ନୂଆଦିଲ୍ଲୀ: ଆଉ ନାହାନ୍ତି ଉସ୍ତାଦ୍ ଜାକିର ହୁସେନ୍ । ପ୍ରସିଦ୍ଧ ତବଲା ବାଦକ ତବଲା ବାଦକ ଜାକିର ହୁସେନଙ୍କ ୭୩ ବର୍ଷ ବୟସରେ ପରଲୋକ ହୋଇଛି । ତେବେ ଗତ ଦୁଇ ସପ୍ତାହ ଧରି ଫୁସଫୁସ୍ ଜନିତ ରୋଗରେ ପୀଡିତ ହୋଇ ହୁସେନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟଧିକ ଖରାପ ହେବାରୁ ତାଙ୍କୁ ଆଇସିୟୁକୁ ନିଆଯାଇଥିଲା । ରବିବାର ଅର୍ଥାତ୍ ଗତକାଲି ରାତିରେ ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି । ଜାକିର ହୁସେନ୍ ପଲ୍ମନାରୀ ଫାଇବ୍ରୋସିସ୍ ରୋଗରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି ।
ଉସ୍ତାଦ୍ ହୁସେନଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ହୋଇଛି । ଜାକିର ହୁସେନ, ଜଣେ କିମ୍ବଦନ୍ତୀ ତବଲା ବାଦକ ଆଲ୍ଲା ରଖାଙ୍କ ବଡ଼ ପୁଅ ଥିଲେ । ତାଜ୍ ଟିରେ ତବଲା ବଜାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ହୁସେନ୍ ତବଲା ବାଦ୍ୟକୁ ବିଶ୍ବସ୍ତରରେ ପହଞ୍ଚାଇଥିଲେ । ହୁସେନ ତାଙ୍କ ପିତାଙ୍କ ଐତିହ୍ୟକୁ ପ୍ରତିଫଳିତ କରି ସଙ୍ଗୀତ ଜଗତରେ ଅଭୁଲା ଛାପ ଛାଡିଛନ୍ତି । କେବଳ ଦେଶ ନୁହେଁ ସାରା ବିଶ୍ବରେ ସୁନାମଧନ୍ୟ ନାମ ଅର୍ଜନ କରିଛନ୍ତି ହୁସେନ୍ ।
ଏକାବେଳକେ ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ଉପାଧି ପାଇଥିବା ସଙ୍ଗିତଜ୍ଞ ତଥା ଜଣେ ଉତ୍କୃଷ୍ଟ ତବଲା ବାଦକ ଉସ୍ତାଦ ଜାକିର ହୁସେନ୍ ୫ ଥର ଗ୍ରାମୀ ଆୱାର୍ଡ ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ସେ ୬୬ତମ ଗ୍ରାମୀ ଆଓ୍ବାର୍ଡରୁ ୩ଟି ଅନ୍ତର୍ଭୁକ୍ତ । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅବିସ୍ବରଣୀୟ ଅବଦାନ ରହିଛି। ଏଥିପାଇଁ ହୁସେନଙ୍କୁ ୧୯୮୮ରେ ପଦ୍ମଶ୍ରୀ ସମ୍ମାନ, ୨୦୦୨ରେ ପଦ୍ମ ଭୂଷଣ, ଏବଂ ୨୦୨୩ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମନିତ କରାଯାଇଛି । ବିଦେଶରେ ମଧ୍ୟ ତାଙ୍କର ଗାରିମା ବେଶ୍ ପ୍ରଜ୍ବଳିତ । ୧୯୯୯ ରେ, ତାଙ୍କୁ ଆମେରିକା ନ୍ୟାସନାଲ ଏଣ୍ଡୋମେଣ୍ଟ ଜାତୀୟ ଐତିହ୍ୟ ଫେଲୋସିପ୍ ପ୍ରଦାନ କରିଥିଲା। ଏହା ପରେ ଉସ୍ତାଦ୍ ଜାକିର ହୁସେନ୍ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଶ୍ୱ ରାଷ୍ଟ୍ରଦୂତ ଭାବରେ ମଧ୍ୟ ମାନ୍ୟତା ପାଇଥିଲେ ।
ତେବେ ୧୯୫୧ ମାର୍ଚ୍ଚ ୯ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବା ଜାକିର ହୁସେନ୍ ତୁଳସୀ ଦୁଇ ପତ୍ରୁ ବାସିଲା ଭଳି ପିଲାଟି ଦିନରୁ ହିଁ ସଙ୍ଗୀର ପ୍ରତି ତାଙ୍କ ଅହେତୁକ ଦୁର୍ବଳତା ରହିଥିଲା । ମାତ୍ର ତିନି ବର୍ଷ ବୟସରେ ସଙ୍ଗୀତ ଶିଖିବା ଆରମ୍ଭ କରିଦେଇଥିଲେ ଜାକିର । ୭ ବର୍ଷ ବୟସରେ ବାପାଙ୍କ ଠାରୁ ତବଲା ଶିଖିବା ଆରମ୍ଭ କରିଥିଲେ ଏବଂ ୧୨ ବର୍ଷ ବୟସରେ ସେ ଦେଶ ଭ୍ରମଣ କରିବା ସମୟରେ ନିଜର କଳା ପ୍ରଦର୍ଶନ କରି ସମସ୍ତଙ୍କ ମନ ମୋହିଥିଲେ । ସେ ଅନେକ ପ୍ରସିଦ୍ଧ ଭାରତୀୟ ଏବଂ ବିଦେଶୀ ସିନେମା ପାଇଁ ସଙ୍ଗୀତ ରଚନା କରିବା ସହିତ ସିନେମା ଗୁଡ଼ିକ ପାଇଁ ତବଲା ମଧ୍ୟ ବଜାଇଛନ୍ତି । ଆଜି ତାଙ୍କ ବିୟୋଗ କେବଳ ଭାରତ ନୁହେଁ, ସମଗ୍ର ବିଶ୍ବ ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତ ଦେଇଯାଇଛି ।
Comments are closed.