ବ୍ୟସ୍ତ ବହୁଳ ଜୀବନ ଭିତରେ ଏହି ପ୍ରକାରର ଖାଦ୍ୟ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ
ଭୁବନେଶ୍ଵର: ଅଧିକ ମସଲା ଯୁକ୍ତ ଖାଦ୍ୟ, ଅତ୍ଯଧିକ ଫ୍ରାଏ ବା ଭଜା ହୋଇଥିବା କିମ୍ବା ଫାଷ୍ଟ୍ ଫୁଡ୍ ଆମ ଶରୀର ପାଇଁ କେତେ କ୍ଷତିକାର ତାହା ଆମ ସମସ୍ତଙ୍କୁ ଜଣା । ତଥାପି ଅଧିକାଂଶ ଲୋକ ଏହି ଅଭ୍ୟାସରୁ ବାହାରିପାରି ନଥାନ୍ତି । ଯଦି ଆପଣ ମଧ୍ୟ ଏହି ଅଭ୍ୟାସରେ ଅଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । କାରଣ ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଅତ୍ୟଧିକ ଫାଷ୍ଟ ଫୁଡ୍ ଖାଇବା ଦ୍ବାରା ଯକୃତ ରୋଗ ହୋଇଥାଏ ବୋଲି ଜାଣିବାକୁ ପାଇଛନ୍ତି ଅନୁସନ୍ଧାନକାରୀ ।
ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଫାଷ୍ଟଫୁଡ୍ ତଥା ବିଭିନ୍ନ ଅଲ୍ଟ୍ରା-ପ୍ରୋସେସଡ୍ ଖାଦ୍ୟର ଦୀର୍ଘକାଳୀନ ବ୍ୟବହାର କଲୋନ୍ କ୍ୟାନସର୍ ତଥା ଅନ୍ତନଳୀ କର୍କଟ ରୋଗର ଆଶଙ୍କା ବଢ଼ାଇପାରେ। ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ଯଦି ଜଣେ ବ୍ୟକ୍ତିର ନିଜ ଜୀବନଶୈଳୀରେ ଦୀର୍ଘ ସମୟ ପର୍ୟ୍ୟନ୍ତ ଏପରି ଖାଦ୍ୟ ଖାଇଥାନ୍ତି, ତେବେ ସେ ଏହି ରୋଗର ଶିକାର ହୋଇପାରନ୍ତି।
ଅଲ୍ଟ୍ରା-ପ୍ରୋସେସଡ୍ ଖାଦ୍ୟ ଖାଉଥିବା ୨୯ ପ୍ରତିଶତ ପୁରୁଷଙ୍କ ଠାରେ ଏହି ରୋଗ ହେବା ସମ୍ଭାବନା ରହିଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। କେବଳ ସେତିକି ନୁହେଁ ଯେଉଁ ମହିଳାମାନେ ଅଧିକ ମାତ୍ରାରେ ରେଡି-ଟୁ-ଇଟ୍ ଖାଦ୍ୟ ଖାଉଛନ୍ତି ସେମାନଙ୍କ ଠାରେ ୧୭ ପ୍ରତିଶତ କଲୋନ କ୍ୟାନ୍ସନ ହେବା ଆଶଙ୍କା ରହିଥିବା ରିସର୍ଚ୍ଚରୁ ଜଣାପଡିଛି।
ଇନ୍ଷ୍ଟାଣ୍ଟ ନୁଡୁଲ୍ସ ଓ ସୁପ୍, ରେଡି-ଟୁ-ଇଟ୍ ମିଲ୍ସ, ପ୍ୟାକ୍ ସ୍ନାକ୍ସ, ଫ୍ରିଜି କୋଲ୍ଡ ଡ୍ରିଙ୍କସ୍, କେକ, ବିସ୍କୁଟ୍, ପିଜ୍ଜା, ପାସ୍ତା ଓ ବର୍ଗର। ଏ ସବୁ ଖାଦ୍ୟ ବେଶ୍ ଶସ୍ତା ଓ ସହଜରେ ହାତ ପାଆନ୍ତରେ ମିଳିଯାଏ। କିନ୍ତୁ ଏଥିରେ ଅଧିକ ମାତ୍ରାରେ କ୍ୟାଲୋରୀ ଥାଏ। ଏହି କାରଣରୁ ଓଜନ ବଢ଼ିବାକୁ ଲାଗେ।
ଅଲ୍ଟ୍ରା-ପ୍ରୋସେସଡ୍ ଖାଦ୍ୟ ପାଶ୍ଚାତ୍ୟ ଜୀବନଶୈଳୀର ଏକ ସାଧାରଣ ଅଂଶ ପାଲଟିଯାଇଛି । ପ୍ରାୟ ୨୩,୦୦୦ ଲୋକଙ୍କ ଉପରେ କରାଯାଇଥିବା ଅନ୍ୟ ଏକ ଅନୁସନ୍ଧାନରେ ବୈଜ୍ଞାନିକମାନେ ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଅଲ୍ଟ୍ରା-ପ୍ରୋସେସଡ୍ ଖାଦ୍ୟ ଖାଉଥିବା ଲୋକଙ୍କ ମଧ୍ୟରେ ଅଧିକ ମୃତ୍ୟୁ ହାର ହେଉଥିବା ଜାଣିବାକୁ ପାଇଥିଲେ। ଏଥିପାଇଁ ଅଲ୍ଟ୍ରା-ପ୍ରୋସେସଡ୍ ଖାଦ୍ୟଠାରୁ ଦୂରେଇ ରହିବାକୁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି।