ଦୁବାଇ: ଚଳିତ ଏସିଆ କପ କ୍ରିକେଟରେ ଭାରତ ରବିବାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ସହଜ ବିଜୟ ହାସଲ କରିଛି । ତେବେ ଏହି ମ୍ୟାଚ ଏକ ନୂଆ ବିବାଦର ସୂତ୍ରପାତ କରିଛି । ଟସ ଏବଂ ମ୍ୟାଚ ଶେଷ ହେବା ପରେ ଭାରତୀୟ ଖେଳାଳିମାନେ ପାକିସ୍ତାନ ପ୍ଲେୟର୍ସଙ୍କ ସହ ହାତ ମିଳାଇ ନ ଥିଲେ । ଯାହା ଏବେ ନୋ ହ୍ୟାଣ୍ଡସେକ ବିବାଦ ସୃଷ୍ଟି କରିଛି । ପରେ ପୁରସ୍କାର ବିତରଣ ଉତ୍ସବରେ ପାକିସ୍ତାନୀ ଅଧିନାୟକ ସଲମାନ ଆଗା ସାମିଲ ହୋଇ ନ ଥିଲେ । ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଥିଲେ, ବିସିସିଆଇ ଓ ଟିମ ମ୍ୟାନେଜମେଂଟର କିଛି ନିଜସ୍ୱ ନିଷ୍ପତି ରହିଥିଲା । ଖେଳର ଭାବନାରୁ ଆଉ କିଛି ଆଗରେ ରହିଛି ।
ଅବଶ୍ୟ ଆଇସିସି ନିୟମରେ ମ୍ୟାଚ ପରେ ହାତ ମିଳାଇବା ଜରୁରୀ ବୋଲି ଦର୍ଶାଯାଇଛି । ବିପକ୍ଷ ଦଳର ଖେଳାଳି ଓ ଅମ୍ପାୟରଙ୍କୁ ସମ୍ମାନ ଦେବା ପାଇଁ ଏହା ସ୍ଥିର କରାଯାଇଛି । ପଡିଆରେ ତୁମେ ଖେଳିଲ ମାନେ ଖେଳୁଆଡ ମନୋଭାବ ଆପଣାଇବାକୁ ପଡିବ । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ବିବାଦ ଶେଷ ସୀମାରେ ପଂହଚିଛି । ଭାରତୀୟ ଟିମ କୌଣସି ଦ୍ୱିପାକ୍ଷିକ ସିରିଜ ପାକିସ୍ତାନ ସହ ଖେଳୁ ନାହାନ୍ତି । କେବଳ ଆଇସିସି ମୁକାବିଲାରେ ଉଭୟ ଟିମ ସାମ୍ନା ସାମ୍ନି ହେଉଛନ୍ତି । ଭାରତୀୟ ଟିମ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବା ପୂର୍ବରୁ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଅନେକ ରାଜନୈତିକ ଦଳ ଏବଂ ବ୍ୟକ୍ତିବିଶେଷ ଏହାକୁ ବିରୋଧ କରିଥିଲେ । ମ୍ୟାଚ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏହା ଭାରତୀୟ ସେନାକୁ ଉତ୍ସର୍ଗ କରିଥିଲେ ।
Comments are closed.