ଭୁବନେଶ୍ୱର: ନବୀନ ପଟ୍ଟନାୟକ, ଓଡ଼ିଶା ନୁହେଁ ସାରା ଦେଶରେ ପରିଚିତ ଏହି ନାମ। ଲମ୍ବା ଅଭିଭାଷଣ ଦେଇ ଜାଣିପାରିନଥିବା ଏହି ନେତା ଅଧିକାଂଶ ସମୟ ନିରବ ରୁହନ୍ତି। ରାଜନୀତିରେ ପାଦ ଥାପିବା ପୂର୍ବରୁ ଜଣେ ଲେଖକ ଭାବେ ପରିଚିତ ଥିବା ଏହି ବ୍ୟକ୍ତି ଜଣଙ୍କ ଅକ୍ଚୋବର ୧୬ରେ ୭୭ ବର୍ଷରେ ପଦାର୍ପଣ କରିଛନ୍ତି। ଅବିବାବିତ ଥିବା ଏହି ନେତା ସାରା ଓଡ଼ିଶାକୁ ନିଜର ପରିବାର ବୋଲି କୁହନ୍ତି। ପ୍ରାୟତଃ ନବୀନଙ୍କ ବାବଦରେ ସାରା ଦେଶ ଜାଣିସାରିଲାଣି ସେ କେମିତି ଏବଂ ତାଙ୍କର ଇତିହାସ କ’ଣ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ନବୀନ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ଯାହାକି ସେ ୧୯୯୯୭ରେ ରାଜନୀତିରେ ପାଦ ଥାପିବା ପୂର୍ବରୁ କରିଥିଲେ।
୧୯୮୮ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘The Deceivers’ରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ ନବୀନ ପଟ୍ଟନାୟକ। ଏଥିରେ ପିୟର୍ସ ବ୍ରୋସନନ୍, ଶଶୀ କପୁର ଓ ସଇଦ୍ ଜାଫ୍ରି ଭଳି କଳାକାର ପ୍ରମୁଖ ଅଭିନୟ କରିଥିଲେ। ନିକୋଲାସ୍ ମେୟର ଏହି ୧୨୦ ମିନିଟର ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଏହା ଏକ ଦୁଃସାହସିକ ଫିଲ୍ମ ଥିଲା।୧୯୫୨ରେ ଜନ୍ ମାଷ୍ଟର୍ସଙ୍କ ଦ୍ୱାରା ରଚିତ ଏକ ଉପନ୍ୟାସ ଉପରେ ଏହି ଫିଲ୍ମଟି ଆଧାରିତ ଥିଲା। ଏହି ଫିଲ୍ମଟି ମନ୍ତ୍ରତନ୍ତ୍ର ନାଁରେ କାଳୀଙ୍କୁ ପୂଜା କରି ଧର୍ମ ନାଁରେ ହତ୍ୟା ଏବଂ ଡକାୟତି କରୁଥିବା ଉପରେ ଆଧାରିତ। ଏହି ଫିଲ୍ମରେ ନବୀନ ପଗଡ଼ି ପିନ୍ଧିବା ସହିତ ଦାଢ଼ି ରଖିଥିବାର ନଜର ଆସିଛନ୍ତି।
ନବୀନ ଜଣେ ଲେଖକ ଭାବରେ ସମସ୍ତେ ଜାଣନ୍ତି। ହେଲେ ସେ ଫିଲ୍ମରେ ଅଭିନୟ କରିଛନ୍ତି ବୋଲି କେବେ କାହାରିକୁ କହି ନାହାନ୍ତି। ଯେହେତୁ ସେ ଫିଲ୍ମରେ ଏକ ମୁଖ୍ୟ ଚରିତ୍ରରେ ଅଭିନୟ କରିନଥିଲେ ତେଣୁ ଏହା ଲୁକାୟତ ରହିଛି ବୋଲି ବିଶ୍ବାସ କରାଯାଏ।
Comments are closed.