Latest Odisha News

ଟ୍ରମ୍ପଙ୍କ ତୁଣ୍ଡ ଦୋଷ

ନୂଆଦିଲ୍ଲୀ: ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଜମି ଆସୁଥିବା ବେଳେ ବାକ୍ ଯୁଦ୍ଧ ଓ ଆରୋପ ପ୍ରତ୍ୟାରୋପ ବି ବଢିବାରେ ଲାଗିଛି । ସରଗରମ ପ୍ରଚାର ମଧ୍ୟରେ ଡୋନାଲ୍‌ଡ ଟ୍ରମ୍ପ ପ୍ରତିଦ୍ୱନ୍ଦୀ କମଲା ହ୍ୟାରିସଙ୍କୁ ଟାର୍ଗେଟ କରି ଦେଇଛନ୍ତି ବର୍ଣ୍ଣବୈଷମ୍ୟ ମନ୍ତବ୍ୟ ।

ଏମିତି କଣ କହିଲେ ଟ୍ରମ୍ପ, ଯାହାକୁ ନେଇ ତାଙ୍କୁ ସମାଲୋଚନା କରାଯାଉଛି । ଚିକାଗୋରେ ବସିଥିଲା ନ୍ୟାସନାଲ ଆସୋସିଏସନ ଅଫ୍ ବ୍ଲାକ୍ ଜର୍ନାଲିଷ୍ଟ୍‌ସ ସମ୍ମିଳନୀ । ଏଥିରେ ଯୋଗ ଦେଇ କମଲା ହ୍ୟାରିସଙ୍କୁ ତାତ୍ସଲ୍ୟ କରିଥିଲେ ଟ୍ରମ୍ପ । କମଲା ହ୍ୟାରିସ କୃଷ୍ଣକାୟ ନା ଭାରତୀୟ ବଂଶୋଦ୍ଭବ ବୋଲି ପ୍ରଶ୍ନ କରିଥିଲେ ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ । କମଲା ହ୍ୟାରିସ କୃଷ୍ଣକାୟ ବୋଲି ପରିଚୟ ଦେଉନଥିଲେ । ଏବେ କେମିତି କମଲା କୃଷ୍ଣକାୟ ହୋଇଗଲେ ବୋଲି ପ୍ରଶ୍ନ କରିଥିଲେ ଟ୍ରମ୍ପ । କମଲା ହ୍ୟାରିସ ସବୁବେଳେ ଭାରତୀୟ ବଂଶୋଦ୍ଭବ ଭାବେ ପରିଚୟ ଦେଇ ଆସିଛନ୍ତି । ଆମେରିକାରେ କମଲା କେବଳ ମୂଳ ଭାରତୀୟ ଲୋକଙ୍କୁ ପ୍ରାଥମିକତା ଦେଇ ଆସୁଛନ୍ତି ବୋଲି ଅଭିଯୋଗ କରିଥିଲେ ଟ୍ରମ୍ପ ।

କୃଷ୍ଣକାୟ ସାମ୍ବାଦିକଙ୍କ ସମ୍ମିଳନୀରେ ପ୍ରତିଦ୍ୱନ୍ଦୀ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟ ମନ୍ତବ୍ୟ ଯୋଗୁଁ ଟ୍ରମ୍ପଙ୍କୁ କଡା ସମାଲୋଚନା କରାଯାଇଛି । ତାଙ୍କ ମନ୍ତବ୍ୟକୁ ନିନ୍ଦା କରାଯାଇଛି । ଏପରିକି ସମ୍ମିଳନୀର ହୋଷ୍ଟ୍ ତଥା ଏବିସି ନ୍ୟୁଜ୍ ରିପୋର୍ଟର ରାଚେଲ୍ ସ୍କଟଙ୍କ ସହ ଏ ପ୍ରସଙ୍ଗରେ ଟ୍ରମ୍ପଙ୍କ ସରଗରମ ଯୁକ୍ତି ହୋଇଥିଲା ।

