବାରର ଅଜାଣତ ଏବଂ ସମ୍ମତି ବିନା ସେୟାର ଟ୍ରାନ୍ସଫର ଏବଂ ଗୁପ୍ତ କାରବାର ଆରମ୍ଭ କରିଥିଲେ ।
ଆହୁରି ମଧ୍ୟ ଦୟାନିଧି ଅଭିଯୋଗ କରିଛନ୍ତି ଯେ ତାଙ୍କ ପିତାଙ୍କ ମୃତ୍ୟୁ ପରେ, ମୃତ୍ୟୁ ପ୍ରମାଣପତ୍ର କିମ୍ବା ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ବିନା ମଲ୍ଲିକା ମାରାନଙ୍କ ନାମରେ ସେୟାର ହସ୍ତାନ୍ତର କରାଯାଇଥିଲା, ଯାହା ପରେ ଜାରି କରାଯାଇଥିଲା। ଏହି ପଦକ୍ଷେପକୁ ଶେଷରେ କଳାନିଧି ମାରାନଙ୍କୁ କମ୍ପାନୀର ନିୟନ୍ତ୍ରଣ ହସ୍ତାନ୍ତର କରିବା ପାଇଁ ଏକ ରଣନୈତିକ ପଦକ୍ଷେପ ଭାବରେ ଦେଖାଯାଉଛି ବୋଲି କହିଛନ୍ତି ଦୟାନିଧି ।
ତେବେ ଯେତେବେଳେ କମ୍ପାନୀ ଗଠିତ ହୋଇଥିଲା, ସେତେବେଳେ ମାତ୍ର ୧୦ ଟଙ୍କା ମୂଲ୍ୟରେ ୧୨ ଲକ୍ଷ ସେୟାର ଆବଣ୍ଟିତ କରାଯାଇଥିଲା । ଯାହାକୁ ନେଇ ନୋଟିସରେ ଏହା ମଧ୍ୟ ଦାବି କରାଯାଇଛି ଯେ ସେପ୍ଟେମ୍ବର ୧୫, ୨୦୦୩ରେ, କଳାନିଧି ମାରାନ ନିଜକୁ ପ୍ରତି ୧୦ ଟଙ୍କା ହାରରେ ୧୨ ଲକ୍ଷ ଇକ୍ୱିଟି ସେୟାର ଆବଣ୍ଟନ କରିଥିଲେ, ଯେତେବେଳେ ସେହି ସମୟରେ ଏହି ସେୟାରଗୁଡ଼ିକର ବଜାର ମୂଲ୍ୟ ୨,୫୦୦ ଟଙ୍କାରୁ ୩,୦୦୦ ଟଙ୍କା ପ୍ରତି ସେୟାର ଆକଳନ କରାଯାଇଥିଲା। ଯାହାକୁ ଦୟାନିଧି ବିଶ୍ୱାସଘାତକତା ଏବଂ ଅପରାଧିକ ଠକେଇ ଭାବରେ ବର୍ଣ୍ଣନା କରିଛନ୍ତି । ଯାହା ଦ୍ୱାରା କଳାନିଧି ଏକପାଖିଆ ଭାବରେ କୌଣସି ପରିବାର ସମ୍ମତି କିମ୍ବା ବୋର୍ଡ ଅନୁମୋଦନ ବିନା କମ୍ପାନୀର ୬୦ ପ୍ରତିଶତ ଅଂଶଧନ ନେଇଯାଇଥିଲେ ।
ଏହା ମଧ୍ୟ କୁହାଯାଇଛି ଯେ ସେହି ସମୟରେ ସନ୍ ଟିଭି ସମ୍ପୂର୍ଣ୍ଣ ଆର୍ଥିକ ଭାବରେ ସ୍ଥିର ଥିଲା ଏବଂ କୌଣସି ନୂତନ ପୁଞ୍ଜି ଆବଶ୍ୟକ ନଥିଲା, ଯାହା ଏହି ଅଂଶଧନ ଆବଣ୍ଟନକୁ ସମ୍ପୂର୍ଣ୍ଣ ଅନାବଶ୍ୟକ ଏବଂ ଅନୁଚିତ ବୋଲି ପ୍ରମାଣିତ କରେ। କଳାନିଧି ମାରାନ ସେତେବେଳ ପର୍ଯ୍ୟନ୍ତ କମ୍ପାନୀରେ କୌଣସି ଅଂଶଧନ ରଖି ନଥିଲେ। କିନ୍ତୁ ଏହି ପଦକ୍ଷେପ ପରେ, ସେ କମ୍ପାନୀର ନିୟନ୍ତ୍ରକ ଅଂଶଧନକାରୀ ହେଲେ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ଅଂଶଧନ ୨୦ ପ୍ରତିଶତକୁ ହ୍ରାସ ପାଇଲା, ଯାହା ପୂର୍ବରୁ ୫୦ ପ୍ରତିଶତ ଥିଲା ।
କଳାନିଧି ମାରାନ୍ ବର୍ତ୍ତମାନ ସାର୍ବଜନୀନ ଭାବରେ ତାଲିକାଭୁକ୍ତ ସନ୍ ଟିଭି ନେଟୱାର୍କରେ ୭୫ ପ୍ରତିଶତର ଅଂଶଧନର ମାଲିକ ଏବଂ ଦେଶର ସବୁଠାରୁ ଧନୀ ମିଡିଆ ଉଦ୍ୟୋଗୀଙ୍କ ମଧ୍ୟରେ ଜଣେ, ଯାହାଙ୍କ ନେଟ୍ ମୂଲ୍ୟ ପ୍ରାୟ ୨୪,୦୦୦ କୋଟି ଟଙ୍କା । ଏହି ଗମ୍ଭୀର ଅଭିଯୋଗ ପରେ, ଦୟାନିଧି ମାରାନ୍ ଏହି ମାମଲାରେ ସିରିୟସ୍ ଫ୍ରଡ୍ ଇନଭେଷ୍ଟିଗେସନ୍ ଅଫିସ୍ ତଦନ୍ତ ଦାବି କରିଛନ୍ତି। ସେ ଏହାକୁ କର୍ପୋରେଟ୍ ଗଭର୍ଣ୍ଣାନ୍ସ ଉଲ୍ଲଂଘନ, ଅପରାଧିକ ଆଚରଣ ଏବଂ ମନି ଲଣ୍ଡରିଂ ମାମଲା ଭାବରେ ବର୍ଣ୍ଣନା କରିଛନ୍ତି।
ତେବେ ଏହି ମାମଲା ଏବେ କେବଳ ସନ୍ ଟିଭି ନେଟୱାର୍କ ନୁହେଁ ବରଂ ତାମିଲନାଡୁର ଏକ ଅତ୍ୟନ୍ତ ପ୍ରଭାବଶାଳୀ ରାଜନୈତିକ-ପାରିବାରିକ ୟୁନିଟ୍ ମଧ୍ୟ ଚର୍ଚ୍ଚାକୁ ଆଣିଛି । ସମସ୍ତଙ୍କ ନଜର ଏବେ ଏହି ଉଚ୍ଚ-ପ୍ରୋଫାଇଲ୍ ପାରିବାରିକ ବିବାଦର ଆଇନଗତ ଲଢ଼େଇ ଉପରେ, ଯାହା ଆଗକୁ କମ୍ପାନୀର ପରିଚାଳନା ଏବଂ ପ୍ରତିଷ୍ଠା ଉଭୟକୁ ପ୍ରଭାବିତ କରିପାରେ ।
Comments are closed.