Latest Odisha News

BREAKING NEWS

ବିମାନ ବନ୍ଦରରୁ ୧.୫୬ କୋଟିର ବିଦେଶୀ ମୁଦ୍ରା ଜବତ, ୨ ଗିରଫ

ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରୁ ବିଦେଶୀ ମୁଦ୍ରା ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ।  ହାଇଦ୍ରାବାଦରୁ କ୍ୱାଲାଲମ୍ପୁର ଯାଉଥିବା ଦୁଇ ଭାରତୀୟ ଯାତ୍ରୀଙ୍କଠାରୁ ପ୍ରାୟ ୧.୫୬ କୋଟି ଟଙ୍କାର ବିଦେଶୀ ମୁଦ୍ରା ଜବତ ହୋଇଛି।

ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଅଧିକାରୀଙ୍କ ସୂଚନା ଅନୁସାରେ, ହାଇଦ୍ରାବାଦରୁ ମାଲେସିଆର କ୍ୱାଲାଲମ୍ପୁର ଯାଉଥିବା ଜଣେ ଭାରତୀୟ ପୁରୁଷ ଯାତ୍ରୀଙ୍କୁ ଅଟକାଇ ଯାଞ୍ଚ କରିଥିଲେ ଟିମ୍ । ତାଙ୍କର ଯାଞ୍ଚ ବେଳେ ୬୬ ହଜାର ୬ ଶହ ଆମେରିକୀୟ ଡଲାର, ୩ ହଜାର ୭୭୩ ମାଲେସିଆ ରିଙ୍ଗିଟ୍ ଏବଂ ୨ ସିଙ୍ଗାପୁର ଡ଼ଲାର ଜବତ ହୋଇଥିଲା । ଏହି ମୁଦ୍ରାର ମୋଟ ମୂଲ୍ୟ ପ୍ରାୟ ୬୩ ଲକ୍ଷ ୬୨ ହଜାର ଟଙ୍କା ହେବ ।  ଏହି ବିଦେଶୀ ମୁଦ୍ରା ତାଙ୍କ ଟ୍ରଲି ବ୍ୟାଗର ପୋଷାକ ମଧ୍ୟରେ ଏକ କଳା ପ୍ଲାଷ୍ଟିକ୍ କଭରରେ ଲୁଚାଇ ରଖାଯାଇଥିଲା।

ପ୍ରାରମ୍ଭିକ ପଚରାଉଚରା ସମୟରେ, ଯାତ୍ରୀ କହିଥିଲେ ଯେ, ଜଣେ ମହିଳା ମଧ୍ୟ ଭିନ୍ନ ପିଏନ୍‌ଆରରେ ଏହି ବିମାନରେ ଯାତ୍ରା କରୁଥିଲେ। ଡ଼ିଆରଆଇ ଅଧିକାରୀମାନେ ଏହା ଉପରେ ନଜର ରଖିଥିଲେ ଏବଂ ମହିଳାଙ୍କୁ ମଧ୍ୟ ଗିରଫ କରିଥିଲେ। ମହିଳା ଯାତ୍ରୀଙ୍କ ଟ୍ରଲି ବ୍ୟାଗ୍ ଯାଞ୍ଚ ବେଳେ ୯୭ ହଜାର ୬ ଶହ ଆମେରିକୀୟ ଡ଼ଲାର ମିଳିଥିଲା । ଯାହାର ମୂଲ୍ୟ ପ୍ରାୟ ୯୧ ଲକ୍ଷ ୯୪ ହଜାର ଟଙ୍କା ବୋଲି ଆକଳନ କରାଯାଇଛି।

ଉଭୟ ଯାତ୍ରୀ ଏହି ବିଦେଶୀ ମୁଦ୍ରାର ଆଇନଗତ ଦିଗ ଏବଂ  ଏହାକୁ ସାଙ୍ଗରେ ନେବା ସମ୍ପର୍କିତ ଆବଶ୍ୟକୀୟ କାଗଜପତ୍ର ଦେଖାଇବାରେ ବିଫଳ ହୋଇଥିଲେ।

ଅଧିକାରୀମାନେ କହିଛନ୍ତି ଯେ, ଡିଆରଆଇ ସୀମା ଶୁଳ୍କ ଆଇନ, ୧୯୬୨ ଅନୁଯାୟୀ ଉଭୟଙ୍କ ଠାରୁ ପ୍ରାୟ ୧.୫୬ କୋଟି ମୂଲ୍ୟର ସମ୍ପୂର୍ଣ୍ଣ ବିଦେଶୀ ମୁଦ୍ରା ଏବଂ ଏହାକୁ ଲୁଚାଇବା ପାଇଁ ବ୍ୟବହୃତ ଟ୍ରଲି ବ୍ୟାଗ ଜବତ ହୋଇଛି । ଏଥିସହିତ ଉଭୟ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଅପରପକ୍ଷରେ ଏହି ବିଦେଶୀ ମୁଦ୍ରା କେଉଁଠୁ ଆସିଲା ଏବଂ କେଉଁ ଉଦ୍ଦେଶ୍ୟରେ ନିଆଯାଉଥିଲା, ସେ ନେଇ ଅଧିକ ତଦନ୍ତ ଚାଲିଛି।

Leave A Reply

Your email address will not be published.