ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ଯେ, ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ। ତେବେ ଆଜି ଭୁବନେଶ୍ବରରେ କଂଗ୍ରେସର ସମାବେଶକୁ ଆସୁଥିବା ଗାଡ଼ିକୁ ଅଟକାଇବ ନାହିଁ ଡ୍ରାଇଭର ମହାସଂଘ। ଏନେଇ ସ୍ପଷ୍ଟ କରିଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ।
ଡ୍ରାଇଭର ଏକତା ମହାମଞ୍ଚରେ ଥିବା ସମସ୍ତ ଡ୍ରାଇଭରମାନଙ୍କୁ ଏନେଇ ସେ ଅନୁରୋଧ କରିଛନ୍ତି। କଂଗ୍ରେସର ସମାବେଶକୁ କଂଗ୍ରେସ କର୍ମୀ ଆସୁଥିବାରୁ ଗାଡିକୁ ନଅଟକାଇବାକୁ ଅନୁରୋଧ କରିଥିଲେ ପିସିସି ସଭାପତି । କଂଗ୍ରେସର ଅନୁରୋଧ ରକ୍ଷା କରି କଂଗ୍ରେସର ଗାଡ଼ିକୁ ଅଟକାଯିବ ନାହିଁ ବୋଲି କହିଛନ୍ତି ଡ୍ରାଇଭର ସଂଘ ସଭାପତି। ଏହାସହ ସମାବେଶକୁ ଗାଡ଼ି ଆଣୁଥିବା ଡ୍ରାଇଭରମାନଙ୍କୁ ବିନା ଭୟରେ ଗାଡ଼ି ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସରକାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ହଟିବୁ ବୋଲି କହିଛନ୍ତି ପ୍ରଶାନ୍ତ ମେଣ୍ଡୁଲି ।
ମହାସଂଘର ୭ ଦଫା ଦାବି ନେଇ ଏହି ଆନ୍ଦୋଳନ ଜୁଲାଇ ୮ ତାରିଖରୁ ଆରମ୍ଭ ହୋଇଛି। ଡ୍ରାଇଭରମାନେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିବା ବେଳେ, ଏହା ଯାତାୟାତ ବ୍ୟବସ୍ଥାକୁ ପ୍ରଭାବିତ କରି ଜନସାଧାରଣଙ୍କୁ ହନ୍ତସନ୍ତ କରୁଛି।
ଅନ୍ୟପକ୍ଷରେ, ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି ଯେ, ଡ୍ରାଇଭର ମହାସଂଘର ସମସ୍ତ ଦାବି ସରକାର ଶୁଣିସାରିଛି ଏବଂ ତାହା କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା ଶେଷ ହୋଇଛି। ତେଣୁ, ଆନ୍ଦୋଳନର ଆଉ ଆବଶ୍ୟକତା ନାହିଁ। ସେ ଆହୁରି କହିଛନ୍ତି ଯେ, କଂଗ୍ରେସ ରାଲିକୁ ସମର୍ଥନ ଦେଇ ଏକ ଦିନ ପାଇଁ ଆନ୍ଦୋଳନ ସ୍ଥଗିତ ରଖିବାର ନିଷ୍ପତ୍ତି ରାଜନୀତିକ ଚକ୍ରାନ୍ତର ଅଂଶ। ମନ୍ତ୍ରୀ ଜେନା ଡ୍ରାଇଭର ନେତାମାନଙ୍କୁ ନିରୀହ ଡ୍ରାଇଭରଙ୍କୁ ଭ୍ରମିତ ନ କରିବାକୁ ଏବଂ ଆନ୍ଦୋଳନରୁ ଓହରିବାକୁ ନିବେଦନ କରିଛନ୍ତି।
Comments are closed.