ଭୁବନେଶ୍ୱର: ଶେଷରେ ଡ୍ରାଇଭର ମହାସଂଘ ନିଜ ଜିଦରୁ ଓହରିଲା । ଅନ୍ଦାେଳନ ପ୍ରତ୍ୟାହାର କଲା ଡ୍ରାଇଭର ମହାସଂଘ । ଏ ନେଇ ସୂଚନା ଦେଇଛନ୍ତି ମହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲି । ୩ ମାସ ପାଇଁ ଆନ୍ଦୋଳନ ସ୍ଥଗିତ ରହିବା ନେଇ ସୂଚନା ଦେଇଛନ୍ତି ସଭାପତି । ତେବେ ୯୧ ଦିନ ହେଲେ ଆତ୍ମାହୁତି ଦେବୁ ବୋଲି କହିଛନ୍ତି ସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲି ।
ଫେସ ବୁକରେ ଏକ ଭିଡିଓ ବାର୍ତ୍ତା ଦେଇ ସଭାପତି ମେଣ୍ଡୁଳି ସମସ୍ତ ଓଡିଶାବାସୀଙ୍କୁ କ୍ଷମା ମାଗିଛନ୍ତି ଓଡିଶା ଡ୍ରାଇଭର ମହାସଂଘ ସଭାପତି । ସରକାର ଏବଂ ମୁଖ୍ୟ ଶାସନ ସଚିବଙ୍କ ଅପିଲକୁ ସମ୍ମାନ ଜଣାଇ ଧାରଣାରୁ ଓହରିଥିବା ସେ କହିଛନ୍ତି ।
ସଭାପତି କହିଛନ୍ତି, ସରକାର ଦାବି ପୂରଣ ପାଇଁ ଆମଠାରୁ ୯୦ ଦିନ ମାଗିଛନ୍ତି । ୯୦ ଦିନ ମଧ୍ୟରେ ଏହାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ୩୦ ମଧ୍ୟରେ ସମାଧାନ ନ କଲେ ମହାସଂଘ ତାର ଯାହା କରିବା କଥା କରିବ । ୯୦ ଦିନ ପୂରଣ ହୋଇ ୯୧ ଦିନ ହେଲେ ଆତ୍ମାହୁତ ଦେବେ ବୋଲି ସେ କହିଛନ୍ତି ।
ସୂଚନାଥାଉ କି, ତିନି ଦିନ ଧରି ଡ୍ରାଇଭର ମହାସଂଘ ଆନ୍ଦୋଳନରେ ବସିଛନ୍ତି । ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ୩ ମାସ ମଧ୍ୟରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ତଥାପି ଡ୍ରାଇଭର ମହାସଂଘ ଜିଦରେ ଅଟଳ ଥିଲା । ମୁଖ୍ୟମନ୍ତ୍ରୀ ଘୋଷଣା ନ କରିବା ଯାଏ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଅଡି ବସିଥିଲେ ।
ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ସ୍ଥିତି ଜଟିଳ ହେଉଥିଲା । ରାଜ୍ୟରେ ପେଟ୍ରୋଲ, ପରିବା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ସଙ୍କଟ ବଢୁଥିଲା । ରାସ୍ତାରେ ଟ୍ରକ ଟ୍ରକ ପରିବା ପଚି ଯାଉଥିବା ଖବର ଆସୁୂଥିଲା । ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଡ୍ରାଇଭର ମହାସଂଘକୁ ଆନ୍ଦୋଳନରୁ ଓହରିଯିବା ପାଇଁ ଅନୁରୋଧ କରିଥିଲେ । ସେ କହିଥିଲେ, ଆଇନକୁ ହାତକୁ ନେବା ଗ୍ରହଣୀୟ ହେବ ନାହିଁ । ସର୍ବସାଧାରଣ ଓ ଘରୋଇ ସମ୍ପତ୍ତିକୁ ନଷ୍ଟ କରିବା, କୌଣସି ବ୍ୟକ୍ତିଙ୍କୁ ଆଘାତ କରିବା ଠିକ୍ ନୁହେଁ ।
ଅନ୍ୟପକ୍ଷେ ଡିଜିପି ସୁନୀଲ ବଂଶଲ ମଧ୍ୟ ଡ୍ରାଇଭରଙ୍କୁ ଆନ୍ଦୋଳନରୁ ଓହରିବା ପାଇଁ ଅନୁରୋଧ କରି କହିଥିଲେ, ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ଡ୍ରାଇଭରଙ୍କ ଆନ୍ଦୋଳନ ଠିକ୍ ନୁହେଁ । ଗତକାଲି ଆନ୍ଦୋଳନ ସମୟରେ ଆକ୍ରମଣ ହୋଇଛି । ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଶାନ୍ତି ଶୃଙ୍ଖଳା ଭଙ୍ଗ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆନ୍ଦୋଳନ ଯୋଗୁଁ ଲୋକେ ଅସୁବିଧାରେ ପଡ଼ୁଛନ୍ତି, କିଛି ଲାଭ ହେଉନି । ସଂଘ ଆଲୋଚନା ପାଇଁ ଆସନ୍ତୁ ବୋଲି କହିଥିଲେ ।
ଏହା ପରେ ୩ ମାସ ପାଇଁ ଆନ୍ଦୋଳନ ସ୍ଥଗିତ ହେଲା ବୋଲି ଡ୍ରାଇଭର ସଂଘ ଘୋଷଣା କରିଛି ।
Comments are closed.