ନୂଆଦିଲ୍ଲୀ: ଦୁଇ ବର୍ଷର ରକ୍ତପାତ ଏବଂ ଧ୍ୱଂସ ପରେ, ଶେଷରେ ଗାଜାରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଗାଜା ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ, ହମାସ ୨୦ ଜଣ ବନ୍ଧକଙ୍କୁ ଇସ୍ରାଏଲକୁ ହସ୍ତାନ୍ତର କରିଛି। ପ୍ରତିବଦଳରେ, ଇସ୍ରାଏଲ ୨୫୦ ପାଲେଷ୍ଟାଇନୀ ବନ୍ଦୀଙ୍କୁ ମୁକ୍ତ କରିଛି। ଚୁକ୍ତିନାମାରେ ସ୍ୱାକ୍ଷର କରିବା ପାଇଁ ଟ୍ରମ୍ପ ବ୍ୟକ୍ତିଗତ ଭାବରେ ମିଶର ଗସ୍ତ କରିଥିଲେ। ଯାହା ପରେ ଏବେ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିଥିବା ବେଳେ ଘଣ ବାହାଡୁଛନ୍ତି ବନ୍ଧକ । କିନ୍ତୁ ପ୍ରଶ୍ନ ହେଉଛି, ଦୁଇ ବର୍ଷର ଧ୍ବଂସ ଲୀଳା ପରେ, ଶେଷରେ ଏହି ଯୁଦ୍ଧରେ ଜିତିଲା କିଏ? ଇସ୍ରାଏଲ ନା ହମାସ?
କଳା ଚାଦରରେ ଘୋଡେଇ ହୋଇଛି ଗାଜା
୭ ଅକ୍ଟୋବର, ୨୦୨୩ରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ, ଆଧୁନିକ ଇତିହାସର ସବୁଠାରୁ ଦୀର୍ଘ ଏବଂ ସବୁଠାରୁ ଧ୍ୱଂସାବଶେଷ ପାଲଟିଛି। ଚାରଆଡେ କେବଳ ପାଉଁଶ । ଗାଜା, ଯାହା ଥରେ ୨.୧ ନିୟୁତ ଲୋକଙ୍କ ବାସସ୍ଥାନ ଥିଲା, ଏବେ ଧ୍ୱଂସାବଶେଷର ସହର। ସତେ ଯେପରି ଲାଗୁଛି କଳା ଚାଦର ଘୋଡେଇ ହୋଇଛି ଗାଜା । ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ ଗାଜା ଏବେ ପ୍ରାୟ ବାସଯୋଗ୍ୟ ନୁହେଁ। ଜାତିସଂଘର ରିପୋର୍ଟ ଅନୁଯାୟୀ, ଏହି ସଂଘର୍ଷରେ ୨୦,୦୦୦ ଶିଶୁଙ୍କ ସମେତ ୬୭,୦୦୦ ରୁ ଅଧିକ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି। ୧୬୯,୦୦୦ ଲୋକ ଆହତ ହୋଇଛନ୍ତି ଏବଂ ପ୍ରାୟ ୯୦% ଜନସଂଖ୍ୟା ବିସ୍ଥାପିତ ହୋଇଛନ୍ତି। ୧୨୫ଟି ହସ୍ପିଟାଲ ଏବଂ କ୍ଲିନିକ୍ ନଷ୍ଟ ହୋଇଛି, ୯୨% ଆବାସିକ କୋଠା ଭାଙ୍ଗି ଦିଆଯାଇଛି ଏବଂ ୯୮% କୃଷି ଜମି ନଷ୍ଟ ହୋଇଛି।
ହମାସ ସମ୍ପୂର୍ଣ୍ଣ ନିଶ୍ଚିହ୍ନ
ହମାସ ପାଇଁ ଏହି ଯୁଦ୍ଧ ଏକ ସାମରିକ ପରାଜୟ ବୋଲି ବିବେଚନା କରାଯାଇପାରେ, କିନ୍ତୁ ଏକ ରାଜନୈତିକ ବିଜୟ। ଇସ୍ରାଏଲୀ ଆକ୍ରମଣରେ ସଂଗଠନର ପ୍ରାୟ ସମ୍ପୂର୍ଣ୍ଣ ଶୀର୍ଷ ନେତୃତ୍ୱ ନିହତ ହୋଇଯାଇଛନ୍ତି । ହମାସ ମୁଖ୍ୟ ୟାହ୍ୟା ସିନୱାର, ଉପୁମଖ୍ୟ ସାଲେହ ଅଲ-ଆରୋରିଙ୍କ ଠାରୁ ଆରମ୍ଭ କରି ସାମରିକ ମୁଖ୍ୟ ମହମ୍ମଦ ଦୈଫ୍, ରାଜନୈତିକ ମୁଖ୍ୟ ଇସ୍ମାଇଲ୍ ହାନିୟେ ଯୁଦ୍ଧରେ ସମସ୍ତଙ୍କୁ ହାରାଇଛି । ଏମିତିକି