Latest Odisha News

ଭୁବନେଶ୍ୱରର ପୌର ନିଗମର ପ୍ରଥମ ମେୟର୍ ଡାକ୍ତର ଜଗନ୍ନାଥ ମହାପାତ୍ର ପରଲୋକ

ଭୁବନେଶ୍ୱର: ଭୁବନେଶ୍ୱର ପୌର ନିଗମର ପ୍ରଥମ ମେୟର୍ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କର ପରଲୋକ ହୋଇଛି। ବୁଧବାର ସକାଳେ ସହିଦ ନଗରସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଜଗନ୍ନାଥ। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା।

ରାଜନୀତି ବ୍ୟତୀତ ଜଗନ୍ନାଥ ମହାପାତ୍ର ଜଣେ ସମାଜସେବୀ ଓ ରାଜନେତା ତଥା ଚିକିତ୍ସକ ଭାବେ ତାଙ୍କର ବେଶ୍ ଖ୍ୟାତି ରହିଛି। ତାଙ୍କର ଜନ୍ମ କଟକ ଜିଲ୍ଲା ଖଣ୍ଡ ସାହିରେ ହୋଇଥିବା ବେଳେ କର୍ମୀ କ୍ଷେତ୍ର ତାଙ୍କର ରାଜଧାନୀ ଭୁବନେଶ୍ୱର ଥିଲା। ସେ ଏମବିବିଏସ୍ ପରେ ଏମ୍‌ଡି କରିଥିଲେ। ସହିଦ ନଗରରେ ସେ ଏକ ଡାକ୍ତରଖାନା ପ୍ରତିଷ୍ଠା କରିଥିଲେ।

ଜଗନ୍ନାଥ ଧର୍ମପତ୍ନୀ ଡକ୍ଟର ସଂଘମିତ୍ରା ମିଶ୍ର ଓଡ଼ିଶାର ଜଣେ ବିଶିଷ୍ଟ ସାହିତ୍ୟିକା। ଓଡ଼ିଶା ସାହିତ୍ୟା ପାଇଁ ତାଙ୍କର ଅନେକ ଅବଦାନ ରହିଛି।  ତେବେ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଅନେକ ବିଶିଷ୍ଟ  ବ୍ୟକ୍ତି ସୋସିଆଲ୍ ମିଡିଆ ମାଧ୍ୟମରେ ଶୋକ ବ୍ୟକ୍ତ କରିବା ସହିତ ତାଙ୍କ ଘରକୁ ତାଙ୍କ ପ୍ରିୟଜନଙ୍କ ସୁଅ ଛୁଟିଛି।

ରାଜ୍ୟ ଖାଦ୍ୟ ଓ ଯୋଗାଣ, ସମବାୟ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଜି ସକାଳୁ ଶହୀଦ ନଗରସ୍ଥିତ ବାସଭବନରେ ଡାକ୍ତର ମହାପାତ୍ରଙ୍କ ପରଲୋକ ହୋଇଥିବା ଖବର ପାଇ ମନ୍ତ୍ରୀ ଶ୍ରୀ ନାୟକ ତାଙ୍କର ଶେଷ ଦର୍ଶନ କରିଥିଲେ। ଏକ ଶୋକ ବାର୍ତ୍ତାରେ ଶ୍ରୀ ନାୟକ ଉଲ୍ଲେଖ କରିଛନ୍ତି ଯେ, ଜଣେ ଲୋକପ୍ରିୟ ଡାକ୍ତର ଭାବରେ ଜଣାଶୁଣା ଡାକ୍ତର ମହାପାତ୍ରଙ୍କୁ ସେ ନିଜ ପିଲାଦିନରୁ ଜାଣନ୍ତି।

ଭୁବନେଶ୍ୱରରେ କର୍ପୋରେଟ ହସ୍ପିଟାଲ ଯୁଗ ଆରମ୍ଭ ହେବା ପୂର୍ବରୁ ଯେଉଁ ହାତଗଣତି କେତେଜଣ ଡାକ୍ତର ସମଗ୍ର ରାଜଧାନୀରେ ସୁନାମ ଅର୍ଜନ କରିଥିଲେ, ସେମାନଙ୍କ ମଧ୍ୟରେ ଡାକ୍ତର ଜଗନ୍ନାଥ ମହାପାତ୍ର ଥିଲେ ଅଗ୍ରଗଣ୍ୟ। ଚିକିତ୍ସା ସେବା ବ୍ୟତୀତ ଜଣେ ରାଜନେତା, ସମାଜସେବୀ ଓ ଅଭିନେତା ଭାବରେ ମଧ୍ୟ ସେ ବେଶ୍ ଜଣାଶୁଣା ଥିଲେ। ଈଶ୍ୱର ତାଙ୍କ ଆତ୍ମାକୁ ସଦଗତି ଦେବା ସହିତ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ କ୍ଷତି ସହିବାକୁ ଧୈର୍ଯ୍ୟ ଦିଅନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ନାୟକ ଶୋକ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।

Comments are closed.