ଭୁବନେଶ୍ୱର: ଓଡ଼ିଶାର ପୂରପଲ୍ଲୀରେ ଫାଲଗୁନ ପୂର୍ଣ୍ଣିମା ତିଥିରେ ଦୋଳ ପୂର୍ଣ୍ଣିମା ପାଳିତ ହୋଇଥାଏ । ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ଆରମ୍ଭ ହୋଇଥାଏ । ସାରା ଓଡ଼ିଶାରେ ଏହି ଦିବସଟିକୁ ଦୋଳ ଦଶମୀ ବା ଫଗୁ ଦଶମୀ ମଧ୍ୟ କହିଥାଆନ୍ତି । ବିଭିନ୍ନ ସ୍ଥାନରେ ବା ଗାଁ ଗହଳିରେ ଅନେକ ଦେବା ଦେବୀ ବିମାନରେ ବିଜେ କରୁଥିଲେ ମଧ୍ୟ ମୁଖ୍ୟତଃ ଶ୍ରୀରାଧା ଶ୍ରୀକୃଷ୍ଣ ହିଁ ଏହି ପର୍ବର ଆରାଧ୍ୟ ଦେବତା । ଶ୍ରୀରାଧା ଶ୍ରୀକୃଷ୍ଣଙ୍କୁ ଅବିର ଅର୍ପଣ କରାଯାଇଥାଏ । ଶ୍ରୀରାଧା ଶ୍ରୀକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଛୋଟ ବଡ଼ ସୁନ୍ଦର ବିମାନରେ ସଜାଇ ଆମ୍ବକଷି ଲଗାଇ ଗ୍ରାମେ ଗ୍ରାମେ ଘରେ ଘରେ ଲୋକମାନେ ବୁଲାଇ ଥାଆନ୍ତି । ସମସ୍ତଙ୍କ ଘରୁ ଠାକୁରମାନେ ଭୋଗ ଖାଇ ନଗର ପରିଭ୍ରମଣ କରନ୍ତି ।
ହୋଲି ପୂର୍ବଦିନ ଗ୍ରାମରେ ମେଳଣ ବା ମେଲଣ ବେଶ୍ ଯାକଜମକରେ ଆୟୋଜିତ ହୋଇଥାଏ ।

ଦୋଳ ପୂର୍ଣ୍ଣିମାର ଠିକ୍ ପରଦିନ ହିଁ ହୋଲି ଖେଳ ଅନୁଷ୍ଠିତ ହୋଇଥାଏ । ଭିନ୍ନ ଭିନ୍ନ ରଙ୍ଗକୁ ଲୋକମାନେ ପରସ୍ପରକୁ ଲଗାଇ ଖେଳିଥାଅ।।ନ୍ତି । ପିଚକାରୀ ମାଧ୍ୟମରେ ରଙ୍ଗପାଣି ଛାଟିବାର ଦେଖାଯାଇଥାଏ ।
ଏହି ଦୋଳ ପୂର୍ଣ୍ଣିମା ପର୍ବଟି ଅନେକ ସ୍ଥାନରେ ପାଞ୍ଚଦିନ ବ୍ୟାପି ଅନୁଷ୍ଠିତ ହେଉଥିବାରୁ ଏହା ପଞ୍ଚୁଦୋଳ ଯାତ୍ରା ଭାବେ ମଧ୍ୟ ପରିଚିତ । ଅନେକ ସ୍ଥାନରେ ପୂର୍ଣ୍ଣିମା ଦିନହିଁ ଏହି ପର୍ବର ସମାପ୍ତି ଘଟିଥାଏ । ଯେଉଁ ସ୍ଥାନରେ ଛଅଦିନ ବ୍ୟାପି ପର୍ବ ପାଳିତ ହୁଏ ସେଠାରେ ଏହାକୁ ଛଅଦୋଳ ପର୍ବ ଏବଂ ନଅ ଦିନ ବ୍ୟାପି ପାଳିତ ହେଉଥିବା ଉତ୍ସବକୁ ନବଦୋଳ କୁହାଯାଇଥାଏ ।
Comments are closed.