Latest Odisha News

BREAKING NEWS

Post Drone Delivery: ଆକାଶରେ ଆସିବ ଚିଠି-ପାର୍ସଲ! ମିନିଟକରେ ଡ୍ରୋନ ମାଧ୍ୟମରେ ପହଞ୍ଚିବ ଆପଣଙ୍କ ଜିନିଷ…

ନୂଆଦିଲ୍ଲୀ: ଏବେ ମୋବାଇଲ୍ ଫୋନ୍, ହ୍ବାଟ୍ସଆପ୍ ଏବଂ ମେସେଞ୍ଜର ଭଳି ଭାବ ଆଦାନପ୍ରଦାନ ପାଇଁ ଅନେକ ମାଧ୍ୟମ ଆସି ଯାଇଥିବା ବେଳେ ତା ମଧ୍ୟରେ ଆଗଭଳି ଚିଠି ଦିଆନିଆ କେଉଁଠି ହଜିଯାଇଛି । ତଥାପି ଏବେ ବି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏବଂ ପାର୍ସଲ ଡାକ ମାଧ୍ୟମରେ ହିଁ କାରବାର ହେଉଛି । ତଥାପି ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠାରେ ଏହି ବ୍ୟବସ୍ଥା ଆଜି ବି ମାସ ମାସ ସମୟ ଲଗାଉଛି । ପାହାଡ଼ିଆ ଅଞ୍ଚଳ, ଖରାପ ରାସ୍ତା, ବନ୍ୟା କିମ୍ବା ଖରାପ ପାଗ ଯୋଗୁଁ ଅନେକ ସ୍ଥାନରେ ଡାକ ପହଞ୍ଚିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । ହେଲେ ଆଉ ନୁହେଁ, ଏହାକୁ ମୁକାବିଲା କରିବା ପାଇଁ, ସେଠାରେ ଏବେ ଡ୍ରୋନ୍‌ ମାଧ୍ୟମରେ ଡାକ ପହଞ୍ଚାଇବାର ଯୋଜନା ଆରମ୍ଭ ହୋଇଛି। ଦୂରଦୂରାନ୍ତର ଗାଁକୁ ଡାକ ପହଞ୍ଚାଇବା ପାଇଁ ଏବେ ରାସ୍ତା ଉପରେ ନୁହେଁ, ଆକାଶ ଉପରେ ଭରସା କରୁଛି ଇଣ୍ଡିଆ ପୋଷ୍ଟ। ଆସାମ ଓ ହିମାଚଳ ପ୍ରଦେଶରେ ଏହି ଡ୍ରୋନ୍ ଡାକ ସେବାକୁ ବିସ୍ତାର କରାଯାଉଛି। ଉଭୟ ରାଜ୍ୟର ପ୍ରାୟ ୧୫୦ଟି ନିର୍ଦ୍ଧାରିତ ରୁଟ୍‌କୁ ଏହି ବ୍ୟବସ୍ଥାରେ ଯୋଡ଼ିବା ଲକ୍ଷ୍ୟ ରହିଛି।

ଆସାମରେ ଏହି ସପ୍ତାହରେ ପ୍ରଥମ ଥର ପାଇଁ ଡାକ ବ୍ୟାଗ୍ ପହଞ୍ଚାଇବାକୁ ଡ୍ରୋନ୍ ଉଡ଼ାଯାଇଛି। ବନ୍ୟା, ଖରାପ ରାସ୍ତା ଏବଂ ଦୁର୍ଗମ ଭୌଗୋଳିକ ପରିସ୍ଥିତି ଯୋଗୁଁ ଯେଉଁ ଅଞ୍ଚଳକୁ ରାସ୍ତାରେ ଡାକ ପହଞ୍ଚାଇବା କଷ୍ଟକର, ସେଠାରେ ଏହି ସେବା ବେଶ୍‌ ଉପଯୋଗୀ ହୋଇପାରେ। ଆସାମର ପ୍ରାୟ ୪୦ଟି ରୁଟ୍କୁ ଏହି ନେଟୱର୍କରେ ସାମିଲ କରାଯିବାକୁ ଥିବା ବେଳେ ହିମାଚଳ ପ୍ରଦେଶରେ ପ୍ରାୟ ୧୧୦ଟି ରୁଟ୍ ରହିବ।

ଡ୍ରୋନ୍ ଡାକ ସେବାର ପ୍ରଭାବ ହିମାଚଳ ପ୍ରଦେଶର ମଣ୍ଡି-ରେହଡ଼ଧାର ରୁଟ୍‌ରେ ଦେଖିବାକୁ ମିଳିଛି। ମଣ୍ଡି ମୁଖ୍ୟ ଡାକଘରରୁ ରେହଡ଼ଧାର ଶାଖା ଡାକଘରର ଦୂରତା ପ୍ରାୟ ୧୨ କିଲୋମିଟର। ସାଧାରଣ ରାସ୍ତାରେ ଡାକ ପହଞ୍ଚିବାକୁ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗୁଥିଲା। ହେଲେ ଡ୍ରୋନ୍‌ରେ ଏହି ଡାକ ମାତ୍ର ପ୍ରାୟ ୭ ମିନିଟ୍‌ରେ ପହଞ୍ଚୁଛି।

