Latest Odisha News

BREAKING NEWS

ମଧ୍ୟପ୍ରଦେଶରେ ବିଜେପିକୁ ଡବଲ ଝଟକା

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଜେପିକୁ ବଡ଼ ଝଟକା। ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାସ ଯୋଶୀଙ୍କ ପୁଅ ତଥା ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦୀପକ ଯୋଶୀ କଂଗ୍ରେସରେ ଯୋଗ ଦେଇଛନ୍ତି।

ନିଜର ସମର୍ଥକ ମାନଙ୍କ ସହ ଦୀପକ କଂଗ୍ରେସରେ ମିଶିଛନ୍ତି। ମଧ୍ୟପ୍ରଦେଶ ପିସିସି ସଭାପତି କମଲନାଥ ତାଙ୍କୁ କଂଗ୍ରେସ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି।

ମଧ୍ୟପ୍ରଦେଶରେ ବିଜେପିକୁ ଶକ୍ତ କରି ଗଢ଼ିତୋଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୈଳାଶ ଯୋଶୀଙ୍କର ପୁରା ରାଜ୍ୟରେ ବଡ଼ ପ୍ରଭାବ ରହିଥିଲା। ଏପରିକି ତାଙ୍କ ପୁଅ ଦୀପକ ଯୋଶୀ ମଧ୍ୟ ରାଜ୍ୟରେ ମନ୍ତ୍ରୀ ରହିଛନ୍ତି ଓ ମଧ୍ୟପ୍ରଦେଶରେ ଜଣେ ଟାଣୁଆ ନେତା।

ତେଣୁ ତାଙ୍କର ବିଜେପି ଛାଡି କଂଗ୍ରେସରେ ମିଶିବା ବିଜେପିକୁ ଏକ ବଡ଼ ଝଟକା ବୋଲି କୁହାଯାଉଛି। ଦଳୀୟ ନିଷ୍ପତ୍ତି ଓ କାର୍ଯ୍ୟକଳାପରେ ଅସନ୍ତୋଷ ବ୍ୟକ୍ତ କରି ସେ କିଛି ଦିନ ତଳେ ବିଜେପି ଛାଡିବା ସହ କଂଗ୍ରେସରେ ମିଶିବା ନେଇ ସଂକେତ ଦେଇସାରିଥିଲେ।

ଏପରିକି ତାଙ୍କୁ ରାଜ୍ୟର ନେତୃତ୍ୱଙ୍କ ସମେତ କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ମନାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ନିଜ ଜିଦରେ ଅଟଳ ଥିବା ଦୀପକ କଂଗ୍ରେସରେ ଯୋଗ ଦେଇଛନ୍ତି। ସେହିପରି ଠିକ ତାଙ୍କ ପୂର୍ବରୁ ବିଜେପିର ପୂର୍ବତନ ବିଧାୟକ ରାଧେଲାଲ ବଘେଲ କଂଗ୍ରେସରେ ସାମିଲ ହୋଇଛନ୍ତି।

ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ବାକି ଥିବା ବେଳେ ବିଜେପିର ପ୍ରମୁଖ ନେତାମାନେ କଂଗ୍ରେସରେ ମିଶିବା ରାଜ୍ୟ ରାଜନୀତିକୁ ଚଳଚଞ୍ଚଳ କରିଛି। ଦଳ ଛାଡି କଂଗ୍ରସରେ ମିଶିଥିବା ରାଧେଲାଲଙ୍କୁ ଦଳ ଉପେକ୍ଷା କରିଥିବା ସେ କହିଛନ୍ତି। ଏପରିକି ଖୁବ ଶୀଘ୍ର ଆହୁରି ବିଜେପିର ବରିଷ୍ଠ ନେତା ଓ ପୂର୍ବତନ ବିଧାୟକ ମାନେ କଂଗ୍ରେସରେ ସାମିଲ ହେବେ ବୋଲି ସେ କହିଛନ୍ତି।

ବିଜେପିର ନେତୃତ୍ୱ କାର୍ଯ୍ୟକଳାପକୁ ନେଇ ମଧ୍ୟପ୍ରଦେଶର ବହୁ ଦଳୀୟ ନେତା ଅସନ୍ତୁଷ୍ଟ ଥିବା ବଘେଲ କହିଛନ୍ତି। କର୍ଣ୍ଣାଟକ ନିର୍ବାଚନ ଟିକେଟ ବଣ୍ଟନ ବେଳେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ମଧ୍ୟ ଦଳ ଛାଡି କଂଗ୍ରେସରେ ମିଶିବା ପରେ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ। ବିଜେପିରେ କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀ ଦଳୀୟ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଥିଲେ।

ଏପରିକି କର୍ଣ୍ଣାଟକରେ ବହୁ ପ୍ରମୁଖ ନେତା ଦଳ ଛାଡି କଂଗ୍ରେସ ଓ ଜେଡିଏସରେ ସାମିଲ ହୋଇଛନ୍ତି। ଏଭଳି ସ୍ଥିତିରେ ଆଗକୁ ମଧ୍ୟପ୍ରଦେଶ ନିର୍ବାଚନ ଥିବାରୁ ବିଜେପିର ବରିଷ୍ଠ ନେତାମାନେ ଦଳ ଛାଡିବା ଚର୍ଚ୍ଚାର ପ୍ରସଂଗ ପାଲଟିଛି।

ସିନ୍ଧିଆ ଗୋଷ୍ଠୀ ଓ ବିଜେପିର ପୁରୁଣା ଗୋଷ୍ଠୀଙ୍କ ମଧ୍ୟରେ ଲଢେ଼ଇ ତୀବ୍ରତର ହେଉଥିବା ବେଳେ ଏହା ତାର ପ୍ରତିଫଳନ ବୋଲି କୁହାଯାଉଛି। ବିଜେପି ନେତାଙ୍କ ଅସନ୍ତୋଷ କେତେ ଆଗକୁ ଯିବ ଓ ଦଳ ବିଦ୍ରୋହୀଙ୍କୁ କିଭଳି ମ୍ୟାନେଜ କରିବ ତା ଉପରେ ନଜର।

Comments are closed.