ଭୁବନେଶ୍ୱର: କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି । କିଟ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଇଣ୍ଡିଆନ୍ ସୋସାଇଟି ଫର୍ ଟେକ୍ନିକାଲ୍ ଏଜୁକେସନ୍ ର ୫୩ତମ ଜାତୀୟ ବାର୍ଷିକ ସମ୍ମିଳନୀରେ ଆଜି ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆଇଏସଟିଇର କାର୍ଯ୍ୟକାରୀ ସମ୍ପାଦକ ଡ.ଏସ.ଏମ.ଅଲ୍ଲୀ ଏବଂ କୋଷାଧ୍ୟକ୍ଷ ପ୍ରଫେସର ଜି. ମାଲାସେଠୀଙ୍କ ଉପସ୍ଥିତିରେ ଆଇଏସଟିଇର ସଭାପତି ପ୍ରଫେସର ପ୍ରତାପ ସିଂ କାକାସାହେବ ଦେଶାଇ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ ।
ବୈଷୟିକ ଓ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ଶ୍ରୀ ସାମନ୍ତଙ୍କ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି । ଏହାଛଡ଼ା ସବୁଜ ପ୍ରୟାସ ନିମନ୍ତେ କିଟକୁ ମଧ୍ୟ ଆଇଏସଟିଇ ଜାତୀୟ ଶ୍ରେଷ୍ଠ ସ୍ୱଚ୍ଛ ଓ ସବୁଜ କ୍ୟାମ୍ପସ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷରେ ଶ୍ରେଷ୍ଠ ପ୍ରଶାସକ ଭାବେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍ ସିଂହଙ୍କୁ ଆଏଏସଟିଇ ଜାତୀୟ ଶ୍ରେଷ୍ଠ ପ୍ରଶାସକ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।
କିଟ୍ ବିଶ୍ୱବିଦ୍ୟାଳୟ ସହଯୋଗରେ କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜି ଆଇଏସଟିଇର ଦୁଇଦିନିଆ ୫୩ତମ ବାର୍ଷିକ ସମ୍ମିଳନୀ ଉଦ୍ଘାଟିତ ହୋଇଛି । ଏହି ସମ୍ମିଳନୀର ବିଷୟବସ୍ତୁ ‘ବିକଶିତ ଭାରତ୨୦୪୭: ଉଚ୍ଚଶିକ୍ଷା ସହ ସମନ୍ୱୟ’ ରଖାଯାଇଛି । ଏହି ସମ୍ମିଳନୀରେ ଦେଶର ବହୁ ପ୍ରତିଷ୍ଠିତ ବୈଷୟିକ ଶିକ୍ଷାବିତ୍ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ କରାଯାଇ ସଂସ୍କାର ଅଣାଯାଇପାରିବ ଏବଂ ଉଚ୍ଚ ଶିକ୍ଷା ସହ ସମନ୍ୱୟ ରକ୍ଷା କରାଯାଇ କିପରି ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରାଯାଇପାରିବ ସେ ନେଇ ବ୍ୟାପକ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି ।
Comments are closed.