ନୂଆ କରି ନିଯୁକ୍ତ ହୋଇଥିବା ହମାସ ମୁଖ୍ୟ ମହମ୍ମଦ ସିନୱାରଙ୍କୁ କିଛି ସପ୍ତାହ ମଧ୍ୟରେ ନିହତ କରିଥିଲା ଇସ୍ରାଏଲ ସେନା । ତେବେ ଏହା ସତ୍ତ୍ୱେ, ହମାସ ଏହାର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟକୁ ପୂରଣ କରିବାରେ ଆଂଶିକ ଭାବରେ ସଫଳ ହୋଇଛି, ପ୍ରଥମତଃ, ଆରବ ଦେଶ ଏବଂ ବିଶ୍ୱ ସ୍ତରରେ ପାଲେଷ୍ଟାଇନ ପ୍ରସଙ୍ଗକୁ ସାମ୍ନାକୁ ଆଣିବା। ମୁକ୍ତ ପାଲେଷ୍ଟାଇନ ଆନ୍ଦୋଳନ ବିଶ୍ୱର ଅନେକ ଦେଶରେ ଗତି ପାଇଲା, ଏବଂ ଫ୍ରାନ୍ସ ଭଳି ଅନେକ ଦେଶ ପାଲେଷ୍ଟାଇନକୁ ସ୍ୱୀକୃତି ଦେଲେ। ଦ୍ୱିତୀୟତଃ, ଇସ୍ରାଏଲର ନୀତିକୁ ଚ୍ୟାଲେଞ୍ଜ କରିବା।
ଭାରୀ ମୂଲ୍ୟରେ ଇସ୍ରାଏଲ ବିଜୟୀ
ଏହି ସଂଘର୍ଷରେ ଇସ୍ରାଏଲର ବିଜୟ ହୋଇଛି କହିବା ଭୁଲ୍ ହେବ ନାହିଁ । କିନ୍ତୁ ଏଥିପାଇଁ ଇସ୍ରାଏଲକୁ ଭାରୀ ମୂଲ୍ୟ ଦେବାକୁ ପଡିଛି । ଦୁଇ ବର୍ଷର ଯୁଦ୍ଧରେ ଇସ୍ରାଏଲ ପ୍ରାୟତଃ ଏହାର ସାମରିକ ଉଦ୍ଦେଶ୍ୟ ହାସଲ କରିଥିଲା। ହମାସର ଶୀର୍ଷ ନେତୃତ୍ୱକୁ ନିପାତ କରିଥିଲା । ଅସ୍ତ୍ରଶସ୍ତ୍ର ଡିପୋ ନଷ୍ଟ କରିଥିଲା ଏବଂ ହମାସର ସୁଡ଼ଙ୍ଗ ନେଟୱାର୍କର ଏକ ବଡ଼ ଅଂଶକୁ ଧ୍ଂସ କରିଛି । କିନ୍ତୁ ଏହା ବଦଳରେ ମୂଲ୍ୟ ବି ଭାରୀ ଦେଇଛି ଇସ୍ରାଏଲ । ପ୍ରାୟ ୨,୦୦୦ ଇସ୍ରାଏଲୀଙ୍କ ମୃତ୍ୟୁ ହୋଇଥିଲା, ଯେଉଁଥିରେ ୯୦୦ ସାଧାରଣ ନାଗରିକ ଥିବା ବେଳେ ବାକି ସୈନିକ ଥିଲେ। ସବୁଠୁ ବଡ କଥା ହେଉଛି, ଗାଜାରେ ହମାସର ଶାସନ ଶେଷ ହୋଇଛି ସତ କିନ୍ତୁ ପାଲେଷ୍ଟାଇନକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ମାନ୍ୟତା ଦେବା ପାଇଁ ଅନ୍ତର୍ଜାତୀୟ ଚାପ ଏବେ ବୃଦ୍ଧି ପାଇଛି। ଯାହା ସାମରିକ ବିଜୟ ସତ୍ତ୍ୱେ, ଇସ୍ରାଏଲ ପାଇଁ ଏକ ରାଜନୈତିକ ପରାଜୟ ।
ତେବେ ଏବେ ଶାନ୍ତ ପଡିଛି ମଧ୍ୟପ୍ରାଚ୍ୟ । ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି, ଯେଉଁଥିରେ ବନ୍ଧକ ବିନିମୟ ଏବଂ ରିଲିଫ୍ ସାମଗ୍ରୀ ଯୋଗାଣ ରହିଛି । ପରବର୍ତ୍ତୀ ପର୍ଯ୍ୟାୟରେ ଗାଜାର ପୁନଃନିର୍ମାଣ, ସୁରକ୍ଷା ବ୍ୟବସ୍ଥା ଏବଂ ଅସ୍ଥାୟୀ ପ୍ରଶାସନ ଉପରେ ଧ୍ୟାନ ଦିଆଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି । ତଥାପି, ଜାତିସଂଘର ରିପୋର୍ଟରେ କୁହାଯାଇଛି ଯେ ଗାଜାରେ କ୍ଷୟକ୍ଷତି ଏତେ ଗଭୀର ଯେ ଦଶନ୍ଧି ପର୍ଯ୍ୟନ୍ତ ଜୀବନ ସ୍ୱାଭାବିକ ହେବ ନାହିଁ।
Comments are closed.