ମୁମ୍ବାଇ: ବିଶ୍ୱକପ ଦିନିକିଆ କ୍ରିକେଟରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ୨୦୧୯ ବିଶ୍ୱକପରେ ନ୍ୟୁଜିଲାଣ୍ଡଠାରୁ ହାରି ଭାରତ ସେମିରୁ ବିଦାୟ ନେଇଥିଲେ । ଏହାର ମଧୂର ପ୍ରତିଶୋଧ ଲକ୍ଷ୍ୟରେ ଭାରତ ରହିବ । ମୁମ୍ବାଇରେ ପଂହଚିବା ପରେ କୋଚ ରାହୁଲ ଡ୍ରାଭିଡ, ବ୍ୟାଟ୍ସମ୍ୟାନ କୋଚ ବିକ୍ରମ ରାଠୋର ଓ ବୋଲିଂ କୋଚ ପାରସ ମାହାମ୍ବ୍ରେଙ୍କ ସମେତ ଅନ୍ୟ ସପୋର୍ଟିଂ ଷ୍ଟାଫ ୱାଙ୍ଖେଡ ଷ୍ଟାଡିୟମ ପିଚ ନିରୀକ୍ଷଣ କରିଥିଲେ । ନେଦରଲାଣ୍ଡ ବିପକ୍ଷ ବିଜୟ ପରେ ଟିମ ଇଣ୍ଡିଆର ଖେଳାଳିମାନେ ବିଶ୍ରାମ କରିବା ପରିବର୍ତେ ତ୍ରୁଟି ସୁଧାରିବା ପାଇଁ ଅଭ୍ୟାସ କରିଥିଲେ । ନ୍ୟୁଜିଲାଣ୍ଡ ଚଳିତ ବିଶ୍ୱକପରେ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପରେ କ୍ରମାଗତ ପରାଜୟବରଣ କରି ଖରାପ ଫର୍ମରେ ରହିଛି । ଏପରକି ଦଳ ବହୁ କଷ୍ଟରେ ସେମିରେ ପ୍ରବେଶ କରିଥିଲା ।
ଅବଶ୍ୟ ୨୦୦୭ ପରଠାରୁ କ୍ରମାଗତ ୫ମ ଥର ପାଇଁ କିୱି ଟିମ ସେମିଫାଇନାଲରେ ପ୍ରବେଶ କରିଛି । ଅପରପକ୍ଷରେ ଲିଗ ପର୍ଯ୍ୟାୟରେ ଜବରଦସ୍ତ ପ୍ରଦର୍ଶନ କରୁଥିବା ଭାରତ ନକଆଉଟ ବାଧାରେ ପ୍ରାୟତଃ ଝୁଂଟି ପଡିଥାଏ । ଏହି ପିଚ ସ୍ପିନରଙ୍କୁ ସୁହାଇବ କିମ୍ବା ବ୍ୟାଟ୍ସମ୍ୟାନଙ୍କ ଭୂସ୍ୱର୍ଗ ପାଲଟିବ ତାହା ଅବଶ୍ୟ ଜଣା ପଡି ନାହିଁ । ଟିମ ଇଣ୍ଡିଆ ଜବରଦସ୍ତ ଫର୍ମରେ ଥିବାରୁ ଏଥର ନ୍ୟୁଜିଲାଣ୍ଡ ବାଧା ଅତିକ୍ରମ କରିବାରେ ବିଶେଷ ଅସୁବିଧା ହେବ ନାହିଁ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି ।
Comments are closed.