ଏହି ପ୍ରକଳ୍ପ ପାଇଁ ଇଣ୍ଡିଆ ପୋଷ୍ଟ ଗୁରୁଗ୍ରାମର ଡ୍ରୋନ୍ ବିତରଣ ଓ ଟେକ୍ନୋଲୋଜି କମ୍ପାନୀ ସ୍କାଏ ଏୟାର ମୋବିଲିଟି ସହ ଭାଗିଦାରି କରିଛି। ଯୋଜନା ଅନୁସାରେ, ଡ୍ରୋନ୍‌ଗୁଡ଼ିକ ଖାତା ଡାକଘରରୁ ଶାଖା ଡାକଘରକୁ ଡାକ ବ୍ୟାଗ୍ ପହଞ୍ଚାଇବ। ଏହି ଡ୍ରୋନ୍‌ଗୁଡ଼ିକ ୧୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ଓଜନ ବହନ କରିପାରିବ। ଏଥିସହ ଡାକର ଯାତ୍ରାକୁ ରିଅଲ୍-ଟାଇମ୍‌ରେ ଟ୍ରାକ୍ କରିବାର ସୁବିଧା ମଧ୍ୟ ରହିବ।

ଆସାମରେ ବର୍ଷା ଓ ବନ୍ୟା ସମୟରେ ଅନେକ ରାସ୍ତା ବନ୍ଦ ହୋଇଯାଏ। ସେହିପରି ହିମାଚଳରେ ପାହାଡ଼ିଆ ରାସ୍ତା, ବରଫପାତ ଓ ଖରାପ ପାଗ ଯୋଗୁଁ ଡାକ ପରିବହନ ପ୍ରଭାବିତ ହୁଏ। ଏଭଳି ସ୍ଥିତିରେ ଡ୍ରୋନ୍ ସିଧାସଳଖ ନିର୍ଦ୍ଧାରିତ ରୁଟ୍‌ରେ ଡାକ ବ୍ୟାଗ୍ ନେଇଯାଇପାରିବ। ଏହାଦ୍ୱାରା ଦୂର ଗାଁର ଲୋକଙ୍କୁ ଡାକବାଲାଙ୍କ ଅପେକ୍ଷାରେ ଅଧିକ ସମୟ ରହିବାକୁ ପଡ଼ିବ ନାହିଁ।

ଡ୍ରୋନ୍‌ରେ ଡାକ ପହଞ୍ଚାଇବା ଦ୍ରୁତ ହେଲେ ମଧ୍ୟ ଏହାର ଖର୍ଚ୍ଚ ଏକ ବଡ଼ ପ୍ରଶ୍ନ। ଡ୍ରୋନ୍‌ର ରକ୍ଷଣାବେକ୍ଷଣ, ବ୍ୟାଟେରୀ, ବୀମା, ଟେକ୍ନିକାଲ୍ ଟିମ୍ ଏବଂ ଖରାପ ପାଗରେ ଉଡ଼ାଣ ବନ୍ଦ ହେବା ଭଳି ଅନେକ ଦିଗ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଏହା ସହ ଡ୍ରୋନ୍ ରାସ୍ତାରୁ ବିଚ୍ୟୁତ ହେଲେ କିମ୍ବା ଉଡ଼ାଣ ସମୟରେ କୌଣସି ସମସ୍ୟା ହେଲେ ଡାକ ବ୍ୟାଗ୍‌କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ, ସେଥିପାଇଁ ମଧ୍ୟ ବ୍ୟବସ୍ଥା ଆବଶ୍ୟକ।

ଆସାମର ୪୦ ଏବଂ ହିମାଚଳ ପ୍ରଦେଶର ୧୧୦ଟି ରୁଟ୍କୁ ନେଇ ଏହି ଯୋଜନା ସଫଳ ହେଲେ ଦେଶର ଦୁର୍ଗମ ଅଞ୍ଚଳରେ ଡାକ ପହଞ୍ଚାଇବାର ଚିତ୍ର ବଦଳିପାରେ। ଯେଉଁଠାରେ ରାସ୍ତାରେ ଘଣ୍ଟା ଘଣ୍ଟା ଲାଗୁଛି, ସେଠାରେ ଡ୍ରୋନ୍ କିଛି ମିନିଟ୍‌ରେ ଡାକ ପହଞ୍ଚାଇପାରିବ।

Leave A Reply

Your email address will not be published.