କମଲା ହ୍ୟାରିସ କହିଛନ୍ତି ଯେ, ଟ୍ରମ୍ପଙ୍କ ମନ୍ତବ୍ୟ ବିଭାଜନକାରୀ ଓ ଅପମାନଜନକ ବ୍ୟବହାର ଯାହା କି ଆମେରିକାର ଯନ୍ତ୍ରଣାଦାୟକ ଅତୀତକୁ ମନେପକାଇ ଦେଉଛି । ଆମେରିକାର ଏକ କୃଷ୍ଣକାୟ ମହିଳା ସଂଗଠନର ଏକ ସଭାରେ ଯୋଗ ଟ୍ରମ୍ପଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି । ହ୍ୱାଇଟ ହାଉସ ମଧ୍ୟ ଟ୍ରମ୍ପଙ୍କ ବର୍ଣ୍ଣବୈଷମ୍ୟ ମନ୍ତବ୍ୟକୁ ନିନ୍ଦା କରିଛି ।

ଡୋନାଲଡ୍ ଟ୍ରମ୍ପଙ୍କ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ଦେଇ ବିବାଦରେ ରହିବା ନୂଆ କଥା ନୁହେଁ । ଆଗରୁ ମଧ୍ୟ ସେ ଏଭଳି ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ଏସୀୟ ଓ ଲାଟିନ୍ ଆମେରିକୀୟଙ୍କୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ । ଏପରିକି ସେ ପୂୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଆମେରିକୀୟ ନାଗରିକତା ଉପରେ ପ୍ରଶ୍ନ ଉଠାଇଥିଲେ । ଆମେରିକାରେ ଓବାମାଙ୍କ ଜନ୍ମ ହୋଇନାହିଁ ବୋଲି ମିଛ ଅଭିଯୋଗ କରିଥିଲେ ଟ୍ରମ୍ପ । ନିଜ ରିପବ୍ଲିକାନ ପାର୍ଟିର ନେତ୍ରୀ ନିକ୍କି ହେଲିଙ୍କ ବିରୋଧରେ ବି ବର୍ଣ୍ଣବୈଷମ୍ୟ ମନ୍ତବ୍ୟ ଦେଇଥିଲେ ପୂର୍ବତନ ରାଷ୍ଟ୍ରପତି ।

ବିଶେଷଜ୍ଞମାନଙ୍କ ମତରେ ଟ୍ରମ୍ପ ଜାଣିଶୁଣି କମଲା ହ୍ୟାରିସଙ୍କୁ ତାଙ୍କ ରଙ୍ଗ ଓ ପରିଚୟ ନେଇ ଆକ୍ରମଣ କରୁଛି । କେବଳ ଟ୍ରମ୍ପ ନୁହନ୍ତି , ରିପବ୍ଲିକାନ ପାର୍ଟିର କିଛି ରକ୍ଷଣଶୀଳ ନେତା ବି କମଲାଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ କରିଛନ୍ତି । କମଲାଙ୍କ ବର୍ଣ୍ଣ ପାଇଁ ହିଁ ତାଙ୍କୁ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଚାହୁଁଛି ବୋଲି ଅନେକ ରିପବ୍ଲିକାନ ପାର୍ଟି ନେତା ମନ୍ତବ୍ୟ ଦେଇଛନ୍ତି ।

କମଲା ହ୍ୟାରିସଙ୍କ ମାଆଙ୍କ ଜନ୍ମ ତାମିଲନାଡୁରେ ହୋଇଥିଲା । ମାଆ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଥଲେ । ପରେ ସେ ଆମେରିକା ଚାଲିଯାଇଥିଲେ । କମଲାଙ୍କ ପିତା ଜାମାଇକାରେ ଜନ୍ମ ଗ୍ରହଣ କରିଥିଲେ । କମଲା କାଲିଫର୍ଣ୍ଣିଆର ଅକଲାଣ୍ଡରେ ଜନ୍ମ ଗ୍ରହଣ କରିଥିଲେ । ୫ ବର୍ଷ ହୋଇଥିବା ବେଳେ କମଲାଙ୍କ ବାପା-ମାଆ ଅଲଗା ହୋଇଯାଇଥିଲେ ।

 

Comments are closed.