ଭୁବନେଶ୍ବର: ଜିରୋ ଆଓ୍ବାରରେ ସମୟରେ ମନମାନି କଲେ କଡା କାର୍ଯ୍ୟନୁଷ୍ଠାନ । ମଦ୍ୟପାନ କରି ଗାଡି ଚଳାଇଲେ ରଦ୍ଦ ହେବ ଲାଇସେନ୍ସ । ଏପରି କି ମୋଟା ଅଙ୍କର ଟଙ୍କା ବି ଗଣିବାକୁ ପଡିବ । ନିୟମ ଉଲଘଂନ କରି ଦ୍ରୁତଗତି ଏବଂ ବେପୁରୁଆ ଭାବେ ଗାଡି ଚାଳନା କରୁଥିବା ଚାଳକକୁ ସାବାଡ କରିବା ପାଇଁ ଏଭଳି କିଛି ନିୟମ ଲାଗୁ କରାଯିବା ନେଇ ସୂଚନା ଦେଇଛନ୍ତି, ପରିବହନ ଆୟୁକ୍ତ ଅମିତାଭ ଠାକୁର ।
ତେବେ ଦ୍ରୁତଗତି ଓ ବେପରୁଆ ଗାଡ଼ି ଚାଳନା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ନିୟମ ଉଲ୍ଲଙ୍ଘନକାରୀ ଗାଡ଼ି ଚାଳକ ଯଦି ପରିଚୟ ପ୍ରଦାନରେ ସହଯୋଗ ନ କରନ୍ତି, ସମ୍ପୃକ୍ତ ଗାଡ଼ିର ମାଲିକଙ୍କ ଠାରୁ ଗାଡ଼ିଚାଳକର ସମସ୍ତ ବିବରଣୀ ମଗାଯିବ। ଯଦି ସେ ଏହା ପ୍ରଦାନରେ ଖିଲାପ କରନ୍ତି ମୋଟର ଯାନ ଆଇନ ଅନୁଯାୟୀ ଗାଡି ଚାଳକଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବ । ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ରାତି ୧୨ରେ ଜୋରଦାର ଯାଞ୍ଚ ହେବ ।
ଇଂରାଜୀ ନୂଆବର୍ଷ ପାଳନ ନାଁରେ ମଦ୍ୟପାନ କରି ଗାଡ଼ି ଚାଳନା, ଦ୍ରୁତଗତି ଭଳି ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ। ଏନେଇ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ପରିବହନ ଆୟୁକ୍ତଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଅନ୍ୟପକ୍ଷରେ ଜାନୁଆରୀ ପହିଲାରୁ ସାରା ରାଜ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯିବ। ତେଣୁ ଏଭଳି ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ୍ ଜିରୋ ଆୱାରରୁ ଆରମ୍ଭ ହୋଇ ଜାନୁଆରୀ ୭ ଯାଏଁ ଜାରି ରହିବ।
ବିଶେଷକରି, ବଣଭୋଜି ଅଞ୍ଚଳରେ ମଦ୍ୟପାନ କରି ଯାନ ଚାଳନା ବିରୋଧରେ ଅଧିକ ଚେକିଂ ହେବ। ପର୍ଯ୍ୟଟନ ସ୍ଥଳକୁ ଆସୁଥିବା ଗାଡ଼ି ଗୁଡ଼ିକ ଯେଉଁଭଳି ସମସ୍ତ ସୁରକ୍ଷା ନିୟମର ପାଳନ କରିବେ ସେଥିପାଇଁ ମଧ୍ୟ ଏସଓପି ଜାରି କରାଯାଇଛି। ସେହିଭଳି ନାବାଳକ-ନାବାଳିକା ଗାଡ଼ି ଚାଳନା ବିରୋଧରେ ସ୍କୁଲ, କଲେଜ ନିକଟରେ ଯାଞ୍ଚ ପାଇଁ ନିଷ୍ପତ୍ତି ହୋଇଛି। ଏହାସହ ମୋଟର ଯାନ ବୀମା ସଂକ୍ରାନ୍ତୀୟ ଯାଞ୍ଚ ମଧ୍ୟ କରାଯିବ।
Comments are closed.