କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ବନ କର୍ମଚାରୀମାନଙ୍କୁ ଡ୍ରୋନର ବ୍ୟବହାର ସମ୍ପର୍କରେ ତାଲିମ ଦିଆଯାଉଛି । ଗହୀରମଥାରେ କଇଁଛ ସୁରକ୍ଷା ସାଙ୍ଗକୁ ବେଆଇନ ମାଛ ଧରା ଉପରେ ନଜର ରଖିବ ଡ୍ରୋନ ।
ସୂଚନାଥାଉକି, ଡ୍ରୋନ ୨୫ କିଲୋମିଟର ଦୂର ଓ ୫ କିଲୋମିଟର ଉଚ୍ଚତାରୁ ଭିଡିଓ ଓ ଫଟୋ ଉତ୍ତୋଳନ କରିପାରିବ ।
ବନବିଭାଗ ପ୍ରଥମଥର ପାଇଁ ଅଲିଭରିଡ଼ଲେ କଇଁଛର ସୁରକ୍ଷା ପାଇଁ ଗହୀରମଥାରେ ଡ୍ରୋନର ସହାୟତା ନେବାକୁ ଯାଉଛି । ଏନେଇ ରାଜନଗର ବନଖଣ୍ଡର ଫରେଷ୍ଟ ଗାର୍ଡ ଓ ବନ କର୍ମଚାରୀମାନଙ୍କୁ ଡ୍ରୋନ ବ୍ୟବହାର ସମ୍ପର୍କରେ ୨ ଦିନିଆ ପ୍ରଶିକ୍ଷଣ ଦିଆଯାଉଛି । କେନ୍ଦ୍ର ସରକାରଙ୍କ ଡିଜିସିଏର ପ୍ରଶିକ୍ଷକ କଲିକତାର ମାବ୍ରିକ ଡ୍ରୋନ ସହାୟତାରେ ସମ୍ଭିତ ସ୍ୱୟଂ ପ୍ରକାଶ ଏହି ସ୍ୱତନ୍ତ୍ର ଡ୍ରୋନର ତାଲିମ ଦେଉଛନ୍ତି ।
DGCAର ପ୍ରଶିକ୍ଷକ ସମ୍ବିତ ସ୍ୱୟଂ ପ୍ରକାଶ କହିଛନ୍ତି, “ଡ୍ରୋନର କାମ ଓ ବ୍ୟବହାର ସମ୍ପର୍କରେ ବନ କର୍ମଚାରୀଙ୍କୁ ତାଲିମ ଦିଆଯାଉଛି । ବେଆଇନ ମାଛ ମରା ଓ ସନ୍ଦେହଜନକ ଭାବେ ବୁଲୁଥିବା ଲୋକ ବିଷୟରେ ଏହି ଡ୍ରୋନ ସ୍ପଷ୍ଟ ଭାବେ ସୂଚନା ଦେବ । ଏହା ଏକ କିଲୋମିଟର ପର୍ଯ୍ୟନ୍ତ ଟ୍ରାକିଂ କରି ସ୍ଥାନ ସହ ଫଟୋ ଭିଡିଓ ଦେବ । ଫଳରେ ସନ୍ଦେହପୂର୍ଣ୍ଣ ଗତିବିଧି ନିରୀକ୍ଷଣ କରିହେବ ।”
ସୂଚନାଥାଉକି, ଗହୀରମଥା ସାମୁଦ୍ରିକ ଅଭୟରଣ୍ୟରେ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲରଗୁଡିକ ଉପରେ ସବୁ ସମୟରେ ପାଟ୍ରୋଲିଂ ଦ୍ୱାରା ନଜର ରଖିବା ସମ୍ଭବ ହୋଇପାରୁନାହିଁ । ଯେଉଁ ସ୍ଥାନରେ ବନବିଭାଗ ଟିମ୍ ପହଞ୍ଚି ପାରୁନାହିଁ, ସେଠାକୁ ଡ୍ରେନ ପଠାଯାଇ ବନ୍ୟପ୍ରାଣୀ ସମ୍ପର୍କରେ ତଥ୍ୟ ଜାଣିହେବ । ରାତିରେ ଏହାକୁ ବ୍ୟବହାର କରି ଗତିବିଧି ଲକ୍ଷ୍ୟ ରଖା ଯାଇପାରିବ । ବିଭିନ୍ନ ସମୟରେ ଗଣନା ପାଇଁ ମଧ୍ୟ ଡ୍ରୋନର ବ୍ୟବହାର କରାଯିବ ।