Latest Odisha News

ରାଷ୍ଟ୍ରପତି ଭାବେ ପ୍ରଥମ ଥର ପାଇଁ ନିଜ ଜିଲ୍ଲାକୁ ଆସିବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ନିଜ ଜନ୍ମମାଟି ମୟୂରଭଞ୍ଜକୁ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚଳିତ ବର୍ଷ ମେ’ ୯ ତାରିଖରେ ମୟୂରଭଞ୍ଜର ବାରିପଦା ଗସ୍ତରେ ଆସିବେ ମହାମହିମ। ସେ ମୟୂରଭଞ୍ଜ ମହାରାଜାଙ୍କ ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଏଥିସହ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଗୁରୁବାର ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ସେ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ମହାରାଜାଙ୍କ ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ଖୁସି ହେବେ। ମୟୂରଭଞ୍ଜର ବାରିପଦାଠାରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟ ୨୦୨୩ ମେ ୯ ତାରିଖରେ ମହାମହିମ ଯୋଗଦେବେ।

ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି ଭାବେ ଏହା ମୁର୍ମୁଙ୍କ ତୃତୀୟ ଓଡ଼ିଶା ଗସ୍ତ ହେବ। ମୟୂରଭଞ୍ଜ ଜିଲ୍ଲାକୁ ପ୍ରଥମ ଥର ପାଇଁ ଆସିବେ।

ରାଷ୍ଟ୍ରପତି ମୁର୍ମୁ ନିକଟରେ ଫେବ୍ରୁଆରି ୧୦ ତାରିଖରେ ଓଡ଼ିଶା ଗସ୍ତରେ ଆସିଥିଲେ। ଦୁଇ ଦିନିଆ ଗସ୍ତରେ ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ସେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଉଦବୋଧନ ଦେଇଥିଲେ। ରମାଦେବୀ ଥିଲା ତାଙ୍କ ନିଜ କଲେଜ। ସମାବର୍ତ୍ତନ ଉତ୍ସବରେ ସେ ଯୋଗ ଦେଇ ନିଜ କଲେଜ ପାଠ ପଢା ବେଳର ଅନୁଭୂତି ବାଣ୍ଟିଥିଲେ। ସେହିପରି ଗସ୍ତ ସମୟରେ ଭୁବନେଶ୍ୱରସ୍ଥିତ ପ୍ରଭୁ ଲିଙ୍ଗରାଜ ମନ୍ଦିର ଯାଇ ମହାଦେବଙ୍କ ପୂଜାର୍ଚ୍ଚନା କରିବା ସହିତ କଟକସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଦ୍ୱିତୀୟ ଭାରତୀୟ ଧାନ କଂଗ୍ରେସକୁ ଉଦଘାଟନ କରିଥିଲେ।

ଏହାପୂର୍ବରୁ ପୁରୀ ଓ ଭୁବନେଶ୍ୱର ଗସ୍ତରେ ଆସିଥିଲେ। ଏହା ଥିଲେ ରାଷ୍ଟ୍ରପତି ଭାବେ ପ୍ରଥମ ଓଡ଼ିଶା ଗସ୍ତ। ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାଳିଆ ପାଖକୁ ଯିବା ପୂର୍ବରୁ ବଡଦାଣ୍ଡରେ ଯେଉଁ ଆବେଗର ସହ ଚାଲିଚାଲି ଯାଉଥିଲେ ତାହା ଓଡ଼ିଶାବାସୀଙ୍କ ହୃଦୟକୁ ବେଶ ଛୁଇଁଥିଲା। ଆଉ ସେ ପ୍ରମାଣିତ କରିଦେଇଥିଲେ ଶ୍ରୀଜିଉଙ୍କ ଆଗରେ ସେ କୌଣସି ରାଷ୍ଚ୍ରପତି ନୁହଁ ବରଂ ଜଣେ ସାଧାରଣ ଭକ୍ତଟିଏ।

Comments are closed.