ଭୁବନେଶ୍ୱର: ଆସନ୍ତାକାଲି ପୁରୀରେ ପଦଯାତ୍ରା କରିବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଐତିହ୍ୟ ପ୍ରକଳ୍ପକୁ ବିରୋଧ କରି ସାଂସଦ ଷଡ଼ଙ୍ଗୀ ଏହି ପଦଯାତ୍ରା କରିବେ । ଏ ନେଇ ସେ ତାଙ୍କ ଫେସବୁକ ପୋଷ୍ଟରେ ସୂଚନା ଦେଇଛନ୍ତି । କିନ୍ତୁ ଫେସବୁକ ପୋଷ୍ଟରେ ସେ କେଉଁଠି ବି ଉଲ୍ଲେଖ କରିନାହାନ୍ତି ଯେ ଏହା ରାଜ୍ୟ ବିଜେପି ବା ପୁରୀ ବିଜେପି ଦ୍ୱାରା ଆୟୋଜିତ ହେଉଛି। ତେଣୁ ଆସନ୍ତାକାଲିର ଏହି ପଦଯାତ୍ରାକୁ ରାଜ୍ୟ ବିଜେପିର ସମର୍ଥନ ରହିଛି କି ନାହିଁ ତାହା ଦୋଛକିରେ।
ନିକଟରେ ଐତିହ୍ୟ ପ୍ରକଳ୍ପ କଥା ସଂସଦରେ ଉଠାଇଥିଲେ ଅପରାଜିତା । ଏହାର ଜବାବ ମଧ୍ୟ ରଖିଥିଲେ ପୁରୀ ସାଂସଦ ପିନାକି ମିଶ୍ର । କେବଳ ଚାରୋଟି ଶୌଚାଳୟ ତିଆରି ହେଉଛି ଆଉ କିଛି ହେଉନାହିଁ ବୋଲି କହିଥିଲେ। ଏହାପରେ ରାଜ୍ୟ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଆସି ଐତିହ୍ୟ ପ୍ରକଳ୍ପକୁ ବୁଲି ଦେଖିଥିଲେ । ପରେ ଶ୍ରୀମନ୍ଦିର ସୁରକ୍ଷା ନାଁରେ ଏକ ଅଭିଯାନ ଆରମ୍ଭ ହୋଇଥିଲା। ଯାହାକୁ ରାଜ୍ୟ ବିଜେପିର ଅନେକ ନେତା ସମର୍ଥନ କରିଥିଲେ। ଏ ନେଇ ସୋଶିଆଲ ମିଡିଆରେ ମଧ୍ୟ ଅଭିଯାନ ଆରମ୍ଭ ହୋଇଥିଲା । ଏହି ସମୟରେ ଅପରାଜିତା ନିରବ ରହିଥିଲେ । ଏବେ କିନ୍ତୁ ଅପରାଜିତା ନିଜ ଦମରେ ଏକ ପଦଯାତ୍ରା କରୁଛନ୍ତି । ଏହି ସମୟରେ ସମ୍ବିତ ପାତ୍ର ଯିଏକି ବିଜେପିର ଅନ୍ୟତମ ମୁଖପାତ୍ର ରହିଛନ୍ତି ସେ ଏବଂ ପୁରୀ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପଦଯାତ୍ରାରେ ସାମିଲ ହେଉଛନ୍ତି କି ନାହିଁ ତାହା ଏବେ ଦେଖିବାକୁ ରହିଲା।
ଅନ୍ୟପଟେ ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ଏବଂ ଅପରାଜିତା ଦୁଇଟି କ୍ୟାମ୍ପ ରହିଛି । ଏପରି ସ୍ଥିତିରେ ପୁରୀ ପ୍ରସଙ୍ଗରେ ରାଜ୍ୟ ସରକାର ଟିକିଏ ବ୍ୟାକଫୁଟରେ ରହିଥିବାରୁ ଶ୍ରେୟ ନେବାକୁ ଭିତିରିଆ ରାଜନୀତି ମଧ୍ୟ ତେଜିଛି । ତେଣୁ ଏବେ ଦୁଇ ଗୋଷ୍ଠୀ ଗୋଟିଏ ଉଦ୍ଦେଶ୍ୟ ରଖି ଭିନ୍ନ ଭିନ୍ନ ପନ୍ଥା ଆପଣାଉଛନନ୍ତି ବୋଲି କୁହାଯାଉଛି।
Comments are closed.