Chatbot for Revenue Services: ‘ଆମ ସାଥୀ’ହ୍ୱାଟସ୍ଆପ୍ ଚାଟ୍ବଟ୍ର ଶୁଭାରମ୍ଭ;ଘରେ ବସି ପାଇପାରିବେ ବିବାହ ପଞ୍ଜିକରଣ, ଜାତି ଓ ଆୟ ପ୍ରମାଣପତ୍ର
ଭୁବନେଶ୍ବର: ରାଜସ୍ଵ ବିଭାଗର ଅଭିଯୋଗର ସମାଧାନ ପାଇଁ ବିଭାଗ ଦ୍ୱାରା ‘ଆମସାଥୀ’ ହ୍ବାଟ୍ସଆପ୍ ଚାଟ୍ ବଟ୍ର ଶୁଭାରମ୍ଭ ହୋଇଛି । ଲୋକସେବା ଭବନରେ ଏହି ଚାଟ୍ ବଟ୍ର ଶୁଭାରମ୍ଭ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏହି ଚାଟ୍ ବଟ୍ ଦ୍ୱାରା ରାଜସ୍ୱ ବିଭାଗର ୧୬ଟି ଓ ପରବର୍ତ୍ତୀ ସମୟରେ ଆଉ ଦୁଇଟି ସେବା ପାଇପାରିବେ । ଆଗରୁ ୧୧ଟି ସେବା ମିଳିଥିଲା । ଜମିର କିସମ ପରିବର୍ତ୍ତନ, ବିବାହ ପଞ୍ଜିକରଣ, ସୋସାଇଟି ରେଜିଷ୍ଟ୍ରେସନ, ବାସସ୍ଥାନ ପ୍ରମାଣପତ୍ର କାମ ମଧ୍ୟ କରିପାରିବେ।
ରାଜସ୍ବ ମନ୍ତ୍ରୀ ଏହାର ଶୁଭାରମ୍ଭ କରି କହିଛନ୍ତି, ଏହାଦ୍ବାରା ରାଜସ୍ବ ବିଭାଗର ୧୬ଟି ଏବଂ ପରବର୍ତ୍ତୀ ସମୟରେ ଆଉ ଦୁଇଟି ସେବା ଲୋକମାନେ ପାଇପାରିବେ। ଏଥିରେ ଆଗରୁ ୧୧ଟି ସେବା ମିଳୁଥିଲା। ଏବେ ଲୋକଙ୍କ ପାଖରେ ସମୟ କମ୍ , କାମ କିନ୍ତୁ ଅଧିକ। ତେଣୁ ଏହି ଅପ୍ ଜରିଆରେ ନିଜ ଘରେ ବସି ଜନସାଧାରଣ ସେବା ପାଇପାରିବେ। ତହସିଲ ଅଫିସକୁ ବାରମ୍ବାର ନଧାଇଁ ଏହି ଚାଟ ବଟ ଆପ୍ ଜରିଆରେ ଜଣେ ନିଜର ଆବେଦନର ସ୍ଥିତି ଜାଣି ପାରିବ। ଏପରିକି ଆବଶ୍ୟକସ୍ଥଳେ ୯୪୩୭୨୯୨୦୦୦ରେ ମଧ୍ୟ ଅଭିଯୋଗ କରିପାରିବେ। ରାଜ୍ୟରେ ପ୍ରାୟ ୧.୬୫ କୋଟି ଲୋକ ହ୍ବାଟସଆପ୍ ବ୍ୟବହାର କରୁଛନ୍ତି। ସେ ଦୃଷ୍ଟିରୁ ଏହା ସହଜ ହେବ। ଭୂଲେଖରେ ପଟ୍ଟା ସମନ୍ଧୀୟ ତଥ୍ୟ ମଧ୍ୟ ଉପଲବ୍ଧ ହେବ। ଜଣେ ନାଗରିକ ଘରେ ରହି ବି ଏହି ସୁବିଧା ପାଇପାରିବେ। ସରକାର ଲୋକଙ୍କୁ ସୁହାଇଲା ଭଳି ସେବା ଯୋଗାଇଦେବାକୁ ସଂକଳ୍ପବଦ୍ଧ ।

