ସମ୍ବଲପୁର : ମାଫିଆଙ୍କ ଫୋକସରେ ପଶ୍ଚିମଓଡ଼ିଶା । ବଢୁଛି ମାଫିଆଙ୍କ ରାଜ୍ । ସମ୍ବଲପୁର ସହରରେ ଦିନକୁ ଦିନ କାୟା ବିସ୍ତ।ର କରିଚାଲିଛନ୍ତି ନିଶା ବେପାରୀ । ଦିନ ଦିପହରରେ ବେଧଡକ ଚାଲାଣ ହେଉଛି ଗଞ୍ଜେଇରୁ ବ୍ରାଉନ ସୁଗର । ସବୁଠାରୁ ବଡ଼ କଥା ହେଲା ଏହାର ଟାର୍ଗେଟରେ ରହିଛନ୍ତି ଛାତ୍ର ଓ ଯୁବପୀଢି । ଏମାନଙ୍କୁ ଏହି ନିଶାଡି ମାନେ ଲୋଭ ଦେଖାଇ ଲଗାଉଛନ୍ତି ନିଶା କାରବାରରେ । ଏହି କାରବାରର ସମ୍ବଲପୁରରୁ କୋଲକାତା ଆଉ ଝାଡ଼ଖଣ୍ଡ ଯାଏଁ ଲମ୍ବିଛି ଚେର ।
ପ୍ରତିଦିନ ଗୋଟିଏ ପରେ ଗୋଟିଏ ନିଶା କାରବାର ପଦାକୁ ଆସୁଛି । ୧୦ ଦିନ ଭିତରେ ଏଭଳି ୩ଟି ଘଟଣା ସାମ୍ନାକୁ ଆସିବା ପରେ ଏବେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ସହରରେ ଜୁନ୍ ୬ରେ ନୂଆ ରମ୍ପେଲାଠାରେ ସ୍ପେଶାଲ ସ୍କ୍ୱାଡ୍ ଓ ରେଙ୍ଗାଲି ପୋଲିସ ଚଢ଼ାଉ ବେଳେ ଏକ କାର୍ରୁ ୬୨ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଥିଲା । ଏହି ଘଟଣାରେ ପୋଲିସ୍ ୩ ଜଣଙ୍କୁ ଗିରଫ କରିବା ସହ ୫ ଲକ୍ଷ ଟଙ୍କା ମଧ୍ୟ ଜବତ କରିଥିଲା।
ସେହିପରି ଗତ ଜୁନ୍ ୧୬ରେ ଟାଉନ ଥାନା ଅନ୍ତର୍ଗତ ଆଶାପାଲି ସ୍କୁଲ ଅଞ୍ଚଳରେ ପୋଲିସ୍ ରେଡ୍ କରି ୬.୩୪ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା । ଏହି ମାମଲାରେ ପୋଲିସ୍ ୫ ଜଣଙ୍କୁ ଗିରଫ କରିଥିଲା । ଦଲେଇପଡା ଅଞ୍ଚଳରୁ ମଧ୍ୟ ବ୍ରାଉନସୁଗର ସେବନ ଓ କାରବାର ଅଭିଯୋଗରେ ୨ ଜଣ ନାବାଳକଙ୍କୁ ପୋଲିସ୍ ଧରିଥିଲା । ସେମାନଙ୍କ ନିକଟରୁ ୧.୬ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା।
ସମ୍ବଲପୁରରେ ବ୍ରାଉନସୁଗର ବେପାରୀ ସକ୍ରିୟ । ନିଶା ବେପାରୀମାନେ ନାବାଳକ ଓ ଯୁବ ଗୋଷ୍ଠୀଙ୍କୁ ଟାର୍ଗେଟ୍ କରୁଥିବା ସମ୍ବଲପୁର ଏସ୍ପି କହିଛନ୍ତି । ।